ଶୀତ ବଢ଼ିବ, କୁହୁଡ଼ି ପଡ଼ିବ

ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ

ଭୁବନେଶ୍ବର : ପଶ୍ଚିମା ଝଡ଼ ତଥା ନିମ୍ନ ଚାପରେଖା ଯୋଗୁଁ ଗତ ୯ ତାରିଖରୁ ରାଜ୍ୟରେ ‌ଲାଗି ରହିଥିବା କୋହଲା ପାଗରେ ପରିବର୍ତ୍ତନ ଘଟିଛି। ଆଜିଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଶୀତ ବଢ଼ିବ ଓ କୁହୁଡ଼ି ବି ପଡ଼ିବ। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

କେନ୍ଦ୍ର କହିଛି ଯେ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ଓ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ସର୍ବାଧିକ ବର୍ଷା ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ୪୮.୬ ମିମି ଓ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୪୩.୮ ମିମି ରେକର୍ଡ ହୋଇଛି। ସର୍ବନିମ୍ନ ତାପମାତ୍ରା ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ କେନ୍ଦୁଝରରେ ୧୩.୮ ଡିଗ୍ରି ଓ ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରି ରେକର୍ଡ ହୋଇଥିବା ଜଣାପଡ଼ିଛି। ଏଥିସହ ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୬.୪ଡିଗ୍ରି ରେକର୍ଡ ହୋଇଛି। ସାରା ରାଜ୍ୟରେ ଏବେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୪ ଦିନରେ ଏଥିରେ ଉଲ୍ଳେଖନୀୟ ପରିବର୍ତ୍ତନ ଦେଖାଯିବ।

କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ସକାଳେ ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ପଡ଼ିବାର ଅଧିକ ସମ୍ଭାବନା ରହିଛି। ୧୭ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ଅନୁଗୁଳର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୧୭ତାରିଖ ଦିନ ଏବଂ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ୧୮ତାରିଖ ଦିନ ଘନକୁହୁଡ଼ି ପଡ଼ିବ। ଏଣୁ ପାଣିପାଗ ବିଭାଗ ଏହି ଦୁଇଦିନ ପାଇଁ ଏହି ସବୁ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି କରିଛି।

ସମ୍ବନ୍ଧିତ ଖବର