ଭୁବନେଶ୍ୱର : ଗତ ୨ ଦିନରେ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ ଅପସରି ଯାଇଛି। ପ୍ରାୟ ସ୍ଥାନରେ ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ଆଉ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏବେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦୁଇ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।
କେନ୍ଦ୍ର କହିଛି, ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନର ପାରଦ ୨ରୁ ୩ଡିଗ୍ରି ବଢ଼ିଛି। ଏବେ ଆଉ ବିଶେଷ ବଢ଼ିବାର ସମ୍ଭାବନା ନାହିଁ। ଆସନ୍ତା ୪ରୁ ୫ ଦିନ ଏଇ ସ୍ଥିତିରେ ରହିବ। ୨୪ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ୨୫ତାରିଖ ଦିନ ମଧ୍ୟ କାଁଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୬ ତାରିଖ ଦିନ ରାଜ୍ୟର ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ଓ ଆକାଶ ନିର୍ମଳ ରହିବ।
୨୦ ତାରିଖ ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରି ରହିଥିବା ବେଳେ ଗତକାଲି ୩ ଡିଗ୍ରି ବଢ଼ି ୧୬.୮ ଡିଗ୍ରିରେ ପହଞ୍ଚିଥିଲା। ଆଜି ଏହା ଆହୁରି ୨.୮ବଢ଼ି ୧୯ ଡିଗ୍ରିରେ ପହଞ୍ଚିଛି। ଫଳରେ ରାଜଧାନୀରୁ ଶୀତ ଗାଏବ ପ୍ରାୟ ହୋଇଯାଇଛି। ଏହାବ୍ୟତୀତ ବାଲେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି, କଟକଠାରେ ୧୮.୪ ଡିଗ୍ରି, ପାରାଦୀପରେ ୨୦ ଡିଗ୍ରି, ଗୋପାଳପୁରରେ ୧୯.୮ ଡିଗ୍ରି ଓ ପୁରୀରେ ୨୦.୬ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟରେ ଏବେ ଶୀତ ସମ୍ପୂର୍ଣ୍ଣ କମି ଯାଇଛି। ଜାନୁଆରି ଶେଷ ପର୍ଯ୍ୟନ୍ତ ଏଭଳି କମ୍ ଶୀତ ଅନୁଭବ ହେବ।