ବନ୍ଦ ହେବନି ମଠ ଭଙ୍ଗା

ଅସନ୍ତୋଷ ବ୍ୟକ୍ତ କଲା ସର୍ବଦଳୀୟ କମିଟି, ୭୫ ମିଟର ଉଚ୍ଛେଦ ଜାରି ରହିବ: ଜିଲ୍ଲାପାଳ

ପୁରୀ : ବଡ଼ଦେଉଳର ଶ୍ରୀବୃଦ୍ଧି ଓ ସୁରକ୍ଷା ସହ କୌଣସି ପରିସ୍ଥିତିରେ ସାଲିସ୍ କରାଯିବନି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅବ୍ୟାହତ ରହିବ। ଅସୁରକ୍ଷିତ ଘୋଷଣା ସରିଥିବା ମଠ ଭଙ୍ଗା ଜାରି ରହିବ। ସର୍ବଦଳୀୟ କମିଟି ସହ ଆଲୋଚନା ପରେ ଆଜି ଏମିତି ରୋକଠୋକ୍ ଶୁଣାଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ। ତେବେ ମଠ ଭଙ୍ଗା କେବେ ହେବ ସେ ସଂପର୍କରେ ସ୍ପଷ୍ଟ କରିନଥିଲେ ମଧ୍ୟ ଖୁବଶୀଘ୍ର ଏହି ଅଭିଯାନ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ୧୫ ଜଣିଆ ସର୍ବଦଳୀୟ କମିଟି। ମଠ ଉଚ୍ଛେଦ ଆରମ୍ଭ ହେଲେ ବିରୋଧ ହେବ। ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବୁ ଏବଂ ମଠ ସଂସ୍କୃତିର ସୁରକ୍ଷା ପାଇଁ ଆଇନର ଆଶ୍ରୟ ନେବୁ ବୋଲି କହିଛି କମିଟି। ଏଭଳି ବିବାଦୀୟ ପରିସ୍ଥିତି ମଧ୍ୟରେ ଆଜି ଚତୁର୍ଥ ଦିନରେ ମଠ ଉଚ୍ଛେଦ କାମ ବନ୍ଦ ରହିଛି।

ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ପରେ ଜିଲ୍ଲା ପ୍ରଶାସନ ଗତ ୨୭ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମେ ଲଙ୍ଗୁଳି ମଠ ଓ ପରେ ଏମାର ମଠ ଭଙ୍ଗା ହୋଇଥିଲା। କିନ୍ତୁ ରବିବାର ଓ ଗଣେଶ ଚତୁର୍ଥୀ ଯୋଗୁଁ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମଠ ଭଙ୍ଗା କାର୍ଯ୍ୟ ବନ୍ଦ ରହିଥିଲା। ସେପ୍ଟେମ୍ବର ୨ରୁ ଏମାର ମଠର ବଳକା କୋଠାକୁ ଭାଙ୍ଗିବାକୁ ଯିବା ବେଳେ ବିରୋଧ ଯୋଗୁଁ ପ୍ରଶାସନ ଏଥିରେ ବିଫଳ ହୋଇଥିଲା। ପରଦିନ ଅର୍ଥାତ୍ ସେପ୍ଟେମ୍ବର ୩ରୁ ବଡ଼ଆଖଡ଼ା ମଠ ଉଚ୍ଛେଦ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଗତକାଲି ଏକାଧିକ ମାଜିଷ୍ଟ୍ରେଟ୍‌ ଓ ଶହ ଶହ ପୁଲିସ ଫୋର୍ସଙ୍କୁ ନେଇ ପହଞ୍ଚିବା ବେଳକୁ ବିରୋଧର ଶିକାର ହୋଇଥିଲା ପ୍ରଶାସନ। ମଠ ମହନ୍ତ, ନାଗା ସାଧୁସନ୍ଥମାନେ ଉଚ୍ଛେଦକୁ ଦୃଢ଼ ବିରୋଧ କରିବାକୁ ଜେସିବି ନେଇ ଭାଙ୍ଗିବାକୁ ଆସିଥିବା ଜିଲ୍ଲା ପ୍ରଶାସନ ଅଧାରୁ ଫେରି ଯାଇଥିଲା। ଏହା ପରେ ଗତକାଲି ବିଧାୟକ ଶ୍ରୀ ଷଡ଼ଙ୍ଗୀଙ୍କ ସହ ସେବାୟତ, ଆଇନଜୀବୀ, ବୁଦ୍ଧିଜୀବୀ, ମଠ ମହନ୍ତମାନଙ୍କୁ ନେଇ ପୁରୀ ସୁରକ୍ଷା ମଞ୍ଚ ନାଁରେ ୧୫ଜଣିଆ ସର୍ବଦଳୀୟ କମିଟି ଗଠନ କରାଯାଇଥିଲା। ଏହି କମିଟି ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଜିଲ୍ଲାପାଳଙ୍କୁ ଭେଟି ମଠ ଉଚ୍ଛେଦ ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ମଠ ଉଚ୍ଛେଦ ଓ ସୌନ୍ଦର୍ଯ୍ୟୀକରଣର ନକ୍ସାକୁ ଜନସାଧାରଣରେ ଉପସ୍ଥାପନ କରିବାକୁ ଦାବି କରିଥିଲା। ମଠ ସଂସ୍କୃତିକୁ ବଞ୍ଚାଇବା ପାଇଁ ଶ୍ରୀକ୍ଷେତ୍ରରେ ଆଗ ଥଇଥାନ କରି ପରେ ଉଚ୍ଛେଦ କରିବାକୁ କମିଟି ଦାବି ରଖିଥିଲା।

ଘଣ୍ଟାଏର ଆଲୋଚନା ସାରି ଫେରିବା ପରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ମଠ ଉଚ୍ଛେଦ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଶ୍ରୀ‌କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ଓ ସୁରକ୍ଷାକୁ ଆମେ ସ୍ବାଗତ କରୁଛୁ, କିନ୍ତୁ ମଠ ସଂସ୍କୃତି ବି ବଞ୍ଚି ରହୁ। ଜିଲ୍ଲାପାଳ ଆମ ଦାବି ପ୍ରତି ସମ୍ମାନ ଜଣାଇଛନ୍ତି ବୋଲି ବିଧାୟକ କହିଥିଲେ।

ଅନ୍ୟପକ୍ଷରେ ଏ ସଂପର୍କରେ ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି, କମିଟି ସହିତ ଆଜିର ଆଲୋଚନା ଫଳପ୍ରଦ ହୋଇଛି। ସମସ୍ତେ ବହୁ ଭଲ ଭଲ ପ୍ରସ୍ତାବ ଦେଇଛନ୍ତି। ତାକୁ ମୁଁ ସମ୍ମାନ ଜଣାଉଛି। କିନ୍ତୁ ମଠ ଉଚ୍ଛେଦ କୌଣସି ପରିସ୍ଥିତିରେ ବନ୍ଦ ହେବନାହିଁ। ଅସୁରକ୍ଷିତ ମଠ ଓ ଦୋକାନ ଘରଗୁଡ଼ିକୁ ଭଙ୍ଗାଗଲେ ବି ମଠର ମନ୍ଦିର ଓ ଗାଦି ଘରକୁ ସୁରକ୍ଷିତ ରଖାଯିବ। ୭୫ ମିଟର ପରିଧି ବାହାରେ ଶ୍ରୀମନ୍ଦିର ଜାଗାରେ ମଠ ମହନ୍ତ ଓ ଅନ୍ୟମାନଙ୍କୁ ଥଇଥାନ କରାଯିବ। ଶ୍ରୀମନ୍ଦିର ସଂସ୍କୃତି ସହିତ ଏହା ଯେପରି ଜଡ଼ିତ ରହିବ, ସେ ଦିଗ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯିବ। ମଠ ମହନ୍ତ ଓ ମଠ ସହ ଜଡ଼ିତ ଅନ୍ୟମାନଙ୍କ ସୁବିଧାକୁ ଅଗ୍ରାଧିକାର ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମଠ ଉଚ୍ଛେଦ ବନ୍ଦ ନିଷ୍ପତ୍ତି ନିଆଯାଇଛି କି ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳ କହିଛନ୍ତି, ସେପରି କିଛି ନିଷ୍ପତ୍ତି ହୋଇନି। କେବଳ ଆଲୋଚନା ମାଧ୍ୟମରେ କମିଟି ନିଜର ପ୍ରସ୍ତାବ ରଖିଛି। ଏହା ଉପରେ ବିଚାର କରାଯିବ।

ସମ୍ବନ୍ଧିତ ଖବର