ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁଚର୍ଚ୍ଚିତ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। କଂଗ୍ରେସ ଜିଲ୍ଲାପାଳଙ୍କୁ ନିଲମ୍ବିତ କିମ୍ବା ବଦଳି ନ କଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଅଭିଯୋଗ କରିବା ପରେ ଏବେ ବିଜେପିର ଏକ ପ୍ରତିନିଧିଦଳ ପୁଲିସ ଡିଜି ଅଭୟଙ୍କୁ ଭେଟି ମାଲକାନଗିରି ଏସପି ଋଶିକେଷ ଖିଲାରି ଏବଂ ଆଇଆଇସିଙ୍କୁ ବଦଳି କରିବା ନେଇ ଦାବି କରିଛି। ଏମାନେ ଏହି ମାମଲାର ତଦନ୍ତରେ ବାଧା ଉପୁଜାଇପାରନ୍ତି ବୋଲି ଅଭିଯୋଗ କରି ଏମାନଙ୍କୁ ତୁରନ୍ତ ବଦଳି କରିବାପାଇଁ ଦାବି କରିଥିଲେ।
ଏହି ପ୍ରତିନିଧି ଦଳରେ ବିଜେପିର ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ପୂର୍ବତନ ସାଂସଦ ବଳଭଦ୍ର ମାଝି ପ୍ରମୁଖ ରହିଛନ୍ତି। ପୁଲିସ ଡିଜିଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏହାକୁ ହତ୍ୟା ବୋଲି ଅଭିଯୋଗ କରି ଥାନାରେ ଏତଲା ଦାୟର କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାରେ ସଂପୃକ୍ତ ଥିବାରୁ ପୁଲିସ ମଧ୍ୟ ଏହି ଘଟଣାକୁ ହାଲକା ଭାବେ ନେଇଥିଲା। ତେବେ ପରିବାର ଲୋକଙ୍କୁ ବହୁ ହଇରାଣ କରାଯିବା ପରେ ଶେଷରେ ପରିବାର ଲୋକେ ନ୍ୟାୟ ପାଇଁ ଏସଡିଜେଏମଙ୍କ କୋର୍ଟରେ ଏତଲା ଦାୟର କରିଥିଲେ।
କୋର୍ଟଙ୍କ ନିର୍ଦେଶକ୍ରମରେ ମାଲକାନଗିରି ପୁଲିସ ଗତ ୧୩ ତାରିଖ ଦିନ ଏତଲା ରଖିବା ସହ ୪ ଜଣଙ୍କ ନାମରେ ଏତଲାଦାୟର କରିଥିଲା। ଜିଲ୍ଲାପାଳଙ୍କ ଭଳି ବଡ ଅଧିକାରୀଙ୍କ ନାମ ଏହି ଘଟଣାରେ ସଂପୃକ୍ତ ରହିଥିବାରୁ ପୁଲିସ ଗତ ଏକ ବର୍ଷ ଧରି ଏତଲାକୁ ରଖୁ ନଥିଲା। ତେବେ ଜଲ୍ଲାପାଳ ବଦଳି ହୋଇଛନ୍ତି। କିନ୍ତୁ ପୁଲିସ ଅଧିକାରୀ ବଦଳି ହୋଇ ନଥିବା ବିଜେପିର ପ୍ରତିନିଧି ଦଳ ଅଭିଯୋଗ କରିଥିଲେ। ତେଣୁ ଏହି ଘଟଣାର ତଦନ୍ତ ପାଇଁ ଏହି ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Mkg-BJP-meet-police-DG.jpg)