ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନର ଜୋନ୍ ଚିହ୍ନଟ କରିବେ: ମୁଖ୍ୟ ଶାସନ ସଚିବ

ରାଜ୍ୟ ରାଜ୍ୟ ମଧ୍ୟରେ ବସ ଚାଲିବା ନେଇ ନିଷ୍ପତ୍ତି ହୋଇନାହିଁ

ଭୁବନେଶ୍ୱର: ଲକଡାଉନ ଚଳିତ ମାସ ୩୧ ତାରିଖ ଯାଏ ବଢ଼ିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ୪ର୍ଥ ପର୍ଯ୍ୟାୟର ଲକଡାଉନ ନିୟମ ପାଳନ କରିବେ । ମାତ୍ର ଏଥିରେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନରଙ୍କୁ ଅଧିକ କ୍ଷମତା ମିଳିଛି । ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନରମାନେ ଏଣିକି ଜୋନ ଚିହ୍ନଟ କରିବେ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ରେଡ, ଅରେଞ୍ଜ ଓ ଗ୍ରୀନ ଜୋନକୁ ସ୍ଥାନୀୟ ଅଧିକାରୀମାନେ ଚିହ୍ନଟ କରିବେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାର କଟକଣା ଜାରି ରହିବ । କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲ କଣ୍ଟେନମେଣ୍ଟ ଜୋନ ଭଳି କଟକଣା ରହିବ । ବାହାରେ କୌଣସି ବ୍ୟକ୍ତି ଛେପ ପକାଇ ପାରିବେ ନାହିଁ । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ । ସଂପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରାଯିବ । ସାମାଜିକ ଦୂରତ୍ୱ ୨ ମିଟର ବ୍ୟବଧାନ ରଖିବା ସମସ୍ତଙ୍କ ପାଇଁ ଜରୁରୀ ।

ଆମେ ବହୁତ ଭଲ ସ୍ଥିତିରେ ଅଛୁ । ରାଜ୍ୟରେ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦିନକୁ ପ୍ରାୟ ୫ ହଜାର ନମୁନା ଟେଷ୍ଟିଂ ହୋଇପାରୁଛି । ଆଗାମୀ ଦିନରେ ଟେଷ୍ଟିଂକୁ ୧୦ ହଜାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଆଗାମୀ ଦିନରେ ସଫଳ ହେବ ବୋଲି ଆଶା କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଅର୍ଥନୈତିକ ଗତିବିଧି ଫେରାଇ ଆଣିବାକୁ ଉଦ୍ୟମ ହୋଇଛି । କୃଷି, ଉଦ୍ୟାନ, ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି । ୪.୦ରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । କାରଣ ଏହି ପର୍ଯ୍ୟାୟରେ ଅନେକ କଟକଣା ଉଠିଯିବ । ରାଜ୍ୟ ରାଜ୍ୟ ମଧ୍ୟରେ ବସ ଚାଲିବା ନେଇ ନିଷ୍ପତ୍ତି ହୋଇନାହିଁ । ବାଇକ, ଘରୋଇ ଗାଡ଼ି, ଟ୍ୟାକ୍ସି ଚାଲିପାରିବ ।

ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିବ ନାହିଁ । କିନ୍ତୁ ଏୟାର ଆମ୍ବୁଲାନ୍ସ ପାଇଁ ଅନୁମତି ମିଳିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଅନଲାଇନ ପାଠପଢ଼ା ଚାଲୁ ରହିବ । ହେଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ପାଇଁ କୌଣସି ଅସୁବିଧା ନାହିଁ । କ୍ୟାଣ୍ଟିନ ସିନେମା, ସପିଂମଲ, ଜିମ, ଅଡିଟୋରିୟମ ଆଦି ବନ୍ଦ ରହିବ । ସ୍ପୋଟର୍ସ କଂପ୍ଲେକ୍ସ ଓ ଷ୍ଟାଡିୟମ୍ ପରିସର ଖୋଲିବ । ଖେଳାଳି ଭିତରକୁ ପ୍ରବେଶ କରି ପାରିବେ କିନ୍ତୁ ଦର୍ଶକମାନେ ଯାଇପାରିବେ ନାହିଁ । ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ ।

ସମ୍ବନ୍ଧିତ ଖବର