ସୁକତେଲ ସେତୁ ଭୁଶୁଡିବା ଘଟଣାରେ ନିର୍ମାଣକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ ପ୍ରସଂଗ: ସାନି ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ତମିଆଁ-ମୁଦଲସର ଠାରେ ନିର୍ମିତ ସୁକ୍‌ତେଲ ସେତୁ ଭୁଶୁଡିବା ଘଟଣାରେ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ (ବ୍ଲାକଲିଷ୍ଟ) କରାଯିବା ପ୍ରସଂଗରେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ପରେ ନିର୍ମାଣକାରୀ ସଂସ୍ଥା ରାମ କୁମାର ଅଗ୍ରୱାଲ ଇଂଜିନିୟର୍ସ ପ୍ରାଇଭେଟ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ଏହି ପ୍ରସଂଗରେ ପୁନର୍ବିଚାର ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ନିର୍ମାଣକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ ନିଷ୍ପତ୍ତି ନିଆଯାଇଥିଲା। ସଂସ୍ଥାକୁ ପକ୍ଷ ରଖିବାକୁ ସୁଯୋଗ ଦିଆ ନ ଯାଇ କଳାତାଲିକାଭୁକ୍ତ କରାଯିବା ପ୍ରସଂଗରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଏଥି ସହିତ କଳାତାଲିକାଭୁକ୍ତ ସଂପର୍କିତ ନିର୍ଦ୍ଦେଶନାମାରେ କୌଣସି ଅବଧି ନେଇ ଉଲ୍ଲେଖ କରାଯାଇ ନଥିଲା। ଏଥି ପାଇଁ ରହିଥିବା ପ୍ରକ୍ରିୟା ଅନୁସରଣ କରାଯାଇ ନଥିଲା। ଏଭଳି ସ୍ଥିତିରେ ଆବେଦନକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ ପ୍ରସଂଗରେ ପୁନର୍ବାର ବିଚାର କରି ସାନି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରୁରାଲ ୱାର୍କସ୍ ସର୍ବୋଚ୍ଚ ଯନ୍ତ୍ରୀ ଏହି ପ୍ରସଂଗରେ ପୁନର୍ବାର ଯାଞ୍ଚ କରିବେ। ଆବେଦନକାରୀ ସଂସ୍ଥାକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ। ଏହାପରେ ସର୍ବୋଚ୍ଚ ଯନ୍ତ୍ରୀ ଏହି ପ୍ରସଂଗରେ ଆଇନ ଅନୁସାରେ ଯୁକ୍ତିଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ। ତିନି ମାସ ଭିତରେ ଏହି ପ୍ରସଂଗରେ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜ‌ଷ୍ଟିସ ବି.ଆର.ଷଡଙ୍ଗୀ ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାମ କୁମାର ଅଗ୍ରୱାଲ ଇଂଜିନିୟରର୍ସ ସଂସ୍ଥା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁକତେଲ ନଦୀ ଉପରେ ବିଜୁ ସେତୁ ଯୋଜାନରେ ସେତୁ ନିର୍ମାଣ ପାଇଁ ପାଟଣାଗଡ ରୁରାଲ ୱାର୍କସ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆବେଦନକାରୀ ସଂସ୍ଥା ୨୦୧୪, ଫେବ୍ରୁଆରି ୨୬ରେ ଚୁକ୍ତି ସ୍ବାକ୍ଷର କରିଥିଲା। ଏଥି ପାଇଁ ୬ କୋଟି ୯୯ ଲକ୍ଷ ୯୭ ହଜାର ୨୭୮ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୦୧୬, ଫେବ୍ରୁଆରି ୨୫ ଭିତରେ ସେତୁ ନର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ସେତୁ ନିର୍ମାଣ କାର୍ଯ୍ୟ ‌େଶଷ ହୋଇଥିଲା ଓ ଏ ବାବଦ ବିଲ ମଧ୍ୟ ମଞ୍ଜୁର କରାଯାଇଥିଲା। ନବ ନିର୍ମିତ ସେତୁ ହସ୍ତାନ୍ତରର ସାଢେ ଚାରି ବର୍ଷ ପରେ ୨୦୨୦, ଫେବ୍ରୁଆରି ୨୬ରେ ସେତୁରେ କେତେକ ଫାଟ ରହିଥିବା ସ୍ପଷ୍ଟ ହୋଇଥିଲା। ସେତୁ ମରାମତି ବେଳେ ଭୁଶୁଡ଼ି ପଡିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ୨୦୨୦, ‌ଏପ୍ରିଲ ୨୬ର ଏହି ଘଟଣା ପରେ ଆବେଦନକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ପାଇଁ ରୁରାଲ ୱାର୍କସ ବିଭାଗ ନିଷ୍ପତ୍ତି ନେଇଥିଲା। ୨୦୨୦, ଜୁନ୍ ୨ର କଳା ତାଲିକାଭୁକ୍ତ ସଂପର୍କିତ ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରୀ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର