ମୋଟର ଯାନ ଉପରେ କଡ଼ା ନଜର, ଗୋଟିଏ ଦିନରେ ୪ ଲକ୍ଷ ଜରିମାନା ଆଦାୟ

ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ମୋଟର ଯାନ ଯାଞ୍ଚ ଉପରେ ଗୁରୁତ୍ବ ଦିଆଯିବା ସହ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଶୁକ୍ରବାର ମୋଟ ଉପରେ ୩୧୧ ଜଣଙ୍କ ଚାଲାଣ କଟାଯାଇଥିବା ବେଲେ ୪ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ସହିତ ସାମୟିକ ଭାବେ ୧୧ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ୨୪୬ ଜଣ ଅମାନିଆଙ୍କୁ ୨ ଲକ୍ଷ ୪୯ ହଜାର ଟଙ୍କା, ଅଧିକ ବେଗରେ ଗାଡ଼ି ଚଳାଉଥିବା ୨୨ ଜଣ ଅମାନିଆଙ୍କୁ ୪୩ ହଜାର ଟଙ୍କା, ସିଟ୍‌ବେଲ୍ଟ ବିନା ଗାଡ଼ି ଚଳାଉଥିବା ୧୧ ଜଣ ଅମାନିଆଙ୍କୁ ୧୧ ହଜାର ଟଙ୍କା, ଓଭରଲୋଡିଂ ଓ ଟ୍ରିପଲ୍‌ ରାଇଡିଂ ପାଇଁ ୧୫୬ ଜଣ ଅମାନିଆଙ୍କୁ ୧୫ ହଜାର ଏବଂ ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ୧୭ ଜଣ ଅମାନିଆଙ୍କୁ ୮୫ ହଜାର ଟଙ୍କା ଜରିମାନା କରାଯାଇଛି।

ଏହା ସହିତ କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ଜିଲ୍ଲାରେ ମାସ୍କ ଓ ସାମାଜିକ ଦୂରତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଯେଉଁମାନେ ଏହା ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କଠୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଶୁକ୍ରବାର ଜିଲ୍ଲାରେ ମାସ୍କ ପିନ୍ଧି ନଥିବା ମୋଟ ୫୧୯ ଜଣଙ୍କ ଠାରୁ ୧ ଲକ୍ଷ ୩୨ ହଜାର ୬ ଶହ ଟଙ୍କା ଏବଂ ସାମାଜିକ ଦୂରତା ଉଲ୍ଲଙ୍ଘନ କରିଥିବା ୯୨ ଜଣଙ୍କଠାରୁ ୨୩ ହଜାର ଶହେ ଟଙ୍କା ଜରିମାନା ଆଦାୟ କରାଯାଇଛି। ଶନିବାର ମଧ୍ୟ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ମାସ୍କ ଓ ମୋଟର ଯାନ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଜରିମାନା କରାଯାଉଥିବା ଦେଖିବାକୁ ମିଳିଛି। ସମ୍ବଲପୁର ଏସ୍‌ପି ବି ଗଙ୍ଗାଧର ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ତଦାରଖ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର