ସୁନ୍ଦରଗଡ଼ : ବିଭିନ୍ନ ଲୋକଙ୍କ ନାମରେ ଜାଲ୍ ଫେସ୍ବୁକ୍ ଆକାଉଣ୍ଟ୍, ହ୍ବାଟସ୍ଅପ୍ ଖୋଲି ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା, ମିଥ୍ୟା ଓ ଅପପ୍ରଚାର କରିବା ତଥା ବିଭିନ୍ନ ଦାମୀ କମ୍ପାନି ନାଁରେ ସରଳ ଲୋକଙ୍କଠାରୁ ମୋଟା ରକମର ଟଙ୍କା ଠକି ନିଆ ଯିବାର ବହୁ ନଜିର ରହିଛି। କିନ୍ତୁ ଜଣେ ଜିଲ୍ଲାପାଳଙ୍କ ନାଁରେ ଜାଲ୍ ଫେସ୍ବୁକ୍ ଆକାଉଣ୍ଟ୍ ଖୋଲି ବିଭିନ୍ନ ସୋ'ରୁମ୍ରୁ ଦାମୀ ଉପହାର ନେବାକୁ ମସୁଧା କରିବା ଖବରକୁ ସହଜରେ ବିଶ୍ବାସ କରି ହୁଏନା। କିନ୍ତୁ ଏ ପରି ଘଟଣା ଘଟିଛି ସୁନ୍ଦରଗଡ଼ରେ। ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ନାମରେ ଜାଲ୍ ଫେସ୍ବୁକ୍ ଆକାଉଣ୍ଟ୍ ଖୋଲି ଜଣେ ଦୁର୍ବୃତ୍ତ କିଛି ସୋ'ରୁମ୍ ମାଲିକଙ୍କ ଠାରୁ ମୋବାଇଲ୍ ଓ ଅନ୍ୟ ଦାମୀ ଉପହାର ନେବାକୁ ପ୍ରୟାସ କରିଥିବା ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଶ୍ରୀ କଲ୍ୟାଣଙ୍କୁ ତାଙ୍କର କେହି ଜଣେ ବନ୍ଧୁ ସୂଚନା ଦେବା ପରେ ସେ ତୁରନ୍ତ ଗତକାଲି ରାତିରେ ନିଜ ଫେସ୍ବୁକ୍ ପୃଷ୍ଠାରେ ତାହା ଜାଲ୍ ଆକାଉଣ୍ଟ୍ ବୋଲି ସ୍ପଷ୍ଟ କରିଛନ୍ତି। ଏହା ସହ ସମ୍ପୃକ୍ତ ଜାଲ୍ ଆକାଉଣ୍ଟ୍ ମାଧ୍ୟମରେ ହୋଇଥିବା ଚାଟିଂର ସ୍କ୍ରିନ୍ ସଟ୍କୁ ମଧ୍ୟ ନିଜ ଫେସ୍ବୁକ୍ ୱାଲ୍ରେ ପୋଷ୍ଟ୍ କରି ଏଥି ପ୍ରତି ସୁନ୍ଦରଗଡ଼ ଜିଲ୍ଲାବାସୀ ସଚେତନ ରହି ଠକାମିର ଶିକାର ନ ହେବାକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, କିଛି ଦିନ ହେଲା କେହି ଦୁର୍ବୃତ୍ତ ଜିଲ୍ଲାପାଳଙ୍କ ନାମରେ ଜାଲ୍ ଫେସ୍ବୁକ୍ ଆଇଡି ଖୋଲି ବିଭିନ୍ନ ଲୋକଙ୍କ ସହ ଫେସ୍ବୁକ୍ ବନ୍ଧୁ ହେବାକୁ ଅନୁରୋଧ ପଠାଇ ଚାଲିଥିଲା। ଏହି ସମୟ ମଧ୍ୟରେ ସେ ସୁନ୍ଦରଗଡ଼ର ଅଗ୍ରୱାଲ ଇଲେକ୍ଟ୍ରୋନିକ୍ସର ଆକାଶ ଅଗ୍ରୱାଲଙ୍କୁ ଅନୁରୋଧ ପଠାଇବା ସହ ଚାଟିଂ କରି ତାଙ୍କର ସୋ' ରୁମ୍ ଅଛି ଜାଣିବା ପରେ ବଜାରକୁ ଆସିଥିବା ନୂଆ ମୋବାଇଲ୍ ସମ୍ପର୍କରେ ପଚାରି ବୁଝିଥିଲା। ୭୦ ହଜାର ଟଙ୍କାର ସାମ୍ସଙ୍ଗ୍ ନୋଟ୍ ୧୧ ପ୍ଲସ୍ ନୂଆ ମଡେଲ ଆସିଥିବା ଆକାଶ ସୂଚନା ଦେବା ପରେ ସେହି ମୋବାଇଲ ବରଗଡ଼ର ହାଟପଦା ଥାନା ଛକକୁ କୋରିୟର ମାଧ୍ୟମରେ ପଠାଇବାକୁ ଠକ ଜଣକ କହିଥିଲା। ଏପରିକି ସେ ଦିଲ୍ଲୀରେ ଥିବାରୁ ସୁନ୍ଦରଗଡ଼ ଗଲେ ମୋବାଇଲ୍ର ଟଙ୍କା ଦେବାକୁ ଚାଟିଂ ମାଧ୍ୟମରେ କହିଥିଲା। ତେବେ ପରବର୍ତ୍ତୀ ସମୟରେ ଆକାଶ ଏହା ଜାଲ୍ ଆକାଉଣ୍ଟ୍ ବୋଲି ଜାଣି ପାରି ମୋବାଇଲ ପଠାଇ ନଥିଲେ। ଏ ସମ୍ପର୍କରେ ଗତକାଲି ଜିଲ୍ଲାପାଳଙ୍କର କେହି ଜଣେ ପରିଚିତ ଜାଣିପାରି ତାଙ୍କୁ ଅବଗତ କରିଥିବା ସୂଚନା ମିଳିଛି। ଘଟଣାଟି ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଇତିମଧ୍ୟରେ ଜାଲ୍ ଆକାଉଣ୍ଟ୍କୁ ବ୍ଲକ କରି ଦିଆଯାଇଥିବା ବେଳେ ସେ କରିତ୍କର୍ମା ଅଭିଯୁକ୍ତକୁ ଖୋଜି ବାହାର କରିବାକୁ ତନାଘନା ଆରମ୍ଭ ହୋଇଛି। ତେବେ ଜିଲ୍ଲାପାଳ ଏଯାଏ ବିଧିବଦ୍ଧ ଭାବେ ଏତଲା ଦେଇ ନାହାନ୍ତି।