ନବୀନଙ୍କ ପରାମର୍ଶ : ‘ମୋ ପରିବାର’ କଥା ଆଗ ବୁଝ

ନବୀନଙ୍କ ପରିବାର ସାଢ଼େ ଚାରିକୋଟି ଓଡ଼ିଶାବାସୀ, ବରିଷ୍ଠ ଅଧିକାରୀମାନଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ‘‘ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋର ପରିବାର। ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ଧରି ସେବା କରିଆସୁଛି। ପରିବାରର ଭଲମନ୍ଦ ବୁଝିବା ସହିତ ଉନ୍ନତି କରିବା ମୋର ଦାୟିତ୍ବ। ତେଣୁ ସବୁବେଳେ ମୋ ପରିବାର କଥା ଆଗ ବୁଝ।’’ ଆଜି ଲୋକସେବା ଭବନର ସମ୍ମେଳନ କକ୍ଷରେ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କୁ ଏଭଳି ଢଙ୍ଗରେ ବୁଝାଇ ଦେଇଛନ୍ତି। ପ୍ରଶାସକମାନଙ୍କୁ ଜନସେବାରେ ବ୍ରତୀ ହେବା ପାଇଁ ଶପଥ ପାଠ କରାଇ ପରୋକ୍ଷରେ ଜଣାଇ ଦେଇଛନ୍ତି, ଏହାକୁ ଏଣିକି ଉଲ୍ଲଂଘନ କଲେ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡିପାରେ।

ଜିଲ୍ଲାପାଳ ସମ୍ମିଳନୀରେ ଭିନ୍ନ ଏକ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଆଜି ଅଭିଭାଷଣ ରଖିଥିଲେ। ଯେଉଁଥିରେ ଓଡ଼ିଶା ଲୋକଙ୍କ ପାଇଁ ଆବେଗ ଥିଲା। ଅଧିକାରୀମାନଙ୍କୁ ବୁଝାଇବା ଲାଗି ସେ ପରିବାର ବ୍ୟବସ୍ଥାର ଉତ୍ତରଦାୟିତ୍ବ କଥା ମଧ୍ୟ ଠାରିଥିଲେ। ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଥିଲେ, ‘‘ପରିବାର ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ମୋର ବି ଗୋଟିଏ ପରିବାର ଅଛି। ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଯେଉଁ ପରିବାର ରହିଛି, ସେଥିରେ ମୁଁ ଚାହେଁ ଆମ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଆନ୍ତୁ। ଭାଇଭଉଣୀ ଭଲ ଚାକିରି କରନ୍ତୁ, ଆମର ବାପାମା’ ଓ ବରିଷ୍ଠମାନେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଆନ୍ତୁ।’’

ଜିଲ୍ଲାପାଳ ଓ ପ୍ରଶାସକମାନେ ହେଉଛନ୍ତି ଏହି ପରିବର୍ତ୍ତନ ଧାରାର ମୁଖ୍ୟ ବାହକ ବୋଲି ସୂଚାଇ ଶ୍ରୀ ପଟ୍ଟନାୟକ କହିଥିଲେ, ଏସବୁ ସେତିକିବେଳେ ସମ୍ଭବ ହେବ ଯେତେବେଳେ ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ ଆନ୍ତରିକତା ସହ କାର୍ଯ୍ୟ କରିବେ। ‘ମୋ ସରକାର’ କାର୍ଯ୍ୟକ୍ରମର ମୁଖବନ୍ଧରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ଏହାପରେ ମୁଖ୍ୟମନ୍ତ୍ରୀ ସମସ୍ତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ପଢିଥିଲେ ଓ ଅନ୍ୟମାନେ ଦୋହରାଇଥିଲେ ଯେ ”ଜନ ସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ଏହି ପୁଲିସ ଥାନା, ଡାକ୍ତରଖାନା, କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି, ଲୋକମାନେ ହିଁ ଏହାର ପ୍ରକୃତ ମାଲିକ। ଲୋକମାନେ ପ୍ରକୃତ ସରକାର। ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି। ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ।”

”ଲୋକମାନେ ହେଉଛନ୍ତି ପ୍ରକୃତ ସରକାର। ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି।” ଏହି ଅବସରରେ ଜିଲ୍ଲପାଳମାନେ ଗୋଟିଏ ଲେଖାଏଁ ପ୍ରସ୍ତାବ ଦେବା ଲାଗି ସେ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ କନ୍‌ଭେନ୍‌ସନ୍‌ ହଲରେ ପହଞ୍ଚିବା ପରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ପରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉଦବୋଧନ ଦେଇ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉପରେ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେବାକୁ ଗୁରୁତ୍ବାରୋପ କରିଥିଲେ। କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର