ସମ୍ବଲପୁର: ଅଇଁଠାପାଲି ଛକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ କଲେଜ୍ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି କ୍ଷେତରାଜପୁର ଥାନା ପୋଦ୍ଦାର କଲୋନିର ଅଭିମନ୍ୟୁ ଭଗତଙ୍କ ବଡ଼ ଝିଅ ସୋନାଲ ଭଗତ(୨୧)। ଛାତ୍ରୀଙ୍କ ମୃତ୍ୟୁ ପରେ ଅଇଁଠାପାଲି ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନା ଅନୁଯାୟୀ, ବୁଢ଼ାରଜା ସ୍ଥିତ ରାଜକୁମାର କଲେଜ୍ ଅଫ୍ ଆଇଟି ମ୍ୟାନେଜ୍ମେଣ୍ଟରେ ବିସିଏ ଦ୍ବିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ସୋନାଲ। ମଙ୍ଗଳବାର ସକାଳ ସାଢ଼େ ୧୦ଟାରେ ତାଙ୍କର ପ୍ରଥମ କ୍ଲାସ୍ ଥିଲା। କଲେଜ୍ ଆସୁଥିବା ବେଳେ ଅଇଁଠାପାଲି ଛକରେ ସକାଳ ୧୦ଟା ପାଖାପାଖି ଏକ ଟ୍ରକ୍(ଓଡି ୧୯ଜି ୬୭୭୬) ତାଙ୍କ ସ୍କୁଟି(ଓଡି ୧୫ଏନ୍ ୭୮୧୧)କୁ ଧକ୍କା ଦେଇଥିଲା। ଟ୍ରକ୍ଟି ଧକ୍କା ଦେବା ପରେ ସୋନାଲଙ୍କୁ ଚଢ଼ାଇ ଦ୍ରୁତ ଗତିରେ ଚାଲି ଯାଇଥିଲା। ସୋନଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫେରାର୍ ହୋଇଯାଉଥିବା ଟ୍ରକ୍କୁ ପୁଲିସ ପିଛା କରି ଭାଲୁପାଲି ନିକଟରେ ଧରିଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଟ୍ରକ୍ ଚାଳକ ଢେଙ୍କାନାଳ ବାଲିମି ଥାନା ଗୁଲେହି ଗାଁର ଅଶ୍ବିନୀ ସିଂକୁ ପୁଲିସ ଗିରଫ କରିଛି।