ଧସୁଛି ବୈତରଣୀ ନଦୀବନ୍ଧ: ବିପଦରେ ଜାତୀୟ ରାଜପଥ

ସ୍ଥିତି ଅନୁଧ୍ୟାନ କଲା ସ୍ବତନ୍ତ୍ର ଟିମ୍‌

ଭଦ୍ରକ: ଭଦ୍ରକ ଜିଲ୍ଲା ଦେଇ ବୋ‌ହିଯାଇଥିବା ବୈତରଣୀ ନଦୀର ବନ୍ଧ ସୁଦୃଢ଼ୀକରଣ ପାଇଁ ବାରମ୍ବାର ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଭଦ୍ରକର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ବାସୀ ଦୁର୍ବଳ ନଦୀବନ୍ଧ ପାଇଁ ବନ୍ୟାର ସମ୍ମୁଖୀନ ହେଉଛନ୍ତି। ବୈତରଣୀ ନଦୀର ବାମ ପାର୍ଶ୍ବରେ ଦୁର୍ବଳ ମାଟିବନ୍ଧ ଥିବାରୁ ବନ୍ୟାରେ ନଦୀ କୂଳ ଲଂଘୁଛି। ଏହାଦ୍ବାରା ଅନେକ ଧନଜୀବନ ନଷ୍ଟ ହେଉଛି। କେଳବ ବର୍ଷାଦିନରେ ନୁହେଁ, ଅନ୍ୟ ସମୟରେ ମଧ୍ୟ ନଦୀବନ୍ଧ ଧସୁଛି। କିଛିଦିନ ତଳେ ବୈତରଣୀ ନଦୀ ବନ୍ଧ ବୋଡକ ଠାରେ ୨୦ ନମ୍ବର ଜାତୀୟ ରାଜପଥର ୧୦୦ ଫୁଟ୍‌ ଅଂଶ ଧସିଯାଇଛି। ଫଳରେ କୁଆଖିଆ ଭାୟା ଆରଡି ଠାରୁ ଭାୟା ସାତଭାୟା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଜାତୀୟ ରାଜପଥ ଦେଇ ପ୍ରତିଦିନ କଟକ-ଭୁବନେଶ୍ବରରୁ ଆରମ୍ଭ କରି କେନ୍ଦ୍ରପଡ଼ା, ଜଗତସିଂହପୁର ଆଦି ଅଞ୍ଚଳକୁ ଛୋଟବଡ଼ ଗାଡ଼ି ଦ୍ବାରା ଲୋକମାନେ ଯାତାୟାତ କରିଥାଆନ୍ତି। ଏହା ସହ ଯାଜପୁରର ମା’ ବିରଜା  କ୍ଷେତ୍ର, ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ ଏଇ ଜାତୀୟ ରଜାପଥ ଦ୍ବାରା ସଂଯୋଗ ହୋଇଛି। ବୈତରଣୀ ବନ୍ଧ ନିକଟରେ ଥିବା ଜାତୀୟ ରାଜପଥ ବାରମ୍ବାର ଧସୁଛି। ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଦ୍ବାରା ମରାମତି କରାଯାଉଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ତାହା ସ୍ଥାୟୀ ହେଉ ନ ଥିବା ଲୋକେ ଅଭଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଜଳସଂପଦ ବିଭାଗ ପକ୍ଷରୁ ବୈତରଣୀ ନଦୀବନ୍ଧର ସୁରକ୍ଷା ପାଇଁ ସ୍ଥାୟୀ ପ୍ରତିକାର କରାଯାଉ ନଥିବା ମଧ୍ୟ ଅଭିଯୋଗ ଉଠିଛି। ବୈତରଣୀ ନଦୀରେ କୁମ୍ଭୀର ରହୁଥିବାରୁ ଜୁଆର ସମୟରେ କୁମ୍ଭୀର ଆତଙ୍କ ଘାରୁଛି। ରାସ୍ତାଟି ନଦୀ ଆଡ଼କୁ ଢଳି ରହିଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଭଦ୍ରକ ଅନ୍ତର୍ଗତ ବୈତରଣୀ ନଦୀର ବାମ ଓ ଦକ୍ଷିଣ ପାର୍ଶ୍ବ ନଦୀବନ୍ଧ ମରାମତି ଦାୟିତ୍ବ ଯାଜପୁର ଜଳସଂପଦ ବିଭାଗର ହୋଇଥିବା ବେଳେ ବିଭାଗ ତାକୁ ଗୁରୁତ୍ବ ଦେଉନି। ତେବେ ଏପରି ସମୟରେ ତୁରନ୍ତ ନଦୀବନ୍ଧ ସୁଦୃଢ଼ୀକରଣ ନେଇ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହୋଇଛି। ଏଠାରେ ସୂଚନା ଥାଉକି ଗତକାଲି ଏକ ସ୍ବତନ୍ତ୍ର ଟିମ୍ ଆସି ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିଯାଇଛନ୍ତି।

ସମ୍ବନ୍ଧିତ ଖବର