ସୋହେଲା : ଛତିଶଗଡ଼ରେ ମିଶିବାକୁ ‌ଲୋକଙ୍କ ଦାବି ପରେ ସୀମାନ୍ତ ଗାଁ ବୁଲିଲେ ଜିଲ୍ଲାପାଳ

ସୋହେଲା : ସୋହେଲା ବ୍ଲକ ଅନ୍ତର୍ଗତ ସୀମାନ୍ତ ଗ୍ରାମଗୁଡ଼ିକୁ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ପରିଦର୍ଶନ କରିଛନ୍ତି। ସେ କରଣ୍ଡୋଲା ପଂଚାୟତର ଦାମପାଲି, ରେଂଗାଲି ପଂଚାୟତର କଂସରଟିକିରା, ଚକବାହାଲ ଓ ମାଛିମୋରା, ପଣ୍ଡକିପାଲି ପଂଚାୟତର କୁଦୋପାଲି ଓ ପଣ୍ଡକିପାଲି ଏବଂ ତବଡା ପଂଚାୟତର କୁଡାପାଲି ଗ୍ରାମ ପରିଦର୍ଶନ କରିଥିଲେ ।

ଦାମପାଲିରେ ଗାଁରେ ଲୋକେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଥିବା ନେଇ ଅଭିଯୋଗ କରିଥିଲେ। ଗ୍ରାମ ସୀମାରେ ଥିବା ସାପ୍ତାହିକ ବଜାର ପ୍ରାଂଗଣର ଉନ୍ନତିକରଣ ପାଇଁ ଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। କଂସରଟିକିରା ଗାଁରେ ଥିବା ରାସ୍ତା ସମସ୍ୟା, ଚକବାହାଲ ଗ୍ରାମର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଗ୍ରାମ ନିକଟରେ ରହିଥିବା ଛତିଶଗଡ଼ ସୀମାବର୍ତୀ ଅଂଚଳର ରାସ୍ତା ନିରୀକ୍ଷଣ କରିଥିଲେ । ଗସ୍ତ ବେଳେ ସୋହେଲା ବିଡିଓ ବିଶ୍ୱରଂଜନ କର, ତହସିଲଦାର ମାନସ ରଂଜନ ସ୍ୱାଇଁ, ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ, ରେଂଗାଲି ପଂଚାୟତର ପୂର୍ବତନ ସରପଂଚ ଯାଦବ ବେହେରା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଜିଲ୍ଲାର ସୀମାନ୍ତବର୍ତୀ ଗ୍ରାମବାସୀ ବିଭିନ୍ନ ସମସ୍ୟା ଭିତରେ ରହିଛନ୍ତି। ବାରମ୍ବାର ଦାବି ପରେ ବି କିଛି ରାସ୍ତା, ପୋଲ ଭଳି ମୌଳିକ ସୁବିଧା ପୂରଣ ହେଉନାହିଁ। ଫଳରେ କିଛି ସ୍ଥାନରେ ଗ୍ରାମବାସୀ ଛତିଶଗଡ଼ରେ ମିଶିବାକୁ ମଧ୍ୟ ପ୍ରୟାସ ଆରମ୍ଭ କଲେଣି। ଫଳରେ ଲଗାତାର କିଛି ଦିନ ହେଲା ସୀମାନ୍ତବର୍ତୀ ଗାଁଗୁଡ଼ିକୁ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଗସ୍ତ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର