ରାଜ୍ୟରେ ଥିବା ଅଧାରୁ ଅଧିକ ଶୀତଳଭଣ୍ଡାର ଅଚଳ: କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ରାଜ୍ୟରେ ମୋଟ ୧୨୩ଟି ଶୀତଳ ଭଣ୍ଡାର ଥିବାବେଳେ ସେଥି ମଧ୍ୟରୁ ୭୯ଟି ଅଚଳ ଅବସ୍ଥାରେ ଅଛି । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ଟି ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ ୧୮ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ନାହିଁ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ବିଧାନସଭାରେ କହିଛନ୍ତି । ଏହା ସହ ଆହୁରି କହିଛନ୍ତି ଯେ ଯେହେତୁ ଶୀତଳ ଭଣ୍ଡାରଗୁଡିକୁ ଶିଳ୍ପ ଭାବେ ଗଣା ଯାଉଛି ତାହାର ବିଦ୍ୟୁତ ଦର ୟୁନିଟ ପିଛା ୪ ଟଙ୍କା ୩୦ ପଇସା ରହିଛି ।

ତେଣୁ ରାଜ୍ୟ ସରକାର ଓଇଆରସିକୁ ଶୀତଳ ଭଣ୍ଡାରଗୁଡିକୁ କୃଷି ଭିତ୍ତିକ ଶିଳ୍ପରେ ପରିଣତ କରିବା ପାଇଁ ପ୍ରସ୍ତାଵ ଦେଇଛନ୍ତି । ଏହା ଦ୍ୱାରା ବିଦ୍ୟୁତ ଜନିତ ଖର୍ଚ୍ଚ କମିବ । ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ବର୍ଷ ଶୀତଳ ଭଣ୍ଡାରରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ ୫୦ ପ୍ରତିଶତ ରିହାତି ଦେଉଛନ୍ତି । ଏହା ସହ ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ୧ ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି ।

ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶକୁ ୭୦୦ ମେଟ୍ରିକ ଟନ ଚାଉଳ ପଠାଯାଉଥିବାବେଳେ ଆଗକୁ ୧ ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ରଖିଛନ୍ତି ।

ସମ୍ବନ୍ଧିତ ଖବର