ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା : ରାଜ୍ୟ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ

କଟକ: ସରପଞ୍ଚଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର ପ୍ରସଂଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ରାଜ୍ୟ ସରକାର କରୋନା ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରେ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ସରପଞ୍ଚଙ୍କୁ ଏପରି କ୍ଷମତା ପ୍ରଦାନ କରିଥିବା ବେଳେ ଏବେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି। ପୂର୍ବଭଳି ପ୍ରବାସୀ ବହୁ ଆଉ ରାଜ୍ୟକୁ ଫେରୁ ନାହାନ୍ତି । ଅନ୍ୟପକ୍ଷରେ ପୂର୍ବରୁ ସରପଞ୍ଚଙ୍କୁ ପ୍ରଦାନ କରାଯାଇଥିବା କ୍ଷମତା କିନ୍ତୁ ବଳବତ୍ତର ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। କେଉଁ ପରିସ୍ଥିତିରେ ଏବେ ସରପଞ୍ଚଙ୍କୁ ଏପରି କ୍ଷମତା ପ୍ରଦାନ ଜାରି ରହିଛି  ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧ ଜାନୁଆରି ୧୨ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଦ୍ଧେନ୍ଦୁ ନାରାୟଣ ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ଅଗଷ୍ଟ ୧୧ ତାରିଖ ଦିନ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳରେ କେତେକ ଅନୁସୂଚିତ ଜନଜାତି ବର୍ଗର ପରିବାରଙ୍କ ଘରକୁ ଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ସାଲେ‌ଭଟା ସରପଞ୍ଚଙ୍କ ନିର୍ଦ୍ଦେଶରେ ଏପରି କରାଯାଇଥିବା ଅଭିଯୋଗ ହୋଇଥିଲା। ୫ଟି ଭୂମିହୀନ ପରିବାରକୁ ସରକାରୀ ଜମି ଉପରେ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। ଏଥି ପାଇଁ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ତରଫରୁ ଅନୁମତି ଦିଆଯିବା ସହିତ ଆବାସ ଯୋଜନାରେ ଅର୍ଥ ମଞ୍ଜୁର କରାଯାଇଥିଲା।
ଏ ନେଇ କୌଣସି ବିବାଦ ନଥିବା ବେଳେ ନିର୍ମାଣ ଭାଙ୍ଗିବା ପାଇଁ ଅଦାଲତି ବା ପ୍ରଶାସନିକ ନିର୍ଦ୍ଦେଶ ନଥିଲା। କେବଳ ସରପଞ୍ଚଙ୍କ ନିର୍ଦ୍ଦେଶରେ ବେଆଇନ ଭାବେ ଗରିବଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଅଭିଯୋଗ ପରେ ଲୋଇସିଂହା ପୁଲିସ ମହିଳା ସରପଞ୍ଚଙ୍କୁ ଗିରଫ କରିଥିଲା। ସରପଞ୍ଚ କିନ୍ତୁ ନିଜ କାର୍ଯ୍ୟକୁ ସମର୍ଥନ କରି ଜିଲ୍ଲପାଳଙ୍କ କ୍ଷମତା ତାଙ୍କୁ ଦିଆଯାଇଛି ବୋଲି କହିଥିଲେ। ସରପଞ୍ଚଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ କ୍ଷମତାର ଏହା ଅପବ୍ୟବହାର ବୋଲି ସ୍ପଷ୍ଟ ହୋଇଥିଲା। ରାଜ୍ୟ ସରକାର କରୋନା ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରେ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ସରପଞ୍ଚଙ୍କୁ ଏପରି କ୍ଷମତା ପ୍ରଦାନ କରିଥିଲେ। ପରିସ୍ଥିତିର ମୁକାବିଲା ପାଇଁ ଓ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୯ ଓ ୬୦ରେ୨୦୨୦, ଏପ୍ରିଲ ୧୯ରେ ସରପଞ୍ଚଙ୍କୁ ଏପରି କ୍ଷମତା ପ୍ରଦାନ କରାଯାଇଥିଲା। କିନ୍ତୁ ଏଥି ପାଇଁ ସରକାର କିଛି ସ୍ପଷ୍ଟ ନିୟମାବଳୀ ଜାରି କରି ନଥିଲେ କି ସରପଞ୍ଚଙ୍କ ତାଲିମ ପାଇଁ କିଛି ପଦକ୍ଷେପ ଗ୍ରହଣ କରି ନଥିଲେ।

ଅନ୍ୟପକ୍ଷରେ ଅଧିକାଂଶ କ୍ଷେତ୍ରରେ ସରପଞ୍ଚ ଏଭଳି କ୍ଷମତାର ଅପବ୍ୟବହାର କରୁଥିବାର ଅଭିଯୋଗ ହୋଇଥିଲା। ଏବେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଓ ପ୍ରବାସୀମାନେ ପୂର୍ବଭଳି ବହୁ ସଂଖ୍ୟାରେ ଆଉ ଆସୁ ନାହାନ୍ତି। ଏପରି ପରିସ୍ଥିତିରେ ସରପଞ୍ଚଙ୍କୁ ଏପରି କ୍ଷମତା ବ୍ୟବସ୍ଥାର ଆଉ ଆବଶ୍ୟକ ନାହିଁ ବୋଲି ଆବେଦନକାରୀ ଦର୍ଶାଇ ଏହି ମାମଲା ରୁଜୁ କରିଥିଲେ। ଏ ସଂପର୍କିତ ପୂର୍ବର ନିର୍ଦ୍ଦେଶନାମା ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇ ଘର ଭାଙ୍ଗି ଦିଆଯାଇଥିବା ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ଦର୍ଶା‌ଯାଇଥିଲା। ମାମଲାରେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ପଞ୍ଚାୟତରାଜ ସଚିବ, ବଲାଙ୍ଗୀର ଜିଲ୍ଲାପାଳ, ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର