ଗଡ଼ଗଡ଼ିଆ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ପ୍ରସଂଗ: ଜିଲ୍ଲାପାଳଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

କଟକ: କୋଭିଡ-୧୯ ନିୟମ ପାଳନ କରି ମହାନଦୀର ଗଡ଼ଗଡ଼ିଆ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ଅନୁମତି ପ୍ରସଂଗରେ କଟକ ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ପରିସ୍ଥିତିକୁ ବିଚାରକୁ ନେଇ ଜିଲ୍ଲାପାଳ ନିଷ୍ପତ୍ତି ଗ୍ରହଣ କରିବାକୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ମହାନଗର ତୈଳିକ ବୈଶ୍ୟ ସମାଜ ସାଧାରଣ ସଂପାଦକ ସିଏସ୍ ସରୋଜ କୁମାର ସାହୁ ଦାୟର କରିଥିବା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପ୍ରତିବର୍ଷ ଆବେଦନକାରୀ ଅନୁଷ୍ଠାନ ପକ୍ଷରୁ ଗଡ଼ଗଡ଼ିଆ ଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ସ୍ଥିତିରେ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ ଏକ ପ୍ରେସ୍ ରିଲିଜ୍ ମାଧ୍ୟରେ ଅକ୍ଟୋବର ୩୦ରେ ସୂଚନା ଦେଇଥିଲେ।

ପ୍ରଶାସନର ଏଭଳି ନିଷ୍ପତ୍ତି ସଂପର୍କରେ ଆବେଦନକାରୀ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜାଣିବାକୁ ପାଇଥିଲେ। ସାମାଜିକ ଦୂରତ୍ବ ବଜାୟ ରଖି, ମାସ୍କ ପିନ୍ଧି ଓ ଅନ୍ୟାନ୍ୟ ନିୟମାବଳୀ ପାଳନ କରି ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯାଇ ପାରିବ। ଏଥି ପାଇଁ ଅନୁମତି ଦିଆଯାଉ ବୋଲି ଦର୍ଶାଇ ଆବେଦନକାରୀ ନଭେମ୍ବର ୨ରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନୁରୋଧ କରିଥିଲେ। ଏଥି ସହିତ ଏ ନେଇ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିଲା।  କିନ୍ତୁ କିଛି ପଦକ୍ଷେପ ଗ୍ରହଣ କରା ନଯିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀ ଦର୍ଶାଇଥିଲେ ଯେ ପୂର୍ବରୁ ସାଧବ ପୁଅ ମାନେ ମାଲେସିୟା, ଇଣ୍ଡୋନେସିଆ, ଜାଭା, ବାଲି ଭଳି ଦୀପକୁ ଜାହଜ ନେଇ ଯାଉଥିବା ବେଳେ ଏହି ସ୍ମୃତିକୁ ଜୀବିତ କରି ରଖିବା ପାଇଁ ଅନୁଷ୍ଠାନ ବହୁ ବର୍ଷ ହେବ କାର୍ତ୍ତିକ ପୂର୍ଣ୍ଣିମା‌ ଦିନ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରି ଆସୁଛି।

ଏଭଳି ସଂସ୍କୃତି ଓ ପରମ୍ପାରା ସହିତ ଜଡିତ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ ନୁହେଁ। କୋଭିଡ-୧୯ ନିୟମ ମାନି ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁଷ୍ଠାନ ପ୍ରସ୍ତୁତ ଥିବା ବେଳେ ଏଥି ପାଇଁ ପ୍ରଶାସନ ଅନୁମତି ଦେବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲାରେ ସଂସ୍କୃତି ବିଭାଗ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ପୁଲିସ କମିସନର, କଟକ ଜିଲ୍ଲାପାଳ, ସିଏମସି କମିସନରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର