‘ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଛି ନା ନାହିଁ ଜାଣିବା ପରେ ଶୋଉଛନ୍ତି ସବୁ ଜିଲ୍ଲାପାଳ’: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ସହ ଅକ୍ସିଜେନ ଯୋଗାଣ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର | ସେ କହିଛନ୍ତି ଯେ ଯେତିକି ପଜିଟିଭ ରୋଗୀ ଅଛନ୍ତି ୮୬ ପ୍ରତିଶତ ରୋଗୀ ହୋମ ଆଇସୋଲେସନରେ ଅଛନ୍ତି | ପୂର୍ବରୁ କ୍ରିଟିକାଲ କେୟାର ବେଡ଼(ଆଇସିୟୁ ଓ ଭେଣ୍ଟିଲେଟର)ରେ ୮୨ ପ୍ରତିଶତ ରୋଗୀ ରହୁଥିବାବେଳେ ଏବେ କ୍ରିଟିକାଲ କେୟାର ବେଡ଼ରେ ରୋଗୀ ସଂଖ୍ୟା ୭୨ ପ୍ରତିଶତକୁ ଖସିଆସିଛି |

ଆମ ରାଜ୍ୟରେ ମେଡିକାଲ ଅକ୍ସିଜେନ ୬୭ ମେଟ୍ରିକ ଟନର ଆବଶ୍ୟକତା ରହୁଛି | ତାହାକୁ ଆଖି ଆଗରେ ରଖି ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଅଛି | ଆମ ରାଜ୍ୟରେ କୌଣସି ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ନାହିଁ | ସବୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ରାତିରେ ଶୋଇବାକୁ ଯିବା ପୂର୍ବରୁ ଜିଲ୍ଲାର କୋଭିଡ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ହୋଇ ଅଛି ନା ନାହିଁ ସୂଚନା ପାଇବା ପରେ ହିଁ ବିଶ୍ରାମ ନିଅ | ଏଥିପାଇଁ ଅକ୍ସିଜେନ ଯୋଗାଣ ପାଇଁ ଯେଉଁ ଟିମ କାମ କରୁଛି ସେଥିରେ କୌଣସି ତ୍ରୁଟି ଦେଖାଯାଇନାହିଁ |

ଶ୍ରୀ ମହାପାତ୍ର କହିଛନ୍ତି ଯେ କେବଳ ଆମ ରାଜ୍ୟର ଅକ୍ସିଜେନ ଚାହିଦାକୁ ମେଣ୍ଟାଇନୁ ବରଂ ପାଖାପାଖି ୧୮ଟି ରାଜ୍ୟକୁ ଅକ୍ସିଜେନ ଯୋଗାଯାଉଛି | ଏବେ ପର୍ଯ୍ୟନ୍ତ ୨୫ ହଜାର ମେଟ୍ରିକ ଟନ ଅକ୍ସିଜେନ ଯୋଗାଇ ସାରିଲୁଣି | ସେହିପରି ଯଦି ତୃତୀୟ ଲହରୀ ଆସେ ସେଥିପାଇଁ ମଧ୍ୟ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି | ଆସନ୍ତା ମାସେ କିମ୍ବା ଦୁଇ ମାସ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରଟିପିସିଆର ଲ୍ୟାବ ସ୍ଥାପନ କରାଯିବ |

ତେବେ ଆଗକୁ ରଜ, ସାବିତ୍ରୀ ଆସୁଛି । ଏହି ସମୟରେ ଲୋକମାନେ ଅଧିକ ସତର୍କ ହେବା ଉଚିତ୍ । ନଚେତ୍ କରୋନା ସଂକ୍ରମଣ ପୁଣି ବଢିପାରେ । ଲୋକମାନେ ନିଜେ ସଚେତନ ହେଲେ ହିଁ ଆମେ କରୋନାକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର