କୃଷକ ବଜାରକୁ ଉଠିଯିବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ : ହାଇକୋର୍ଟଙ୍କୁ ହସ୍ତାନ୍ତର କରାଯିବ ବର୍ତ୍ତମାନର କାର୍ଯ୍ୟାଳୟ!

କଟକ : କୃଷକ ବଜାର ପଛପଟେ ଥିବା ସରକାରୀ ଜମିକୁ ଉଠିଯିବ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଏଥିପାଇଁ ଜମି ଚିହ୍ନଟ ସରିଥିଲା ବେଳେ ପାଚେରୀ ନିର୍ମାଣ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ୍‌ କାର୍ଯ୍ୟରେ ଯୋଗଦେବା ପରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଅଫିସ୍‌ ସ୍ଥାନାନ୍ତର ନେଇ ଆଲୋଚନା କରିଥିଲେ। ପ୍ରାୟତଃ ସବୁଦିନ ବିକ୍ଷୋଭ, ଧାରଣା, ଇତ୍ୟାଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରାଯାଉଥିବାରୁ ଏଠାରେ କାର୍ଯ୍ୟ କରୁଥିବା କୋର୍ଟ, ଆର୍‌ଟିଓ, ବୋର୍ଡ ଅଫ୍‌ ରେଭିନ୍ୟୁ ଇତ୍ୟାଦି କାର୍ଯ୍ୟାଳୟ ଉପରେ ତାହାର ପ୍ରଭାବ ପଡୁଛି। ରାସ୍ତା ମଧ୍ୟ ଜାମ୍‌ ରହୁଛି। ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅନ୍ୟ କୌଣସି ଅଞ୍ଚଳକୁ ଉଠାଇ ନେବାକୁ ଚିନ୍ତା କରାଯାଇଥିଲା। ଏଥିପାଇଁ ଜମି ଚିହ୍ନଟ କରିବାକୁ ସଦର ତହସିଲଦାରକୁ ନିର୍ଦେଶ ଦିଆଯାଇଥିଲା। ତଦନୁଯାୟୀ, କୃଷକ ବଜାର ପାଖରେ ଏଥିପାଇଁ ୯ଏକର ଜମି ଚିହ୍ନଟ ହୋଇଥିଲାବେଳେ ସେଠାରେ ଏକାଧକ ମହଲା ବିଶିଷ୍ଟ କାର୍ଯ୍ୟାଳୟ ତିଆରି କରାଯିବାକୁ ଯୋଜନା ହୋଇଛି।

ପ୍ରସ୍ତାବିତ ନୂଆ ଜମିରେ ହେବାକୁ ଥିବା ପାଚେରୀ ‘ସରକାରୀ ଜମି ସୁରକ୍ଷା’ ଅଧିନରେ ବୁଲାଯିବ। ଆର୍‌ଆଣ୍ଡବି ଏହି କାର୍ଯ୍ୟ ସମ୍ପାଦନ କରିବ। ଏଥିପାଇଁ ବିଲ୍ଡିଂର ପ୍ଲାନ୍‌ ପ୍ରସ୍ତୁତ ଚାଲିଛି। ମାସେ ମଧ୍ୟରେ ପ୍ଲାନ୍‌ ସ୍ଥିର କରାଯାଇ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ଜଣାପଡ଼ିଛି। ଉକ୍ତ ବିଲ୍ଡିଂକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସବୁ ଅଫିସ୍‌ ଏବଂ ମାଜିଷ୍ଟ୍ରେଟ୍‌ କୋର୍ଟ ଉଠିଯିବ। ଅନ୍ୟପକ୍ଷରେ ବର୍ତ୍ତମାନ ଚାଲୁଥିବା ଜିଲ୍ଲାପାଳ କାର୍ଯ୍ୟାଳୟକୁ ହାଇକୋର୍ଟଙ୍କୁ ହସ୍ତାନ୍ତର କରାଯିବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ସବୁଠାରୁ ପୁରୁଣା କୋଠା ଭାବରେ ପ୍ରଥମେ କାର୍ଯ୍ୟ କରୁଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲୁଛି। ଉକ୍ତ କୋଠା ୧୮୯୨ ମସିହାରେ ନିର୍ମିତ ହୋଇଥିଲା। ୧୯୬୨ ମସିହାରେ ଜିଲ୍ଲାପାଳ କାର୍ଯ୍ୟାଳୟର କ୍ୟାଣ୍ଟିନ୍‌ ଓ ୧୯୩୬ ମସିହାରେ ବର୍ତ୍ତମାନ ଚାଲୁଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମିତ ହୋଇଥିଲା। ଯଦିଓ ଲୋକଙ୍କ ଯାତାୟତ ଦୃଷ୍ଟିରୁ ଏହା କିଛିଟା ସୁବିଧା ହେଉଥିଲା। କିନ୍ତୁ ଦୈନନ୍ଦିନ ବାହ୍ୟ କାର୍ଯ୍ୟକଳାପ ଯୋଗୁଁ କୋର୍ଟ କଚେରୀ କାର୍ଯ୍ୟରେ ବାଧା ଆସୁଥିଲା। ତେଣୁ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟକୁ ସ୍ୱତନ୍ତ୍ର ସ୍ଥାନକୁ ନିଆଗଲେ, ସେଠାରେ ବିକ୍ଷୋଭ କିମ୍ବା ଧାରଣା ହେଲେ ଅନ୍ୟ କେହି ସମସ୍ୟାରେ ପଡ଼ିବେନି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର