ହରଭଙ୍ଗା : ହରଭଙ୍ଗା ବ୍ଲକ୍ ବାଣୀଭୂଷଣପୁର ପଞ୍ଚାୟତ ତିଲିକପୁରଠାରେ ଥିବା ଛାତ୍ରୀନିବାସଟି ଭୂତକୋଠି ପାଲଟିଥିବା ସମ୍ପର୍କରେ ଏକ ଖବର ଶୁକ୍ରବାର ସମ୍ବାଦରେ ପ୍ରକାଶ ପାଇଥିଲା। ଖବରଟିକୁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗୁରୁତ୍ବ ଦେଇ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହ ଛାତ୍ରୀନିବାସର ଭିତ୍ତିଭୂମି ପରିଦର୍ଶନ କରିଥିବା ଜଣାପଡ଼ିଛି। ନିର୍ମାଣ ସରିଥିବା ଛାତ୍ରୀନିବାସଟି କାହିଁକି ଏତେବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରିନି ସେ ବିଷୟରେ କର୍ମଚାରୀମାନଙ୍କୁ ପଚାରିବୁଝିବା ସହିତ ଫାଟକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ରାସ୍ତାଦେଇ ଖୋର୍ଦ୍ଧା-ବଲାଙ୍ଗୀର ପ୍ରସ୍ତାବିତ ରେଳପଥ ଅତିକ୍ରମ କରିବାକୁ ଥିବାରୁ ଛାତ୍ରୀନିବାସଟି କାର୍ଯ୍ୟକ୍ଷମ ହୋଇପାରି ନ ଥିବା ଅଧିକାରୀମାନେ ଜିଲ୍ଲାପାଳଙ୍କୁ ବୁଝାଇଥିଲେ। ତେବେ ରେଳପଥ ନିର୍ମାଣ ପୂର୍ବରୁ ବିଗତ ୧୦ ବର୍ଷ ହେଲା କାହିଁକି ଛାତ୍ରୀନିବାସଟି କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା, ତାର ଉତ୍ତର କେହି ଦେଇପାରି ନ ଥିଲେ।

Advertisment

ସୂଚନାଯୋଗ୍ୟ ଯେ, ଅନୂସୂଚିତ ଜାତି ଓ ଜନଜାତି ଛାତ୍ରୀମାନଙ୍କ ଶିକ୍ଷାର ବିକାଶ ପାଇଁ ତିଲିକପୁରଠାରେ ୨୦୦୮–୦୯ ଆର୍ଥିକ ବର୍ଷରେ ସମ୍ପୃକ୍ତ ଛାତ୍ରୀନିବାସଟି ୩୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରା ଯାଇଥିଲା। ୧୦୦ ଶଯ୍ୟାବିଶିଷ୍ଟ ଏହି ଛାତ୍ରୀନିବାସଟି ୧୦ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇ ନ ପାରି ପଡ଼ି ରହିଥିଲା। ଏହାସତ୍ତ୍ବେ ବିଭାଗୀୟ କର୍ତ୍ତୃପକ୍ଷ ପୁଣିଥରେ ୭ ଲକ୍ଷ ୪୪ ହଜାର ଟଙ୍କା ଅନୁଦାନରେ ଏହାର ପାଚେରି କାର୍ଯ୍ୟ ନିର୍ମାଣ କରିଥିଲେ। ତେବେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅତିକ୍ରମ କରିବା ନେଇ ସ୍ଥିତି ସ୍ପଷ୍ଟ ହେବାପରେ ମଧ୍ୟ କାହିଁକି ପାଚେରୀ ପାଇଁ ଅର୍ଥରାଶି ଦିଆ ଯାଇଥିଲା, ସେ ନେଇ ବି କାହା ପାଖରେ ଉତ୍ତର ନାହିଁ।