ସ୍କୁଲ୍‌ ମିଶ୍ରଣ ନକରିବାକୁ ଜିଲ୍ଲାପାଳ ଓ ଡିଇଓଙ୍କୁ ଅନୁରୋଧ

ସମ୍ବଲପୁର : ସରକାରଙ୍କ ଦ୍ବାରା ଅଣାଯାଇଥିବା ନୂତନ ନିୟମ ଅନୁଯାୟୀ କମ୍ ପିଲା ଥିବା ବିଦ୍ୟାଳୟକୁ ପାଖାପାଖି ଅଞ୍ଚଳରେ ଥିବା ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ କରାଯାଉଛି। ତେବେ ଆମ ବିଦ୍ୟାଳୟରେ ୩୭ ଜଣ ପିଲା ପଢ଼ୁଛନ୍ତି, ତାପରେ ବି କାହିଁକି ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ କରାଯାଉଛି, ସେ ନେଇ ଗୁରୁବାର ଉଭୟ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଦିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି କୁର୍ଲାବାହାଲ ଓ ଚିଟକେଲର ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆମ ପ୍ରାଥମିକ ବିଦ୍ୟାଳୟରେ ୩୭ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ପରେ ମଧ୍ୟ କମ୍ ପିଲା ଅଛନ୍ତି କହି ନୂଆମୁଣ୍ଡା ସ୍କୁଲ ସହ ମିଶ୍ରଣ କରାଯିବ ବୋଲି ଜାଣିବାକୁ ପାଇଲୁ। ଏମିତି ହେଲେ ପାଖାପାକି ୩ କିମି ବାଟ ପିଲାମାନଙ୍କୁ ଯିବାକୁ ପଡ଼ିବ। ଏହା ସହ ରାଜରାସ୍ତା ଓ ଜଙ୍ଗଲ ମଧ୍ୟ ପାର ହେବାକୁ ପଡ଼ିବ। ଯେଉଁ କାରଣରୁ ପିଲାମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି। ବିଦ୍ୟାଳୟରେ ପିଲା ମଧ୍ୟ କମ୍ ନାହାନ୍ତି। ତେଣୁ ବିଦ୍ୟାଳୟ ମିଶ୍ରଣ ନିର୍ଦ୍ଦେଶ ଉପରେ ରୋକ ଲଗାଇବା ସହ ଗ୍ରାମରେ ବିଦ୍ୟାଳୟ ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ଗ୍ରାମବାସୀ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିବେଦନ କରିଛନ୍ତି।

ସେଭଳି ବିଦ୍ୟାଳୟ ଏକତ୍ରୀକରଣ ନକରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ମୂଷାକାନିର ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ୧୯୯୯ ମସିହାରେ ଆମ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟି ନିର୍ମାଣ ହୋଇଥିଲା। ଏବେ ଏହି ବିଦ୍ୟାଳୟଟି ଅନ୍ୟ ବିଦ୍ୟାଳୟ ମିଶ୍ରଣ ହେବ ବୋଲି ନିର୍ଦ୍ଦେଶ ଆସିଛି। ଆମ ଗ୍ରାମଟି ଆଦିବାସୀ ବହୁଳ ଏବଂ ସମସ୍ତ ବାସିନ୍ଦା ଗରିବ ଶ୍ରେଣୀର। ଅନ୍ୟପଟେ ଆମ ଗ୍ରାମଠାରୁ ୪ କିମି ଭିତରେ କୌଣସି ବିଦ୍ୟାଳୟ ନଥିବା ବେଳେ ଅନ୍ୟ ଗ୍ରାମକୁ ଯିବାକୁ ହେଲେ କେନାଲ ପାରି ହେବାକୁ ପଡ଼ିବ। ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ବନ୍ୟଜନ୍ତୁ ଭୟ ମଧ୍ୟ ରହିଛି। ଗ୍ରାମର ବାସିନ୍ଦା ହାତୀ ଆକ୍ରମଣରେ ମୃତ୍ୟୁ ମଧ୍ୟ କରିଛନ୍ତି। ବିଦ୍ୟାଳୟ ମିଶ୍ରଣ ହୋଇ ଗାଁରୁ ଯଦି ଉଠିଯାଏ ତେବେ ପିଲାମାନଙ୍କ ପାଠପଢ଼ାରେ ଅନେକ ଅସୁବିଦା ଆସିବ। ଏସବୁକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଗ୍ରାମବାସୀ ଗୁରୁବାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର