ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ ପାଇଁ ଟଙ୍କା ଆଦାୟ

ପ୍ରତିବାଦ କରିବାରୁ ମହିଳା ପ୍ରଶାସନିକ ଅଧିକାରୀ-ଦଇତାପତି ଠେଲାପେଲା

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଏବେ ଅଣସର ନୀତି ଚାଲିଛି। ଅଣସର ଘରେ ବିଜେ ମହାପ୍ରଭୁଙ୍କ ଘନ ଅନ୍ଧାରରେ ଗୁପ୍ତ ନୀତି ଚାଲିଛି। ଶ୍ରୀଜିଉଙ୍କ ବଦଳରେ ଏବେ ଜୟ-ବିଜୟ ଦ୍ବାର ନିକଟରେ ପଟିଦିଅଁ ଦର୍ଶନ ଦେଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କୁ ଦର୍ଶନ କରି ଫେରୁଛନ୍ତି। ଏଭଳି ସ୍ଥିତିରେ ଜୋର ଜବରଦସ୍ତ ଟଙ୍କା ଆଦାୟକୁ ନେଇ ଭକ୍ତ-ସେବାୟତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଶ୍ରୀମନ୍ଦିରରେ ଦାନଦକ୍ଷିଣା ଆଦାୟ ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିବାବେଳେ ଏହାର ଖୋଲା ଉଲ୍ଲଂଘନ କରି ଦଇତାପତି ସେବକମାନେ ପଟିଦିଅଁଙ୍କୁ ପାଖରୁ ଦର୍ଶନ କରାଇ ଦେବା ପାଇଁ ଭକ୍ତଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏହାକୁ ବିରୋଧ କରିବାରୁ ଜଣେ ମହିଳା ପ୍ରଶାସନିକ ଅଧିକାରୀ ଓ ଦଇତାପତି ସେବକଙ୍କ ମଧ୍ୟରେ ଗତକାଲି ରାତିରେ ମୁହାଁମୁହିଁ ସହ ଠେଲାପେଲା ପରିସ୍ଥିତି ଉପୁଜିଛି। ପରେ ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାର ଆପୋସ ସମାଧାନ କରାଯାଇଛି। ମହିଳା ପ୍ରଶାସନିକ ଅଧିକାରୀ ଜଣକ ଜଣେ ଡେପୁଟି କଲେକ୍ଟର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସ୍ନାନଯାତ୍ରା ପରଠାରୁ ଜୟ-ବିଜୟ ଦ୍ବାର ନିକଟରେ ପଟଦିଅଁ ପୂଜା ପାଉଛନ୍ତି। ବାହାର କାଠରୁ ଭକ୍ତମାନେ ପଟଦିଅଁଙ୍କୁ ଦର୍ଶନ କରୁଛନ୍ତି। କିନ୍ତୁ ଦଇତାପତି ସେବକମାନେ ବାହାର କାଠ ଡେଇଁ ପଟଦିଅଁଙ୍କ ପାଖକୁ ଭକ୍ତଙ୍କୁ ନେବାକୁ ଜଣକ ପିଛା ୨୦ ଟଙ୍କା ଲେଖାଏଁ ଟଙ୍କା ଆଦାୟ କରୁଛନ୍ତି। ଗତକାଲି ମହିଳା ପ୍ରଶାସନିକ ଅଧିକାରୀ ନିଜ ସ୍ବାମୀ ଓ ପୁଅ ସହ ଶ୍ରୀମନ୍ଦିରକୁ ଆସିଥି‌ଲେ। ପଟିଦିଅଁଙ୍କୁ ଦର୍ଶନ କରିବାକୁ ସମସ୍ତ ଭକ୍ତ ଯାଉଥିବା ଦେଖି ମହିଳା ପ୍ରଶାସନିକ ଅଧିକାରୀ ସ୍ବାମୀ ଓ ପୁଅ ସହ ଭିତରକୁ ଯିବାକୁ ଚାହିଥିଲେ। କିନ୍ତୁ ଟଙ୍କା ନ ଦେଲେ ଭିତରକୁ ଛଡ଼ାଯିବନି ବୋଲି ଉପସ୍ଥିତ ଦଇତାପତି ସେବକମାନେ କହିଥିଲେ। ଏହାକୁ ନେଇ ଯୁକ୍ତିତର୍କ ଓ ପରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ମହିଳା ପ୍ରଶାସନିକ ଅଧିକାରୀ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ବିବାଦ ଉଗ୍ରରୂପ ନେବାରୁ ପରେ ଗାରଦରେ ଦୁଇପକ୍ଷଙ୍କୁ ଡକାଇ ଆଲୋଚନା କରାଯାଇଥିଲା। ପରିମାଣିକ ଦର୍ଶନ ବାବଦକୁ ଏହି ଟଙ୍କା ଆଦାୟ ହେଉଥିବା ଦଇତାପତି ସେବକମାନେ ଯୁକ୍ତି ବାଢ଼ିଥିଲେ। କିନ୍ତୁ ପରିମାଣିକ ଦର୍ଶନ ବାବଦ ଟଙ୍କା ପରେ ଦିଆଯିବ, ଏବେ ଟଙ୍କା ଆଦାୟ କରନି ବୋଲି ଜିଲ୍ଲାପାଳ କହିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ଆଦେଶକୁ କେହି ମାନି ନଥିବା ଦେଖିବାକୁ ମିଳିଛି। ଆଜି ବି ପ୍ରତ୍ୟେକ ଭକ୍ତଙ୍କଠାରୁ ୨୦ ଟଙ୍କା ଆଦାୟ ହେଉଥିବା ଦେଖିବାକୁ ମିଳିଛି। ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି।

ଅନ୍ୟପଟେ ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ପ୍ରତିବର୍ଷ ପରିମାଣିକ ଦର୍ଶନ ବାବଦକୁ ଏହି ଟଙ୍କା ଆଦାୟ କରାଯାଏ। ଗତକାଲି ମହିଳା ଜଣକ ଅଯଥା ଯୁକ୍ତି କରିବା ସହ ଦର୍ଶନର ବାଟ ଓଗାଳିଥିଲେ। ଏଣୁ ଉପସ୍ଥିତ ଦଇତାପତିମାନେ ତାଙ୍କୁ ବାଟରୁ ହଟିଯିବାକୁ କହିଥିଲେ। କିନ୍ତୁ ସେ ହଟିନଥିଲେ। ଯେଉଁଥିପାଇଁ ଯୁକ୍ତିତର୍କ ପରିସ୍ଥିତି ଉପୁଜିଥିଲା। ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇସାରିଛି। କିନ୍ତୁ ପ୍ରଶାସନିକ ଅଧିକାରୀ ଜଣକ ଏହାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର