ମୋ ସରକାର କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମର୍ଯ୍ୟାଦାର ସହ ସେବା ମିଳିବ: ମୁଖ୍ୟ ସଚିବ

ସରକାରୀ କର୍ମଚାରୀଙ୍କ ମାନସିକତା ପରିବର୍ତ୍ତନ ନେଇ ମତ ରଖିଲେ ଜିଲ୍ଲାପାଳ
ପ୍ଲାଷ୍ଟିକ୍‌ ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଧୁନିକ ଜ୍ଞାନ କୌଶଳ
ଆଜି କୋଣାର୍କ ଇକୋ ରିଟ୍ରିଟ୍‌ ସ୍ଥଳରେ ସମ୍ମିଳନୀ
୨୨ ତାରିଖରେ ବୈଠକର ନିର୍ଯ୍ୟାସ ନେଇ ମୁଖ୍ୟମନ୍ତୀଙ୍କୁ ଅବଗତ କରାଯିବ

ଭୁବନେଶ୍ବର : ସ୍ବଚ୍ଛ ପ୍ରଶାସନ ଓ ଲୋକଙ୍କ ପାଖରେ ଉତ୍ତରଦାୟୀ ହେବା ପାଇଁ ସରକାର ୫’ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତଥାପି ଏବେ ବି ସରକାରୀ କର୍ମଚାରୀଙ୍କ ମନୋଭାବରେ ପରିବର୍ତ୍ତନ ଆସିନି। ଏବେ ବି ଲୋକଙ୍କୁ ସାଧାରଣ କାମଟିଏ ପାଇଁ ବ୍ଲକ୍‌, ତହସିଲ ଓ ସରକାରୀ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି। ଆଜି ବରିଷ୍ଠ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦଘାଟନୀ ଦିବସରେ ଏପରି ମତ ରଖିଛନ୍ତି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି, ମୋ ସରକାର କାର୍ଯ୍ୟକ୍ରମରେ ଯେପରି ସମସ୍ତଙ୍କୁ ମର୍ଯ୍ୟାଦାର ସହ ସେବା ମିଳିବ ସେଥିପାଇଁ ସମସ୍ତ ବରିଷ୍ଠ ଅଧିକାରୀ ଓ ଆଇଏଏସ୍‌ମାନେ ଉଦ୍ୟମ କରିବେ। ଆସନ୍ତାକାଲି କୋଣାର୍କ ଠାରେ ଆୟୋଜିତ ଇକୋ ରିଟ୍ରିଟ୍ ପର୍ଯ୍ୟଟନ ସ୍ଥଳୀରେ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେବ।

ଶୁକ୍ରବାର ବରିଷ୍ଠ ଅଧିକାରୀମାନଙ୍କ ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ, ୧୯୯୯ ମହାବାତ୍ୟା ପରେ ବିଭିନ୍ନ ଆହ୍ବାନକୁ ଓଡ଼ିଶା ସାମ୍ନା କରି ବିଗତ ୨୦ ବର୍ଷ ଧରି ବିକାଶର ଯାତ୍ରା ଜାରି ରଖିଛି। ବିକାଶ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ଓ ବିଶ୍ବସ୍ତରରେ ପ୍ରଶଂସିତ ହୋଇଛି। ରାଜ୍ୟବାସୀଙ୍କୁ ଉତ୍ତମ ସେବା ଓ ପ୍ରଶାସନର ସୁଫଳ ଯୋଗାଇବା ପାଇଁ ପ୍ରଶାସକମାନଙ୍କୁ ଅଧିକ କ୍ରିୟାଶୀଳ, ବିଶ୍ବସନୀୟ, ସ୍ବଚ୍ଛ ଓ ଦକ୍ଷ କରିବା ଏପରି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ। ରାଜ୍ୟରେ ଗତ ୧୦ ବର୍ଷ ଭିତରେ ରାସ୍ତା ଘାଟ, ବନ୍ଦର, ଶିଳ୍ପାୟନ କ୍ଷେତ୍ରରେ ଯଥେଷ୍ଟ ବିକାଶ ସାଧିତ ହୋଇଛି। ବିଶେଷକରି ଇସ୍ପାତ ଓ ଆଲୁମିନିୟମ୍‌ ଶିଳ୍ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି। କିନ୍ତୁ ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ପ୍ରଶାସନ ପାଇଁ ନୂଆ ଆହ୍ବାନ ଆଣିଛି। ଏହାକୁ ଦକ୍ଷତାର ସହ ସାମନା କରିବାକୁ ପଡ଼ିବ। ସରକାରଙ୍କ ଯୋଜନା ଅନୁଯାୟୀ ରାଜ୍ୟର ଆର୍ଥିକ ବିକାଶ ପାଇଁ ଆଗାମୀ ୫ ବର୍ଷରେ ଆହୁରି କଡ଼ା ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବିଶେଷକରି ଜଳବାୟୁ ପରିବର୍ତ୍ତନ ସମେତ ଶିଳ୍ପ ପାଇଁ ବିସ୍ଥାପନ, ପୁନର୍ବାସ ଓ ଥାଇଥାନ, ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକ୍ ପରିଚାଳନା ଓ ସାମୁହିକ ବିକାଶ କ୍ଷେତ୍ରରେ ନୂତନ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରିବାକୁ ପଡ଼ିବ। ଏଥିପାଇଁ ଯୁବ ଜିଲ୍ଲାପାଳମାନଙ୍କୁ ଅଧିକ ଦକ୍ଷ ଓ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି। ଦୁଇଦିନିଆ ସମ୍ମିଳନୀର ନିର୍ଯ୍ୟାସ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୋଟିଓ ସଂକଳନ ପ୍ରକାଶ ପାଇବ। ସେହି ସଂକଳନକୁ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ଏହି ସମ୍ମିଳନୀରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପାଇଁ ସଚିବସ୍ତରରେ ୫ଟି ଗ୍ରୁପ୍ କରାଯାଇଥିବାବେଳେ ଜିଲ୍ଲାପାଳସ୍ତରରେ ୬ଟି ଗ୍ରୁପ୍‌ କରାଯାଇଥିଲା। ‘ନୂତନ ବୈଷୟିକ ଜ୍ଞାନ କୌଶଳ ଓ ଉଦ୍‌ଭାବନ’ ଶୀର୍ଷକ ଅଧିବେଶନକୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପରିଚାଳନା କରିଥିବାବେଳେ ‘ଗୁଣାତ୍ମକ ସ୍ବାତନ୍ତ୍ର୍ୟର ଦୃଢ଼ୀକରଣ’ ଶୀର୍ଷକ ଅଧିବେଶନକୁ କ୍ରୀଡ଼ା ଓ ଯୁବସେବା ତଥା ପର୍ଯ୍ୟଟନ ବିଭାଗ କମିସନର ବିଶାଳ କୁମାର ଦେବ ପରିଚାଳନା କରିଥିଲେ। ସେହିପରି ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍‌, ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ଅଧିବେଶନର ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସନ୍ଧ୍ୟାରେ ମୁଖ୍ୟଶାସନ ସଚିବ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ କୋଣାର୍କ ଅଭିମୁଖେ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର