ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ୍ କଇଠଖଣ୍ଡି ପଞ୍ଚାୟତ ବୋରିପଦର ନୋଡାଲ୍ ଉଚ୍ଚବିଦ୍ୟାଳୟର ୨ଟି ଶ୍ରେଣୀଗୃହର ଆଜବେଷ୍ଟ୍‌ସ ଓ ଟିଣ ଛପର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟକୁ ୩୯ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ସରକାର ସ୍ମାର୍ଟ ସ୍କୁଲ୍ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନ୍ୟପଟେ ବିଦ୍ୟାଳୟର ଭଙ୍ଗା ଦଦରା ଆଜବେଷ୍ଟ୍‌ସ ଭଶୁଡ଼ି ପଡ଼ିବା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ବୋରିପଦର ନୋଡାଲ୍ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବର୍ତ୍ତମାନ ବିଦ୍ୟାଳୟରେ ମୋଟ ୩୮୧ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସ୍ଥାନୀୟ ୨୫ ଖଣ୍ଡ ଗ୍ରାମର ଛାତ୍ରଛାତ୍ରୀ ନିର୍ଭର କରୁଥିବା ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହର ଘୋର ଅଭାବ ରହିଛି। ଫଳରେ ଷଷ୍ଠ ଓ ସପ୍ତାମଶ୍ରେଣୀ ପିଲାମାନେ ୧୯୭୫ ମସିହାରେ ନିର୍ମିତ ହୋଇଥିବା ଏକ ବିପଦସଂକୁଳ ଟିଣ ଛପର ଘରେ ବସି ପଢୁଥିଲେ। ତେବେ ଆଜି ବିଦ୍ୟାଳୟର ଅଧ୍ୟାହ୍ନ ଛୁଟି ହୋଇଥିବା ବେଳେ ଛାତ୍ରଛାତ୍ରୀ ସବୁ ଖାଇବା ପାଇଁ ଯାଇଥିଲେ। ଆଉ ଠିକ୍ ଏତିକି ବେଳେ ବିଦ୍ୟାଳୟର ଭଙ୍ଗା ଦଦରା ଟିଣ ଛପରଟି ଭୁଶୁଡ଼ି ପଡ଼ିଥିଲା। ୨ ଶ୍ରେଣୀର ୩୯ ଛାତ୍ରଛାତ୍ରୀ ନିଶ୍ଚିତ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ସେହିପରି ବିଦ୍ୟାଳୟର ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଏକ ପୁରୁଣା ବାତ୍ୟା ଆଶ୍ରୟସ୍ଥଳରେ ପଢ଼ାଯାଉଛି। ୩୦ ବର୍ଷ ତଳେ ନିର୍ମିତ ଏହି ବାତ୍ୟା ଆଶ୍ରୟସ୍ଥଳର ଛାତ ଓ କାନ୍ଥରୁ ପଲସ୍ତରା ଖସୁଛି। ଫଳରେ କେତେବେଳେ କଣ ଘଟିବ ତାହା କହି ହେଉନାହିଁ। ତୁରନ୍ତ ନୂତନ କୋଠା ନିର୍ମାଣ କରିବା ପାଇଁ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ଼, ଅଭିଭାବକ ସଂଘ କର୍ମକର୍ତ୍ତା ଓ ଗ୍ରାମବାସୀ ଦାବି କରିଛନ୍ତି।