ପେସା ଆନ୍ଦୋଳନ ପାଇଁ ବହୁ ପ୍ରକଳ୍ପ ବନ୍ଦ : ରବିବାର ଲୋକଙ୍କୁ ଭେଟିଲେ ଜିଲ୍ଲାପାଳ, ତଳେ ବସି ଆଲୋଚନା କଲେ

ରାଜଗାଙ୍ଗପୁର/କୁତ୍ରା : ପେସା ଆନ୍ଦୋଳନ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ପ୍ରକଳ୍ପ ବନ୍ଦ ହୋଇଯାଇଛି। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଆଜି ରବିବାର ହୋଇଥିଲେ ମଧ୍ୟ ଲୋକଙ୍କୁ ଭେଟିଛନ୍ତି। ଏପରିକି, ଚେୟାରରେ ନବସି ତା’ ଉପରେ ପଡ଼ିଥିବା ଟାୱେଲ୍‌କୁ ତଳେ ପକାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ତେବେ, ‌ବୈଠକରେ କେତେଜଣ ପ୍ରମୁଖ ପେସା ଆନ୍ଦୋଳନକାରୀ ଅନୁପସ୍ଥିତ ଥିବାରୁ ଜିଲ୍ଲାପାଳଙ୍କ ଉଦ୍ୟମ ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଲ୍ଲେଖନୀୟ ଯେ ‘ପେସା’ ଆନ୍ଦୋଳନକାରୀଙ୍କ ବିରୋଧ ଯୋଗୁ କୁତ୍ରା ବ୍ଲକ୍‌ରେ ଏକାଧିକ ବଡ଼ ସରକାରୀ ପ୍ରକଳ୍ପ ବନ୍ଦ ରହିଛି। ତା’ ଭିତରେ ଅଛି ଭେଲୁଆଁଡିହିରେ ୪୫ କୋଟି ଟଙ୍କାର ମେଗା ଜଳସେଚନ ପ୍ରକଳ୍ପ, ଜ୍ଞାନପାଲିରେ ୫ କୋଟି ଟଙ୍କାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ୫ ଲକ୍ଷ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ ଅନ୍ତର୍ଭୁକ୍ତ ରହିଛି।

ଗତ ସପ୍ତାହରେ ଜିଲ୍ଲାପାଳ କୁତ୍ରା ଆସି ଏହି ଅଞ୍ଚଳ ପରିଦର୍ଶନ କରିଥିଲେ। ତେଣୁ ସ୍ଥାନୀୟ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କର ମତ ଜାଣିବାଲାଗି ଆଜି ଜିଲ୍ଲାପାଳ ସେଠାକୁ ନିଜେ ଯାଇଥିଲେ। ଏହି ଆଲୋଚନା ବେଳେ କିଛି ପେସା ସମର୍ଥକ ମେଗା ଜଳସେଚନ ପ୍ରକଳ୍ପ ପାଇଁ ନଦୀରୁ ପାଣି ଦେବାକୁ ମନା କରୁଥିବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଦୋକାନ ଗୃହ ନିର୍ମାଣ ପାଇଁ ଆପତ୍ତି ନଥିବା ଦର୍ଶାଇଥିଲେ। ନଦୀଜଳ ନେଇ ସରକାର କମ୍ପାନିକୁ ଦେଇଦେବା ଆଶଙ୍କା ଲୋକଙ୍କ ଭିତରେ ରହିଥିବା ଆଲୋଚନାବେଳେ ଜଣାପଡ଼ିଥିଲା। ପେସା ସମର୍ଥକମାନେ କେତେକ ପ୍ରକଳ୍ପକୁ ସମର୍ଥନ କରୁଥିବା ବେଳେ ଉଠାଜଳସେଚ ପ୍ରକଳ୍ପକୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସରକାରୀ ପ୍ରକଳ୍କକୁ ବିରୋଧ କରୁଥିବା ୫ମ ଅନୁସୁଚିତ ସଂଘର କର୍ମକର୍ତ୍ତାମାନେ ବୈଠକରେ ଯୋଗ ଦେଇନଥିବାରୁ ଆଜିର ଆଲୋଚନା କେତେଦୂର ଫଳପ୍ରଦ ହେବ ତାହା ଦେଖିବାକୁ ବାକି ରହିଛି। ଅନ୍ୟପକ୍ଷରେ, ସମାଧାନର ବାଟ ବାହାର କରିବାଲାଗି ଜିଲ୍ଲାପାଳଙ୍କର ଏଭଳି ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି।

ବୈଠକରେ କୁତ୍ରା ବିଡିଓ ମାନସରଞ୍ଜ ରାୟ, କୁତ୍ରା ବ୍ଲକ ଚେୟାରମ୍ୟାନ୍ ପରାଗଲତା ଲାକଡା, ଭାଇସ୍ ଚେୟାରମ୍ୟାନ୍ କମଳା କୁଜୁର, ଜ୍ଞାନପାଲି ସରପଞ୍ଚ ଇନ୍ଦ୍ରା ଖାଲଖୋ ଓ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର