ବୌଦ୍ଧ: ବୌଦ୍ଧ ସଦର ବ୍ଲକ୍ ଟିକରପଡ଼ା ପଞ୍ଚାୟତର ଦୁର୍ଗମ ଗାଁ ବରପଦରରେ ପହଞ୍ଚିଛନ୍ତି ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ। ଗୁରୁବାର ସରକାରୀ ଅଧିକାରୀଙ୍କୁ ନେଇ ହଠାତ ଗାଁରେ ପହଞ୍ଚିଥିଲେ। ଗାଁରେ କେବେ କୌଣସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପାଦ ପଡ଼ିନଥିବା ବେଳେ ଗାଁ ଦାଣ୍ଡରେ ଜିଲ୍ଲାପାଳଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗ୍ରାମବାସୀ। ଜିଲ୍ଲାପାଳଙ୍କୁ ବସିବାକୁ ଦେବା ପାଇଁ ଚୌକି ଖୋଜା ଆରମ୍ଭ ହେବା ବେଳେ ଜିଲ୍ଲାପାଳ ଗାଁ ମଣ୍ଡପ ଚଟାଣରେ ବସି ପଡ଼ିଥିଲେ। ଲୋକଙ୍କ ଗହଣରେ ବସି ସେମାନଙ୍କ ସହ ସୁଖଦୁଃଖ ହୋଇ ଗୋଟି ଗୋଟି କରି ସମସ୍ୟା ପଚାରି ବୁଝିଥିଲେ। ଗାଁକୁ ରାସ୍ତା ନଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି। ଗାଁକୁ ଆମ୍ବୁଲାନ୍ସ ଆସି ପାରେନାହିଁ।
ସ୍କୁଲ ଛାତ୍ରଛାତ୍ରୀମାନେ ନାଳ ପାର ହୋଇ ସ୍କୁଲକୁ ଯାଆନ୍ତି। ବର୍ଷା ଦିନରେ ଏହି ସମସ୍ୟା ବହୁ ଗୁଣିତ ହୁଏ। ଚାଷ ହିଁ ଲୋକଙ୍କ ଜୀବିକ ହୋଇଥିବା ବେଳେ ଅଧିକାଂଶ ସମୟରେ ବନ୍ୟଜନ୍ତୁ ଫସଲ ନଷ୍ଟ କରୁଛନ୍ତି। ବର୍ଷା ଦିନରେ ଗାଁ ପୋଖରୀର ହୁଡ଼ାରେ ସୃଷ୍ଟି ହୋଇଥିବା ଘାଇର ମରାମତି ହୋଇନାହିଁ। ଗାଁ ସ୍କୁଲର ଅବସ୍ଥା ମଧ୍ୟ ଦୟନୀୟ। ଛାତ୍ରଛାତ୍ରୀ ତଳେ ବସୁଛନ୍ତି, ପାନୀୟ ଜଳର ବ୍ୟବସ୍ଥା ଓ ଶୌଚାଳୟ ନାହିଁ, ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ଗଳୁଛି। ପ୍ରାଥମିକ ଭାବରେ ଜିଲ୍ଲାପାଳ ଶ୍ରୀ ସାହୁ ସ୍କୁଲକୁ ୧୦ ଯୋଡ଼ା ବେଞ୍ଚ ଟେବୁଲ ଯୋଗାଇ ଦେବା ସହ ସ୍କୁଲ ମରାମତି, ସ୍କୁଲ ରାସ୍ତାରେ ପୋଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ସିଂହାସନୀ ଠାକୁରାଣୀ ଓ ମାହେଶ୍ୱରୀଙ୍କ ମନ୍ଦିର ଓ ଏକ ଭାଗବତ ଟୁଙ୍ଗି ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ସେହିପିର ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ନଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲେ।
ଆର୍ଥିକ ସ୍ବଚ୍ଛଳତା ପାଇଁ ବାୟୋଫ୍ଲକ ପ୍ରଣାଳୀରେ ମାଛ ଚାଷ ଓ ପ୍ରତି ପରିବାର ବାଡ଼ିରେ ପରିବା ଚାଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଗ୍ରାମୀଣ ଆବାସ ଯୋଜନାରୁ ବାଦ ପଡ଼ିଥିବା ପରିବାରର ତାଲିକା ପ୍ରସ୍ତୁତ କରିବାକୁ ବିଡିଓଙ୍କୁ ନର୍ଦ୍ଦେଶ ଦେଇଥିଲେ। ଗ୍ରାମରେ ଦୁଇଟି ଏସ୍ଏଚ୍ଜି ଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଗଠନ କରିବାକୁ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମର ଅସହାୟ ସୁଭଦ୍ରା ଦେହୁରୀ, ଅକ୍ରୁର ଦେହୁରୀ ଓ ଉମା ମଲ୍ଲିକଙ୍କୁ କମ୍ବଳ ସହ ରେଡକ୍ରସ ପାଣ୍ଠିରୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା, ସୁମିତ୍ରା ମାଝି ଓ ଅନନ୍ତ ପଲିଆଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା। ବୟସାଧିକ୍ୟ ଯୋଗୁଁ ଅରୁନ୍ଧତୀ ସାହୁ, ବାସନ୍ତୀ ସାହୁଙ୍କ ଭତ୍ତା ବୃଦ୍ଧି ଓ ଦିବ୍ୟାଙ୍ଗ ଜୁଲେଇ ଦେହୁରୀଙ୍କ ଭତ୍ତାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତବେଳେ ବୁରୋଗୋରା ଉନ୍ନିତ ହାଇସ୍କୁଲକୁ ଯାଇ ସମସ୍ୟା ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ, ଜିଲ୍ଲା ଜରୁରୀକାଳୀନ ପ୍ରକଳ୍ପ ଅଧିକାରୀ ସଞ୍ଜୟ ଝା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ତହସିଲଦାର ଦେବୀ ପ୍ରସାଦ ଦାଶ, ବିଡିଓ ଅବିନାଶ ପାଣ୍ଡିଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ ବିଶ୍ୱାଳ, ସହକାରୀ ଯନ୍ତ୍ରୀ ଶିଶିର ଦାଶ, ସିଡିପିଓ ମିନତି ଦେଓ, ବାଲ୍ୟ ବିବାହ ନିଷେଧ ପରାମର୍ଶଦାତା ପ୍ରବିଜ୍ଞା ଦାଶ ପ୍ରମୁଖ ସାମିଲ ହୋଇଥିଲେ।