ଜିଲ୍ଲାପାଳଙ୍କ ଆକାଉଣ୍ଟ୍‌ରୁ ଟଙ୍କା ହଡ଼ପ ମାମଲା : କିଏ ସେ ଅଜୟ, ବିନୀତ୍‌?

ମାନବାଧିକାର କମିସନକୁ ଗଲେ ପୂର୍ବତନ ବିଧାୟକ

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲାର ଚେର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲମ୍ବିଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ଆଉ ଦୁଇ ନାଁକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଜଣେ ହେଲେ ଅଜୟ ସାମଲ ଏବଂ ଅନ୍ୟଜଣକ ବିନୀତ୍‌ ଅଗ୍ରୱାଲା। ଟଙ୍କା ଉଠାଣରେ କେବଳ ତତ୍କାଳୀନ ବ୍ୟାଙ୍କ୍‌ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କ ସମ୍ପୃକ୍ତି ନାହିଁ, ଏହି ଦୁଇଜଣଙ୍କ ନାଁରେ ବି ଟଙ୍କା ଉଠାଣ ହୋଇଛି। ପୁଲିସ ତା’ ଭିତରୁ ବିନୀତଙ୍କୁ ଡାକି ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ବେଳେ ଅଜୟଙ୍କ ସଂପର୍କରେ ଖୋଳତାଡ଼ ଚଳାଇଛି। ଉଭୟେ ବେଶ୍‌ ପ୍ରତିପତ୍ତିଶାଳୀ ହୋଇଥିବାରୁ ପୁଲିସ ଅତ୍ୟନ୍ତ ସତର୍କତାର ସହ ମାମଲାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଅ ପାଇଁ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ପିପିଲିର ପୂର୍ବତନ ବିଧାୟକ ବିପିନ ଦାସ। ପୁଅ ନିର୍ଦୋଷ। ତାକୁ ବ୍ୟାଙ୍କ୍‌ କର୍ମଚାରୀ ଏବଂ କିଛି ପ୍ରଶାସନିକ ଅଧିକାରୀ ଫସାଇ ଦେଇଛନ୍ତି ବୋଲି ବାପା ଶ୍ରୀ ଦାସ ସିଧାସଳଖ ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ରାଜପଥ-୬୩ ନିର୍ମାଣ ବାବଦକୁ ଆସିଥିବା ୫୦ଲକ୍ଷ ଟଙ୍କା ୮ଜୁଲାଇ, ୨୦୧୩ରେ ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଅନୁଗୁଳ ଶାଖାରେ ଜମା କରାଯାଇଥିଲା। ସୁଧ ବାବଦକୁ ବ୍ୟାଙ୍କ୍‌ରୁ ଅତିରିକ୍ତ ଟଙ୍କା ମିଶାଇ ମୋଟ୍ ଜମା ପରିମାଣ ହୋଇଥିଲା ୫୯ ଲକ୍ଷ ୪୧ ହଜାର ୪୮୧

ଗତ ୭ଡିସେମ୍ବର ୨୦୧୭ରୁ ୩ ମେ ୨୦୧୮ମଧ୍ୟରେ ୮ଟି ଚେକ୍‌ ଜରିଆରେ ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ଉଠାଇ ନିଆଯାଇଥିବା ଜିଲ୍ଲା ପ୍ରଶାସନ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଟଙ୍କା ଉଠାଇ ନେବାର କିଛି ଦିନ ପରେ ତତ୍କାଳୀନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଚାକିରି ଛାଡ଼ିଥିବା ଅଭିଯୋଗ ହୋଇଥିଲା। କିନ୍ତୁ, ଚାକିରି ଛାଡ଼ିବା ଅଭିଯୋଗକୁ ଶକ୍ତିବେଦାନ୍ତଙ୍କ ବାପା ଶ୍ରୀ ଦାସ ଦୃଢ଼ ବିରୋଧ କରିଛନ୍ତି। କହିଛନ୍ତି, ପୁଅ ହଠାତ୍‌ ଏମିତି ଚାକିରି ଛାଡ଼ି ନାହିଁ। ବ୍ୟାଙ୍କ୍‌ ନିୟମ ଅନୁସାରେ ଚାକିରି ଛାଡ଼ିବା ପୂର୍ବରୁ ତିନି ମାସର ନୋଟିସ୍‌ ଦେଇଥିଲା। ଯେଉଁଥିରେ ବ୍ୟାଙ୍କ୍‌ର ହିସାବ କିତାବ, ଭୁଲ୍‌ ଭଟକା ସବୁ ତନଖି ଧରିବା କଥା। କିନ୍ତୁ, ସେତେବେଳେ କିଛି କଲେନି। ନୂଆ ଅଫର ନେଇ ନୂଆ ବ୍ୟାଙ୍କ୍‌ରେ ଚାକିରି କଲା ପରେ ପୁଅ ମୁଣ୍ଡରେ ସବୁ ଦୋଷ ଲଦି ଦିଆଯାଇଛି। ବ୍ୟାଙ୍କିଂ ବ୍ୟବସ୍ଥାରେ କେବଳ କ’ଣ ଜଣେ ମ୍ୟାନେଜର ସବୁ କରି ପକାଇଲେ? ଆଉ କାହାର କ’ଣ କିଛି ସମ୍ପୃକ୍ତି ନାହିଁ? ସେମାନଙ୍କ ପାଇଁ ପୁଲିସ କ’ଣ କରୁଛି ବୋଲି ପୂର୍ବତନ ପିପିଲି ବିଧାୟକ ବାପା ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଏହା ବିରୋଧରେ ଆମେ ଜାତୀୟ ମାନବାଧିକାର କମିସନ, ପୁଲିସ ଡିଜି, ପିଏମ୍‌ଓରେ ଅଭିଯୋଗ କରିଛୁ ବୋଲି ଶ୍ରୀ ଦାସ ‘ସମ୍ବାଦ’କୁ କହିଛନ୍ତି।

ପଦାକୁ ଆସୁଥିବା ଦୁଇ ନାଁ ସମ୍ପର୍କରେ ଘଟଣାର ତଦନ୍ତ ଅଧିକାରୀ ତଥା ଅନୁଗୁଳ ଥାନା ଆଇଆଇସି ରମେଶ ବିଶୋଇ କହିଛନ୍ତି, ଉଭୟ ଅଜୟ ଏବଂ ବିନୀତଙ୍କ ନାଁ ମାମଲାରେ ପଦାକୁ ଆସିବା ପରେ ଆମେ ବିନୀତଙ୍କୁ ଡକାଇ ପଚରା ଉଚରା କରିଥିଲୁ। କିନ୍ତୁ, ତାଙ୍କ ଦସ୍ତଖତ ଏହା ସହ ମେଳ ଖାଉ ନାହିଁ। ସେହିପରି ଅଜୟ ସାମଲଙ୍କ ନାଁ ବି ଉଠିଛି। କିନ୍ତୁ, ତାଙ୍କ ଘର କେଉଁଠି ତାର ଠିକଣା ବ୍ୟାଙ୍କ୍‌ ରେକର୍ଡ଼ରେ ନ ଥିବାରୁ ଆମେ ଅଜୟଙ୍କ ପାଖେ ପହଞ୍ଚି ପାରିନାହୁଁ। ଘଟଣାର ତଦନ୍ତ ଚାଲିଛି ବୋଲି ଶ୍ରୀ ବିଶୋଇ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର