ବଜ୍ରପାତରେ ୧୯ ଗୋରୁ ମୃତ୍ୟୁ ଘଟଣା: ହିତାଧିକାରୀଙ୍କୁ ମିଳିବ ସହାୟତା, ନିର୍ଦ୍ଦେଶ ଦେଲେ ଏସ୍‌ଆରସି

ଭୁବନେଶ୍ବର/ଭଂଜନଗର: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଲକ୍ ବଦାଙ୍ଗିରେ ଆଜି ଅପରାହ୍‌ଣ‌ରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ ଯୋଗୁଁ ୧୯ ଗାଈ ପ୍ରାଣ ହରାଇଥବା ନେଇ ରାଜ୍ୟ ସରକାର ଅବଗତ ହୋଇଛନ୍ତି। ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଏନେଇ ଗଂଜାମ ଜିଲ୍ଲାପାଳଙ୍କୁ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ପଶୁ ମୃତ୍ୟୁ ସଂପର୍କିତ ସହାୟତା ହିତାଧିକାରୀମାନଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭଂଜନଗର ଅଞ୍ଚଳରେ ଆଜି ଅପରାହ୍‌ଣ ସମୟରେ କାଳବୈଶାଖୀ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ଅନେକ ସ୍ଥାନରେ ଛୋଟବଡ଼ ଗଛଡାଳ ଭାଙ୍ଗି ରାସ୍ତାରେ ପଡ଼ି ଅବରୋଧ ହୋଇଥିବା ବେଳେ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ସେହିପରି ବଦାଙ୍ଗି ଗ୍ରାମର ଗୁଡ଼ିଆ ଆମ୍ବତୋଟାରେ ବଜ୍ରାଘାତରେ ୧୯ ଗାଈ ପ୍ରାଣ ହରାଇଥିଲେ। ଗ୍ରାମର ରଞ୍ଜିତ ଗୌଡ଼, ବାବୁଲି ଗୌଡ଼ଙ୍କ ତିନୋଟି ଲେଖାଏଁ ଏବଂ ମନୋଜ ବେହେରା, ସୁଦର୍ଶନ ମଲ୍ଲିକ, ବଟ ଗୌଡ଼ଙ୍କ ସମେତ ଅନ୍ୟାନ୍ୟ ଲୋକଙ୍କ ପ୍ରାୟ ୧୯ଟି ଗାଈ ତୋଟା ନିକଟରେ ଚରୁଥିବା ବେଳେ ହଠାତ୍ ଘଡ଼ଘଡ଼ି ମାରିଥିଲା। ଏକ ଗଛମୂଳେ ସେମାନେ ଥିବା ବେଳେ ହଠାତ୍ ବଜ୍ରଘାତ ଯୋଗୁଁ ଲୋଟି ପଡ଼ିଥିଲେ। ରାଜସ୍ୱ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିଲେ। ପ୍ରାଣୀଧନ ବିଭାଗ ପକ୍ଷରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ। ସେହିପରି ପବନ ଯୋଗୁଁ କିଛି କଚ୍ଚାଘରର ଟିଣଛପର ଓ କୁଡ଼ିଆର ଚାଳଛପର ଉଡ଼ିଯାଇଛି। ଗୋପନଗର ଓ ପମ୍ପ୍‌ହାଉସ୍‌ରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର