ଉଦ୍ଧାର କରିବାକୁ ଯାଇ ଜଳ ଘେରରେ ଜିଲ୍ଲାପାଳ

ବଲାଙ୍ଗୀର : ସୋମବାର ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ବଲାଙ୍ଗୀର ଜିଲ୍ଲାର ଉପାନ୍ତ ଅଞ୍ଚଳ। ରାହୁଲ ଓ ଖଡ଼ଙ୍ଗ ନଦୀ ଉଛୁଳିଛି। ଗୁଡ଼ଭେଲା ଅଞ୍ଚଳର ଅନେକ ଉପାନ୍ତ ଅଞ୍ଚଳର ନଦୀ ବନ୍ୟା ପାଣିରେ ପ୍ରାୟ ୧୫ଟି ଗ୍ରାମ ପାଣି ଘେରରେ ରହିଛି। ଯାମୁଟ ପଞ୍ଚାୟତର ତିଲକାମାଲ ସମେତ ୧୨ଟି ଗ୍ରାମର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଗୁଡ଼ଭେଲା ବ୍ଲକରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସୋମବାର ଭୋରରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ ଗତଥରଠାରୁ ଭୟାବହ ସ୍ଥିତି ଦେଖାଦେଇଛି।

ଖବର ପାଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ତିଲକାମାଲ ଅଭିମୁଖେ ବାହାରି ଥିଲେ। ଗୁଡ଼ଭେଲା ନିକଟ ଡୁଙ୍ଗିବାହାଲ ପୋଲ ଉପରେ ପାଞ୍ଚ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଅତିକ୍ରମ କରି ପାରି ନଥିଲେ। ଶେ‌ଷରେ କଳାହାଣ୍ଡି ଜିଲ୍ଲା ସିକେଲକୁପା ରାସ୍ତା ଦେଇ ବୁଲି ଯାମୁଟ ଯାଇଥିଲେ। ଯାମୁଟ ଯିବା ପରେ କୋତକୋମୁହାନ ପୋଲ ଉପରେ ୨୫ ଫୁଟ ପାଣିଥିବାରୁ ଅଟକି ରହିଥିଲେ। ଦମକଳ ବୋଟରେ ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ନିଜେ ତଦାରଖ କରିବା ପାଇଁ ବୋଟରେ ତିଲକାମାଲ ଗାଁକୁ ଯାଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଅଞ୍ଚଳର ସମସ୍ତ ନାଳା ଓ ନଦୀ ଉଛୁଳି ଯାଇଥିବାରୁ ଚାରିପଟୁ ରାସ୍ତା ଅବରୋଧ ହୋଇଯାଇଛି। ଫଳରେ ଜିଲ୍ଲାପାଳଙ୍କ ସହ ପିଡି ଡିଆରଡିଏ ଓ ଅନ୍ୟ ଅଧିକାରୀ ନିଜେ ଜଳବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର