ମାଲକାନଗିରି ଛାଡ଼ିଲେ ଅତିରିକ୍ତ ଜିଲ୍ଲାପାଳ

ଜିଲ୍ଲାପାଳଙ୍କ ସହ ବିବାଦ ଘନୀଭୂତ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌)ଙ୍କ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଶୀତଳଯୁଦ୍ଧ ଆଜି ଭିନ୍ନ ମୋଡ଼ ନେଇଛି। ଏହି ବିବାଦ ଅଧିକ ଘନୀଭୂତ ହେବା ପରେ ଆଜି ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ଛାଡି ଚାଲିଯାଇଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲାକୁ ସରକାରୀ ଅଧିକାରୀ ସହଜରେ ଆସୁନଥିବାବେଳେ ଜଣେ ଅତିରିକ୍ତ ଜିଲ୍ଲାପାଳ ପା‌ହ୍ୟାର ଅଧିକାରୀ ବିତୃଷ୍ଣା ହୋଇ ଫେରିଯିବା ସରକାରୀ କର୍ମଚାରୀଙ୍କ ମହଲରେ ଚର୍ଚ୍ଚାର ଖେରାକ ଯୋଗାଇଛି। ଗତ ୪ ମାସ ପୂ‌େର୍ବ ଅତିରିକ୍ତ ଜିଲ୍ଲାପାଳ ଭାବେ ଅଯୋଧ୍ୟାକାନ୍ତ ଶତପଥୀ କାର୍ଯ୍ୟରେ ଯୋଗଦେଇଥିଲେ। ତାଙ୍କୁ କ୍ବାର୍ଟର ନମଳିବାରୁ ସେ ସର୍କିଟ ହାଉସରେ ରହି କାର୍ଯ୍ୟ କରୁଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସମସ୍ତ କାର୍ଯ୍ୟ ତୁଲାଉଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତି ସମୟରେ ଦୀର୍ଘ ଦିନ ଧରି ବଦଳି ହୋଇ ଜିଲ୍ଲାରୁ ରିଲିଭ ହୋଇପାରୁନଥିବା ବିଡିଓଙ୍କୁ ସେ ରିଲିଭ କରିଦେଇଥିବା ଯୋଗୁଁ ଏହାକୁ ନେଇ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ‌େହାଇଥିବା।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ବଢ଼ିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଗାଡିକୁ କାଢ଼ି ନିଆଯାଇଥିଲା। ଏହି ଘଟଣା ଖବରକାଗଜରେ ପ୍ରକାଶ ପାଇବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଜିଲ୍ଲାପାଳ ମନିଷ ଅଗ୍ରଵାଲ କିଛି ଜାଣିନଥିବା କିମ୍ବା ଏନେଇ ଅତିରିକ୍ତ ଜିଲ୍ଲାପାଳ କିଛି କହିନଥିବା ଗଣମାଧ୍ୟମକୁ କହିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାରେ ଇଭିଏମର ସୁପରଭାଇଜର ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଥିଲା। ପରେ ଏହି ଦାୟିତ୍ବରୁ କାଢ଼ି ନିଆଯାଇ ବିଡିଓଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏଭଳି ସ୍ଥିତିରେ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଇଭିଏମ୍ ରହିଥିବା ଗୃହର ଚାବି ଖୋଲିବାକୁ କୁହାଯାଇଥିଲା। ଏଭଳି ଛକାପଞ୍ଝା ଲାଗି ରହିଥିବାବେଳେ ଗତ କିଛିଦିନ ତଳେ ମାଓ ଉପଦ୍ରୁତ ପଡିଆ ବ୍ଲକରେ ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ନି‌େର୍ଦ୍ଦଶ ଦେଇଥିଲେ। ଅଭିଯୋଗ ଶୁଣାଣି ଦିନ ମାଓବାଦୀଙ୍କ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଥିଲା। କୌଣସି ସୁରକ୍ଷା ବ୍ୟବସ୍ଥା ନକରି ସେଠାକୁ ପଠାଯାଇଥିଲା। ବିନା ସୁରକ୍ଷାରେ ଅତିରିକ୍ତ ଜିଲ୍ଲାପାଳ ପଡିଆରେ ପହଞ୍ଚିଥିଲେ ହେଁ ଅଭିଯୋଗ ଶୁଣାଣିକୁ କୌଣସି ଲାଇନ ବିଭାଗର ଅଧିକାରୀ, ପିଡି ଡିଆରଡିଏ କିମ୍ବା ଉପଜିଲ୍ଲାପାଳ ପହଞ୍ଚି ନଥିଲେ। ବାଧ୍ୟ ହୋଇ ସେ ଫେରିଥିଲେ। ଜିଲ୍ଲାରେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପିଡି ଡିଆରଡିଏ ଓ ଜିଲ୍ଲାପାଳଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ କିଭଳି ଏଥିରୁ ବଂଚିତ କରାଗଲା ବୋଲି ସେ ଜାଣିବାକୁ ଚାହିଁଥିଲେ ବି କେହି ଶୁଣିନଥିଲେ।

ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶତପଥୀଙ୍କ ସହ ଯୋଗାଯୋଗ କରାଯିବାରୁ ତାଙ୍କ ପ୍ରତି ହୋଇଥିବା ଅବିଚାର ନେଇ ବଖାଣିଥିଲେ। ଗତ ଚାରି ମାସ ଭିତରେ ନା ଗାଡି ଦିଆଗଲା ନା ଘର ଦିଆଗଲା ନା ସୁରକ୍ଷା ଦିଆଗଲା ବୋଲି କହିଛନ୍ତି। ଜିଲ୍ଲାପାଳ ଜାଣିଶୁଣି ତାଙ୍କୁ ଏକାଘରକିଆ କରିଦେଲେ ବୋଲି ସେ କ୍ଷୋଭର ସହ କହିଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ଆଉ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି କହିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ ମନିଷ ଅଗ୍ରଵାଲଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିବା ସହ ଅତିରିକ୍ତ ଜିଲ୍ଲାପାଳ ଏଥିନେଇ କିଛି କହିନଥିବା କହି କଥାକୁ ଏଡ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର