କଟକ : ରୋଗୀଙ୍କ ପାଇଁ ଘୋଷଣା ହୋଇଥିବା ‘ନିଦାନ’ ଯୋଜନାକୁ ନେଇ ଏସ୍ସିବି ମେଡିକାଲ୍ରେ ବିବାଦୀୟ ସ୍ଥିତି ଦେଖାଦେଇଛି। ବର୍ଷ ଆରମ୍ଭରୁ ସମସ୍ତ ସରକାରୀ ମେଡିକାଲ୍ରେ ସବୁ ପ୍ରକାରର ପରୀକ୍ଷା ଗୁଡ଼ିକ ମାଗଣାରେ କରାଯିବାକୁ ସରକାର ଘୋଷଣା କରିଥିଲେ। ହେଲେ ପ୍ରଥମ ଦିନରେ କିଛି ରୋଗୀଙ୍କଠୁ ପରୀକ୍ଷା ବାବଦ ୟୁଜର୍ସ ଫି’ଆଦାୟ କରାଯାଇଥିଲା। ଏହାକୁ ନେଇ ରୋଗୀ ସମ୍ପର୍କୀୟମାନେ ଅସନ୍ତୁଷ୍ଟ ହେବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ମେଡିକାଲ୍ ପକ୍ଷରୁ ସମସ୍ତ ଚିକିତ୍ସା ମାଗଣାରେ ହେବାକୁ ଘୋଷଣା କରାଯିବା ସହ ଦାଖଲ ଫି’କୁ ଫେରସ୍ତ କରାଯାଇଥିଲା।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ‘ନିଦାନ’ ଯୋଜନା ଅଧିନରେ ଜାନୁଆରି ୧ ତାରିଖରୁ ସମସ୍ତ ପରୀକ୍ଷା ମାଗଣାରେ କରାଯିବ। କିନ୍ତୁ କିଛି ବିଭାଗ ମଧ୍ୟରେ ସୂଚନା ଆଦାନ ପ୍ରଦାନରେ ତାଳମେଳ ନରହିବାରୁ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସୋମବାର ସକାଳୁ କିଛି ରୋଗୀ ସମ୍ପର୍କୀୟ ସିଟି ସ୍କାନ୍ ଓ ରକ୍ତ ପରୀକ୍ଷା ପାଇଁ ଯାଇଥିଲାବେଳେ ସେମାନଙ୍କୁ ୟୁଜର୍ସ ଫି ଦାଖଲ କରି ରସିଦ୍ ଆଣିବାକୁ କୁହାଯାଇଥିଲା। ଫଳରେ ଜରୁରିକାଳୀନସ୍ଥିତିରେ ଥିବା କିଛି ରୋଗୀ ସମ୍ପର୍କୀୟ ତରବରିଆ ଭାବେ ୟୁଜର୍ସ ଦାଖଲ କରିଥିଲେ। ତେବେ ଏହି ଘଟଣାକୁ ନେଇ ରୋଗୀ ସମ୍ପର୍କୀୟ ମାନେ ଅସନ୍ତୁଷ୍ଟ ହେବା ସହ ଆଞ୍ଚଳିକ ନିଦାନ କେନ୍ଦ୍ର ଓ ୟୁଜର୍ସ କାଉଣ୍ଟର ସମ୍ମୁଖରେ ପାଟିତୁଣ୍ଡ କରିଥିଲେ। ପରେ ମେଡିକାଲ୍ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ମାଗଣାରେ ପରୀକ୍ଷା କରାଇବା ପାଇଁ ଅବଗତ କରାଇଥିଲେ।
ଯେଉଁମାନେ ୟୁଜର୍ସ ଫି ଦାଖଲ କରିଥିଲେ, ସେମାନଙ୍କୁ ଟଙ୍କା ଫେରସ୍ତ କରାଯାଇଥିଲା। ପରୀକ୍ଷା କରାଇବା ପାଇଁ ମେଡିକାଲ୍ର ଆଉଟଡୋର କିମ୍ବା ଇଣ୍ଡୋର ଟିକେଟ କିମ୍ବା ସରକାରୀ ସ୍ଲିପ୍ ଆଣିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଅପରାହ୍ନ ୪ଟାବେଳେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଅଧୀକ୍ଷକ, ପ୍ରଶାସନିକ ଅଧିକାରୀ, ହସ୍ପିଟାଲ୍ ମ୍ୟାନେଜରଙ୍କ ସହିତ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କର ଏକ ବୈଠକ ବସିଥିଲା। ସରକାରଙ୍କ ନିର୍ଦ୍ଦେଶ ମୁତାବକ ୨୨୧ ପ୍ରକାରର ପରୀକ୍ଷାକୁ ମେଡିକାଲ୍ରେ ସଂପୂର୍ଣ୍ଣ ମାଗଣାରେ କରାଯିବ। ଏଥିପାଇଁ ସମସ୍ତ ବିଭାଗର ମୁଖ୍ୟ ଓ ଡାକ୍ତରମାନଙ୍କୁ ଏକ ସର୍କୁଲାର ଜାରି କରାଯାଇଛି। ତେବେ ଏମ୍ଆର୍ଆଇ, ଅଧିକ ଦରର ସିଟି ସ୍କାନ, ଡିଜିଟାଲ୍ ଏକ୍ସ-ରେ ଇତ୍ୟାଦି ସମ୍ପର୍କରେ ସରକାରଙ୍କ ପକ୍ଷରୁ କିଛିଦିନ ସମୟ ନିଆଯାଇଛି। ତେଣୁ ସେଗୁଡ଼ିକ ପାଇଁ ୟୁଜର୍ସ ଫି’ ଦେବାକୁ ହେବ ବୋଲି ମେଡିକାଲ୍ ପକ୍ଷରୁ କୁହାଯାଇଛି।