ରାୟଗଡ଼ା: ରାୟଗଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପୂର୍ବରୁ ପିସିସି ସାଧାରଣ ସଂପାଦକ ଭାବେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ଏବଂ କାର୍ଯ୍ୟକାରିଣୀ କମିଟିରେ ସାଂସଦ ସପ୍ତଗିରି ଉଲାକାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବାରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଜିଲ୍ଲା ସଭାପତି ଶ୍ରୀ ପଣ୍ଡା ଏବଂ ସାଂସଦ ଶ୍ରୀ ଉଲାକା ବିଜେଡିର ଦୁର୍ନୀତି ସଂପର୍କରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପ୍ରିଲ ୧୮ ତାରିଖରେ ଟ୍ରକ ସଂଘର କର୍ମକର୍ତ୍ତା ଗତ ୪୦ ବର୍ଷ ଧରି ନକ୍ସଲ ନାଁରେ ଟ୍ରକ ମାଲିକଙ୍କଠାରୁ ଟନ୍ ପିଛା ୫୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ନେଇ ଥାନାରେ ଏତଲା ଦେଇଥିଲେ।

Advertisment

publive-image

କଂଗ୍ରେସ ଏହି ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ ଦାବି କରିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ତୁରନ୍ତ ପୂର୍ବତନ ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି। ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ବିଜେଡି ଦଳର ନେତା ଏ ଭଳି କାମ କରିବା ନିନ୍ଦନୀୟ। ପ୍ରତି ବର୍ଷ ୩ରୁ ୪ କୋଟି ଟଙ୍କା ଆତ୍ମସାତ କରାଯାଉଥିଲା। ଅଭିଯୋଗର ସତ୍ୟତା ପ୍ରମାଣ କରିବା ସହ ଯଦି ଅଭିଯୋଗ ମିଥ୍ୟା ହୋଇଥାଏ ତେବେ ଟ୍ରକ ମାଲିକ ସଂଘ ନାମରେ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଂସଦ ଦାବି କରିଛନ୍ତି। ହୋଇଥିବା ଅଭିଯୋଗ ସମ୍ପର୍କରେ ୧୫ ଦିନ ମଧ୍ୟରେ ପୁଲିସ୍ କୌଣସି ପଦକ୍ଷେପ ନ ନେଲେ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ଏବଂ ଏଥି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପଣ୍ଡା, ସାଂସଦ ଉଲାକାଙ୍କ ସମେତ ବିଧାୟକ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରକା, ଜିଲ୍ଲା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅସଲାମ ଖାନ୍, ଅନିଲ ଜୈନ, ସୁନୀଲ ପଣ୍ଡା, ଅଙ୍ଗଦ ନାୟକ, ବାପି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।