ପୁରୀ: ଶ୍ରୀମନ୍ଦିରରେ ମୋବାଇଲ ପ୍ରସଙ୍ଗରେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଥିବା ମୋବାଇଲ ଲୋଗୋକୁ ଆଜି ସ୍ୱୀକୃତି ମିଳିଛି। ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ‘ନୀଳଚକ୍ର’ ଲୋଗୋକୁ ମୋହର ମାରିଛନ୍ତି। ଆନୁଷ୍ଠାନିକ ଭାବେ ଆଜି ଏହି ସ୍ୱୀକୃତିପ୍ରାପ୍ତ ଲୋଗୋ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ମୋବାଇଲ ବିତରଣ କରୁଥିବା ଦୁଇ ସଂସ୍ଥାକୁ ଜିଲ୍ଲାପାଳଙ୍କ ସ୍ୱୀକୃତିପ୍ରାପ୍ତ ଏହି ଲୋଗୋ ପ୍ରଦାନ କରାଯିବା ପରେ ବିକ୍ରି ଆରମ୍ଭ ହୋଇଛି। ପୂର୍ବରୁ ବିନା ଲୋଗୋରେ ବିକ୍ରି ହୋଇଥିବା ଫୋନ୍କୁ ଏବେ ପୁଣି ଥରେ ଫେରସ୍ତ ଆଣି ଲୋଗୋ ଲଗାଇବା ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ସଂସ୍ଥା ଯାଉଛି। ଆଉ ଗୋଟିଏ ବଡ଼ କଥା ହେଉଛି ଏଥିରେ ବାର୍ କୋଡ୍ ରହିବ। ବାର୍କୋଡ୍ ସ୍କାନ କଲେ ମୋବାଇଲ୍ ମାଲିକଙ୍କ ପରିଚୟ ସହ ସମ୍ପୂର୍ଣ୍ଣ ଠିକଣା ଉପଲବ୍ଧ ହେବ। ଏଣୁ ଚୋରି ହୋଇଗଲେ ଚିନ୍ତା ନାହିଁ। ଶ୍ରୀମନ୍ଦିର ବାହାରକୁ ଯିବା ବେଳେ କିମ୍ବା ଆଉ କେହି ବ୍ୟବହାର କଲେ ଧରାପଡ଼ିବ। ୪ ଦ୍ଵାରରେ ସୁରକ୍ଷା ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ମଧ୍ୟ ଏହାକୁ ସହଜରେ ଯାଞ୍ଚ କରିବା ପାଇଁ ମେସିନ୍ ଦିଆଯିବ। କେବଳ ସ୍ୱୀକୃତିପ୍ରାପ୍ତ ମୋବାଇଲ ଛଡ଼ା ଅନ୍ୟ କ୍ୟାମେରାଯୁକ୍ତ ବା କ୍ୟାମେରା ବିହୀନ ମୋବାଇଲ ଯାଇ ପାରିବ ନାହିଁ। ଏବେ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏହି ଲୋଗୋକୁ ଶ୍ରୀଜଗନ୍ନାଥ ଇନୋଭେଟିଭ ପ୍ରାଇଭେଟ୍ ଲିମିଟେଡ଼୍ ପ୍ରସ୍ତୁତ କରିଛି। ମୋବାଇଲ ପଛରେ କେବଳ ‘ନୀଳଚକ୍ର’ ଲୋଗୋ ରହିବ। ଏଥିରେ ସମ୍ପୃକ୍ତ ସଂସ୍ଥା ନିଜର ନାମ ଲେଖିପାରିବ ନାହିଁ। କିନ୍ତୁ ସଂସ୍ଥା ଯେଉଁ ଲୋଗୋ ପ୍ରସ୍ତୁତ କରି ସ୍ୱୀକୃତି ପାଇଁ ପଠାଇଥିଲା ସେହି ଲୋଗୋକୁ ହିଁ ମୋହର ବାଜିଛି। ଫଳରେ ଲୋଗୋକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ଅନିଶ୍ଚିତତା ସହ ନାନା ବିକଳ୍ପ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏହି ଲୋଗୋ ଚୂଡ଼ାନ୍ତ ହେବା ପରେ ବିକ୍ରି ଆରମ୍ଭ ହୋଇଛି। ପୂର୍ବରୁ ସେବାୟତଙ୍କର ପଞ୍ଜିକରଣ ହୋଇଥିଲା। ଏହି ପଞ୍ଜିକରଣ ତାଲିକାକୁ ଶ୍ରୀମନ୍ଦିର ପ୍ରଶାସନ ମୋହର ମାରିଥିଲା। ଏହି ପଞ୍ଚିକୃତ ସେବାୟତଙ୍କୁ ଏବେ ମୋବାଇଲ ପ୍ରଦାନ କରାଯିବ। ଯେଉଁମାନେ ପଞ୍ଜିକରଣ କରିନାହାନ୍ତି ସେମାନେ ମଧ୍ୟ ସିଧାସଳଖ ପଞ୍ଜିକରଣ କରି ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ପାଇ ମୋବାଇଲ ନେଇ ପାରିବେ। ଅନ୍ୟପଟେ ଭକ୍ତଙ୍କ ପାଇଁ ପୂର୍ବବତ୍ ସମ୍ପୂର୍ଣ୍ଣ କଟକଣା ରହିଛି। ଭକ୍ତଙ୍କ ସୂଚନା ପାଇଁ ୪ଟି ଭାଷାରେ ବଡ଼ ବଡ଼ ହୋର୍ଡିଂ ଲାଗିଛି। କିନ୍ତୁ ଗତକାଲି ପାଖାପାଖି ୨୦ ମୋବାଇଲ ଧରାପଡିଥିବା ବେଳେ ଆଜି ମଧ୍ୟ ଜବତ ହୋଇଛି।
ଲୋଗୋକୁ ଜିଲ୍ଲାପାଳଙ୍କ ମୋହର
ଶ୍ରୀମନ୍ଦିରରେ ମୋବାଇଲ୍ ପ୍ରସଙ୍ଗ
/sambad/media/post_attachments/wp-content/uploads/2018/01/MOBILE-LOGO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)