ଭୁଶୁଡ଼ିବ ମାନପୁର ଓଭରବ୍ରିଜ୍‌ ! ହଜାର ହଜାର ଭାରୀଯାନର ଚାପ ଯୋଗୁ ଦୁର୍ବଳ ହେବାରେ ଲାଗିଛି

ଦ୍ବିତୀୟ ଓଭରବ୍ରିଜ୍‌ ନିର୍ମାଣରେ ମନ୍ଥରତା

ଦାନଗଦୀ: ଯାଜପୁରରୋଡ୍‌ରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯୋଗାଯୋଗ କରୁଥିବା ମାନପୁର ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ହଜାର ହଜାର ମାଲ୍‌ବାହୀ ଗାଡ଼ି ତଥା ଟନ୍‌ ଟନ୍‌ ଓଜନର ଭାରୀଯାନ ଏହି ଓଭରବ୍ରିଜ୍‌ ଉପରେ ଚଳାଚଳ କରୁଥିବାରୁ ଏହା ଦୁର୍ବଳ ହେବାରେ ଲାଗିଛି। ଏହାବାଦ୍‌ ଶହଶହ ଯାତ୍ରୀବାହୀ ବସ୍‌, ଶିଳ୍ପାଞ୍ଚଳ କର୍ମଚାରୀ ଗାଡ଼ି ଏହା ଉପରେ ଦେଇ ଯାତାୟାତ କରୁଛନ୍ତି। ସର୍ବାଧିକ ବ୍ୟସ୍ତବହୁଳ ଶିଳ୍ପାଞ୍ଚଳ ରାସ୍ତାରେ ଥିବା ଏହି ରେଲୱେ ଓଭରବ୍ରିଜ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ ଏଥିପ୍ରତି କାହାରି ସାମାନ୍ୟ ନିଘା ନାହିଁ। ଓଭରବ୍ରିଜ୍‌ ଦୁଇ ପାର୍ଶ୍ବରେ ଥିବା ପାଦଚଲା ରାସ୍ତାରେ ଥିବା ସ୍ଲାବ୍‌ କଣାହୋଇଛି।

ଏଥିରେ କିଏ କେତେବେଳେ ଗଳିପଡ଼ିବାର ଆଶଙ୍କା ମଧ୍ୟ ରହିଛି। ଏବେ ଏହି ବ୍ରିଜରେ ଅଧିକାଂଶ ସ୍ଥାନରେ ଭାଙ୍ଗିଯାଇଛି। କଂକ୍ରିଟ ଉଠିଯାଇ ଲୁହାଛଡ଼ ଦେଖାଯାଉଛି। କେତେବେଳେ ଏହି ପୋଲଟି ଭୁଶୁଡ଼ି ପଡ଼ିବ କେହି କହିପାରିବେନାହିଁ। ମାନପୁର ରେଳ ସାଇଡିଂରୁ ଶହଶହ ମାଲବାହୀ ହାଇୱା, ଭାରୀଯାନ ବିଭିନ୍ନ କାରଖାନାକୁ ଏହା ଉପରଦେଇ ମାଲ ପରିବହନ କରିଥାନ୍ତି। ଅଧିକାଂଶ ସମୟରେ ଏହି ଓଭର ବ୍ରିଜ ଜାମ୍‌ ରହୁଥିବାବେଳେ ମାତ୍ରାଧିକ ମାଲବାହୀ ଗାଡ଼ି ଚଳାଚଳ ଯୋଗୁଁ ଭୁଶୁଡ଼ିବା ଆଶଙ୍କା ରହିଛି। ଅପରପାର୍ଶ୍ବରେ ଆଉ ଏକ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲେ ହେଁ ତାହା କୌଣସି କାରଣରୁ ଆଗେଇପାରୁନାହିଁ।

ଉଲ୍ଲେଖଯୋଗ୍ୟ ଯେ ମାନପୁର ଓଭରବ୍ରିଜ୍‌ ସମ୍ପୂର୍ଣ୍ଣ ହେବାକୁ ୭ ବର୍ଷ ଲାଗିଥିଲା। ୨୦୧୧ରେ ଆନ୍ଧ୍ରର ଏକ ଠିକାସଂସ୍ଥା ଭି ବାବୁ ରାଓ ୧୬ କୋଟି ୩୪ ଲକ୍ଷ ୪୪ ହଜାର ଟଙ୍କା ବ୍ୟୟ ଅଟକଳରେ କର୍ଯ୍ୟାଦେଶ ପାଇଥିଲେ ମଧ୍ୟ କାମ ସଂପୂର୍ଣ୍ଣ କରିବାରେ ଅକ୍ଷମ ହୋଇଥିଲା। ସମ୍ପୃକ୍ତ ଠିକାସଂସ୍ଥା ଅଧାପନ୍ତରିଆ କାମ କରି ପଳାଇବା ପରେ ଯାଜପୁରର ବିରଜା କନ୍‌ଷ୍ଟ୍ରକ୍ସନ ପୁନର୍ବାର ୫ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମାଣ ସଂପୂର୍ଣ୍ଣ କରିଥିଲା। ୨୦୧୮ ଏପ୍ରିଲ ୨୪ରେ ଲୋକାର୍ପିତ ହେବା ପରଠାରୁ ଏହାର ମାନକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରି ହୋଇପଡ଼ିଛି।

ସମ୍ବନ୍ଧିତ ଖବର