ଭୁବନେଶ୍ୱର : ସମ୍ବଲପୁର ଭଳି ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିଷ୍ଠା ହେବ ସାଇନ୍ସ ପାର୍କ। ଫ୍ଲୋରାଇଡ଼ ପ୍ରଭାବିତ ନୂଆପଡ଼ାକୁ ଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଏହି ଜିଲ୍ଲା ଅନ୍ତର୍ଗତ ୩୦୦ ଗାଁକୁ ଫ୍ଲୋରାଇଡ଼ ମୁକ୍ତ ପାଣି ଯୋଗାଇ ଦିଆଯିବ।
ଆଜି ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳିି ୧୦ଟି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। ଜିଲ୍ଲାପାଳମାନେ ଧରାଇଥିବା ପ୍ରମୁଖ ସମସ୍ୟାର ଲମ୍ବା ତାଲିକା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏସବୁକୁ ପୂରଣ କରାଯାଇଛି। ବାକି ସମସ୍ୟା ସଂପର୍କରେ ଖୁବ୍ ଶୀଘ୍ର ସରକାର ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟତଃ ତିନିଟି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକଙ୍କ ସହିତ ଯୋଡ଼ି ହେବା ଲାଗି ପରାମର୍ଶ ଦେଇଛନ୍ତି ଅଧିକାରୀଙ୍କୁ। ବିକାଶକୁ ପ୍ରାଥମିକତା ଦିଆଯାଇଛି ଓ ଏଥିପାଇଁ ୮ମାସର କଣ୍ଟ ରଖିଛନ୍ତି ନବୀନ। ସେହିଭଳି ଗରିବମୁକ୍ତ ରାଜ୍ୟ ଗଠନ ଲାଗି ପ୍ରବର୍ତାଇଛନ୍ତି।
ପ୍ରଶାସନରେ ଲୋକଙ୍କୁ ମୂଳପିଣ୍ଡ ବା କେନ୍ଦ୍ରବିନ୍ଦୁ ବୋଲି ସଙ୍କେତ ଦେଇ ସେମାନଙ୍କ ହିତ ପାଇଁ କାମ କରିବା ଲାଗି ଆହ୍ଵାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ, ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରି ସମାଜର ଶେଷ ବର୍ଗର ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ପଡ଼ିିବ। ଏହି ଅବସରରେ ସବୁସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରିବା ଲାଗି ନିର୍ଦେଶ ଦେଇଥିଲେ।
ଆଜି ଜିଲ୍ଲାପାଳ ସମ୍ମିଳନୀର ପୂର୍ବାହ୍ନ ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏଣିକି ପ୍ରତି ମାସରେ ଜିଲ୍ଲାପାଳମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବ। ପ୍ରତି ମାସରେ ସଚିବମାନେ ଜିଲ୍ଲା ଗସ୍ତରେ ଯାଇ ସରକାରୀ ଯୋଜନା କାର୍ଯ୍ୟାନ୍ଵୟନର ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ଯୋଜନା ତଳସ୍ତରରେ ପହଞ୍ଚୁଛି କି ନାହିଁ, ତାହାର ତଦାରଖ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତ ଜୁନ୍ ମାସରେ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀ ସମ୍ପର୍କରେ ସ୍ମରଣ କରାଇ ଟେକନୋଲୋଜି, ଟିମ୍ ଓ୍ାର୍କ ଓ ଟ୍ରାନ୍ସପରେନି୍ସ ବା ବୈଷୟିକ ଜ୍ଞାନର ଉପଯୋଗିତା, ଦଳଗତ କାର୍ଯ୍ୟ ଓ ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୮ ମସିହା ମୌସୁମୀ ଆସିବାକୁ ଆହୁରି ୮ ମାସ ବାକି ଅଛି। ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ବିକାଶ କାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ପଡ଼ିବ। ମାସେ ପରେ ସେ ନିଜେ ଏହି ସବୁ ବିକାଶ କାର୍ଯ୍ୟର ସମୀକ୍ଷା କରିବେ।
ସେହିଭଳି ପ୍ରତିମାସ ପ୍ରଥମ ସପ୍ତାହରେ ସଚିବମାନେ ୪ ଦିନ ପାଇଁ ଜିଲ୍ଲା ଗସ୍ତରେ ଯିବେ ବୋଲି ସୂଚନା ଦେଇ ନବୀନ କହିଥିଲେ, ସେମାନେ ସରକାରଙ୍କ ଯୋଜନା ତଳସ୍ତରେ କିପରି କାର୍ଯ୍ୟକାରୀ କରାଯାଉଛି ତା’ର କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିବେ। କେବଳ ଏହି ଅଧିକାରୀ ନୁହନ୍ତି, ସରକାରୀ ଯୋଜନାର କାର୍ଯ୍ୟାନ୍ଵୟନ ପାଇଁ ବିଭାଗୀୟ ମୁଖ୍ୟଙ୍କଠାରୁ ଆରମ୍ଭ କରି ବ୍ଲକ୍ ସମ୍ପ୍ରସାରଣ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷେତ୍ର ପରିଦର୍ଶନରେ ଯିବାକୁ ପଡ଼ିବ ବୋଲି ଆଜି ତାଗିଦ୍ କରିଥିଲେ ମୁଖ୍ୟମନ୍ତ୍ରୀ। ସଚିବ ଓ ଜିଲ୍ଲାପାଳ ଏହାର ସମୀକ୍ଷା କରିବା ଲାଗି ସେ କହିଥିଲେ।
ଜିଲ୍ଲାର ପ୍ରମୁଖ ୩ରୁ ୫ଟି ସମସ୍ୟା ସଂପର୍କରେ ଜଣାଇବା ଲାଗି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ସେ ଆଧାରରେ ବିଭିନ୍ନ ଜିଲ୍ଲାପାଳ ଦେଇଥିବା ପ୍ରସ୍ତାବ ମଧ୍ୟରୁ ଆଜି ୧୦ଟିକୁ ସରକାର ପୂରଣ କରିଛନ୍ତି। ଅପରାହ୍ନ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କହିଥିଲେ, କୋରାପୁଟ ଜିଲ୍ଲାରେ ୭ଟି ରେଲୱେ ଅଣ୍ଡର ପାସ୍ ତିଆରି କରାଯିବାକୁ ସ୍ଥିର ହୋଇଛି। ଲୁଣା ପ୍ରଭାବିତ ଭଦ୍ରକ, ପୁରୀ ଓ କେନ୍ଦ୍ରାପଡ଼ା ଭଳି ୩ଟି ଜିଲ୍ଲାକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଯେଉଁ ସବୁ ଅଞ୍ଚଳରେ କର୍କଟ ରୋଗ ଅଧିକ, ତା’ ସଂଲଗ୍ନ ଡାକ୍ତରଖାନାରେ କେମୋଥେରାପି ସୁବିଧା ପ୍ରଦାନ କରାଯିବ। ନିର୍ମାଣ ଶ୍ରମିକଙ୍କ ପେନ୍ସନ୍ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯାଇଛି ଓ ଏଣିକି ଜିଲ୍ଲାସ୍ତରରେ ଏହାକୁ ମଞ୍ଜୁରି ଦିଆଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ, ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଅଞ୍ଚଳରେ ଉଠା ଜଳସେଚନ ପଏଣ୍ଟକୁ ତୁରନ୍ତ ମରାମତି କରାଯିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରରେ ୧୨୧ଟି ଡାଏଲିସିସ୍ ୟୁନିଟ୍ ବଣ୍ଟନ ଖୋଲାଯିବ ଏବଂ କେବିକେ ଜିଲ୍ଲା ପାଇଁ ଥିବା ସ୍ୱାସ୍ଥ୍ୟ କର୍ପସ ପାଣ୍ଠି ଏବେ ସବୁ ଆଦିବାସୀ ଜିଲ୍ଲାକୁ ପରିବର୍ଧିତ କରାଯିବ। ପୁରୀ ଜିଲ୍ଲାକୁ ସ୍ୱତନ୍ତ୍ର ପ୍ରୋଟୋକଲ୍ ଓ୍ଵିଙ୍ଗ୍ ଭାବେ ଘୋଷଣା କରାଯାଇଛି। ଏହି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାମକୁ ଅଧିକ ଗୁରୁତ୍ୱ ଦିଆଯିବ।
ଏହି ସମ୍ମିଳନୀରେ ମମତା, କୂପ, ଗଭୀର କୂପ ଏବଂ ଉଠାଜଳସେଚନ, ନିରାମୟ, ପାନୀୟଜଳ, ସାଧାରଣ ବଣ୍ଟନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ସର୍ବଶିକ୍ଷା ଅଭିଯାନ ଏବଂ ଛାତ୍ରାବାସ, ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଗ୍ରାମ୍ୟ ବିଦ୍ୟୁତକରଣ, ବିଭିନ୍ନ ପେନ୍ସନ ଯୋଜନା ସମେତ ସମନ୍ଵିତ ଶିଶୁ ବିକାଶ ଯୋଜନା ଉପରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ସଚିବ ଓ ଜିଲ୍ଲାପାଳମାନେ ଦିନତମାମ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Collectors-conference.jpg)
