ଜିଲ୍ଲାପାଳଙ୍କ କଥା ଶୁଣୁନି ପୁଲିସ
ତହସିଲଦାରଙ୍କ ଏତଲାକୁ ବି ଗୁରୁତ୍ୱ ଦେଉନି
ଯାଜପୁର : ଯାଜପୁର ଜିଲ୍ଲାରେ ପଥର ମାଫିଆ ଓ ବାଲିମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲ୍ଲା ପୁଲିସ ଖୋଦ୍ ଜିଲ୍ଲାପାଳଙ୍କୁ ବି ସୁରକ୍ଷା ଯୋଗାଇ ପାରୁନାହିଁ। ଜଣେ ବିଜେଡି ନେତାଙ୍କ ଡ୍ରାଇଭର ଜିଲ୍ଲାପାଳଙ୍କୁ ନାଲି ଆଖି ଦେଖାଇ ଧମକ ଦେଇଥିଲେ ହେଁ ପୁଲିସ ମାମଲା ରୁଜୁ ନକରି ଏଡ଼ାଇ ଯାଇଛି। କହିଛି- ସେମିତି କିଛି ଅଭିଯୋଗ ହୋଇନାହିଁ। ମାତ୍ର ଜିଲ୍ଲାପାଳ ଆଜି ବି ଏକଥା ଦୋହରାଇବା ସହ ଥାନାରେ ଅଭିଯୋଗ କରାଯାଇଥିବା ‘ସମ୍ବାଦ’କୁ କହିଛନ୍ତି। ଏଭଳି ସ୍ଥିତିରେ ପୁଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହା ନିୟନ୍ତ୍ରଣରେ ପୁଲିସ ବୋଲି ପ୍ରଶ୍ନ ଉଠୁଛି।
ଗତ ଦଶନ୍ଧିରେ କେନ୍ଦୁଝର ଜିଲ୍ଲାର ଯୋଡ଼ା-ବଡ଼ବିଲରେ ଯେପରି ଖଣି ମାଫିଆମାନେ କୋଟିପତି ହୋଇ ଧରାକୁ ସରା ମଣି ଆଇନ କାନୁନକୁ ନିୟନ୍ତ୍ରଣ କରିଥିଲେ, ଠିକ୍ ସେହିପରି ଲଘୁ ଖଣିଜ ସଂପଦର ପେଣ୍ଠସ୍ଥଳୀ ଯାଜପୁର ଜିଲ୍ଲାରେ ମାଫିଆମାନେ ଅନୁରୂପ ଭାବେ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ପାହାଡ଼, ଜଙ୍ଗଲ ଓ ବାଲି ଘାଟରୁ କୋଟି କୋଟି ଟଙ୍କାର ଲଘୁ ଖଣିଜ ସଂପଦ ବାଲି, ଗୋଡ଼ି, ପଥର, ମୋରମ ଲୁଟ କରିବାରେ ମାଫିଆମାନେ ଲାଗିଛନ୍ତି। ବିଶେଷ କରି ରାଜନେତାଙ୍କ ସହଯୋଗରେ ଅର୍ଥବଳୀ ହୋଇଉଠିଥିବା ବାହୁ ବଳି ମାଫିଆମାନେ ଏବେ ଜିଲ୍ଲାର ସମାନ୍ତରାଳ ଶାସନ ଆରମ୍ଭ କରି ଦେଇଛନ୍ତି। ବେଆଇନ୍ ଚିପ୍ସ୍ ଚାଲାଣ ତନଖି କରୁଥିବା ବେଳେ ଯାଜପୁର ଆରଟିଓ ମନୋଜ ବେହେରାଙ୍କ ଉପରେ ଟ୍ରକ ଚଢାଇ ମାରି ଦେବାର ଗୋଟିଏ ଦିନ ଯାଇନି ବାଲି ମାଫିଆମାନେ ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ଟ୍ରକ ଚଢାଇ ମାରି ଦେବାକୁ ଧମକ ହେବା ସହିତ ମାରଧର କରିଛନ୍ତି। ଯାହାକୁ ନେଇ ଗତକାଲି ପାଣିକୋଇଲି ଥାନାରେ କେସ ନମ୍ବର ୧୮ରେ ଦଫା ୩୪୧, ୨୯୪, ୩୨୩, ୩୫୩,୫୦୬/ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ରୁଢିଆ ବାଲି ଘାଟ ନେଇଥିବା ମାଲିକ ପ୍ରତ୍ୟୁଷ କୁମାର କର ଓ ରଣଜିତ ସାହୁଙ୍କ ନାମରେ ମାମଲା ହୋଇଛି। ଦୁଇଦିନ ବିତିଯାଇଥିଲେ ମଧ୍ୟ ପୁଲିସ କେବଳ ମାମଲା ରୁଜୁ କରି ଚୁପ ବସିଛି।
ସେହିପରି ଗତକାଲି ଭୁଲ୍ ରାସ୍ତାରେ ଯାଉଥିବା ବିଜେଡି ନେତା ଦୈତାରୀ ଧଳଙ୍କ ଟ୍ରକକୁ ସ୍ୱୟଂ ଜିଲ୍ଲାପାଳ ରଂଜନ କୁମାର ଦାସ ଅଟକାଇ ଥିଲେ। ଅଥଚ ଶ୍ରୀ ଧଳଙ୍କ ଡ୍ରାଇଭର ଓଲଟା ଜିଲ୍ଲାପାଳଙ୍କ ସୁରକ୍ଷା କର୍ମୀଙ୍କୁ ଧମକ ଦେଇଥିଲା। ଯାହାକୁ ନେଇ ଜିଲ୍ଲାପାଳ ଓ ଶ୍ରୀ ଧଳଙ୍କ ପକ୍ଷରୁ ପାଣିକୋଇଲି ଥାନାରେ ମାମଲା ରୁଜୁ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ମାତ୍ର ରାତିରେ କଣ ଭିତିରି ବୁଝାମଣା ହେଲାଯେ ଥାନା ଅଧିକାରୀ ଶରତ ପାତ୍ର କହିଛନ୍ତି କେବଳ ତହସିଲଦାର କେସ୍ ଦେଇଛନ୍ତି। ଜିଲ୍ଲାପାଳ କିମ୍ବା ତାଙ୍କ ସୁରକ୍ଷା କର୍ମୀ କିଛି ଏତଲା କରି ନାହାନ୍ତି ବୋଲି ଆଇଆଇସି ଶ୍ରୀ ପାତ୍ର କହିଛନ୍ତି।
ଜିଲ୍ଲାପାଳ ରଂଜନ କୁମାର ଦାସ ସମ୍ବାଦକୁ କହିଛନ୍ତି ଯେ, ଭୁଲ୍ ପଟେ ଯାଉଥିବା ଟ୍ରକ ଡ୍ରାଇଭର ନିଜର ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ନାଲିଆଖି ଦେଖାଇଥିଲା। କହିଥିଲା, ସେ ଦୈତାରୀ ଧଳର ଡ୍ରାଇଭର। ସେ ନେଇ ପାଣିକୋଇଲିରେ ଏତଲା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି। ଅଥଚ ଥାନା ଅଧିକାରୀ କହିଛନ୍ତି ସେପରି କିଛି ମାମଲା ହୋଇନାହିଁ।
ସ୍ମରଣଯୋଗ୍ୟ ବର୍ଷେ ପୂର୍ବରୁ ୨୦୧୬ ଡ଼ିସେମ୍ବର ୩୧ତାରିଖରେ ଚୋରା ଚିପ୍ସ ନେଇଯାଉଥିବା ହାଇଓ୍ଵାକୁ ଜିଲ୍ଲାପାଳଙ୍କ ସ୍କ୍ଵାଡର ଆରଆଇମାନେ ଧରିବାରୁ ସେମାନଙ୍କୁ ମାଡ଼ ହୋଇଥିଲା। ଆଶୀର୍ବାଦ କନ୍ଷ୍ଟ୍ରକସନ୍ ମାଲିକ ପର୍ଶୁରାମ ଦାଶ ଓ ତାଙ୍କ ସହଯୋଗୀ ଆକ୍ରମଣ କରି ଗାଡ଼ି ଛଡ଼ାଇ ନେଇଥିଲେ। ଏଥି ନେଇ ପାଣିକୋଇଲି ଥାନାରେ ଆରଆଇ ବାବୁଲାଲ ସାମଡ଼, ବସନ୍ତ ଦେହୁରୀଙ୍କ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଆଟ୍ରୋସିଟି ଭଳି ସଂଗିନ ଦଫାରେ କେସ୍ ହୋଇଥିଲା। ମାତ୍ର ଭୟଭୀତ ଆରଆଇ ଦ୍ଵୟଙ୍କ ଠାରୁ ସତ୍ୟପାଠ କରାଇ ନେଇ କେସ୍କୁ ରଫାଦଫା କରି ଦିଆଯାଇଛି। ଏପରିକି ଶାସକ ଦଳ ନେତାଙ୍କ ନିକଟ ଲୋକ ଶ୍ରୀ ଦାଶଙ୍କ ନାମରେ ଥିବା କେସ୍ ମିଛ ବୋଲି ତଦନ୍ତ କରୁଥିବା ଡ଼ିଆଇବିର ଡିିଏସପି ସୁରେଶ ଚନ୍ଦ୍ର ଜେନା ଚାର୍ଜ ସିଟ୍ ଦାଖଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/truck.jpg)