ନିୟମାବଳୀ ଯାଉ ଯାଉ ଆସିଲା ଜିଲ୍ଲାପାଳଙ୍କ ରିପୋର୍ଟ

ଭୁବନେଶ୍ୱର : ଆଜି ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ରୋଗପୋକ ଜନିତ କ୍ଷୟକ୍ଷତି ନିମନ୍ତେ କ୍ଷତିପୂରଣ ବାବଦରେ କୃଷି ସହାୟତା (ଇନ୍‌ପୁଟ୍‌ ସବ୍‌ସିଡି) ପ୍ରଦାନ ନେଇ ନିୟମାବଳୀ ପଠାଇଛନ୍ତିି। ଏହି ନିୟମାବଳୀରେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ତାଲିକାରେ ଭାଗଚାଷୀ, ଜଙ୍ଗଲ ଜମି ପଟ୍ଟା ପାଇଥିବା ଆଦିବାସୀ, ଅନ୍ୟମାନଙ୍କୁ ନିଜ ନିଜ ଜମି ଚାଷ କରିବାକୁ ଦେଇଥିବା ବିଧବା, ଭିନ୍ନକ୍ଷମ ଜମି ମାଲିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ସରକାରୀ ଜମି ଜବରଦଖଲ କରିଥିବା ଚାଷୀମାନଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ସବ୍‌ସିଡି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଇ-ଟ୍ରାନ୍ସଫର ଯୋଗେ ପଠାଯିବ ବୋଲି ନିୟମାବଳୀରେ ଉଲ୍ଲେଖ ହୋଇଛି। ଇଆଡ଼େ ନିୟମାବଳୀ ଯିବା ବେଳକୁ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ କ୍ଷୟକ୍ଷତି ରିପୋର୍ଟ ଦେଇଥିବା ସୂଚନା ମିଳିଛି। ଏଣୁ ସେମାନେ ଦେଇଥିବା ରିପୋର୍ଟ ଓ ନିୟମାବଳୀ ଅନୁଯାୟୀ ଚାଷୀ ଚିହ୍ନଟ ସହିତ ରୋଗପୋକ ଜନିତ କ୍ଷତି ଆକଳନ ମଧ୍ୟରେ ଫରକ ରହିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ।

ସ୍ୱତନ୍ତ୍ର ରିଲିଫ କମିସନର ଶ୍ରୀ ସେଠୀଙ୍କ ନିୟମାବଳୀ (ମୋଡାଲିଟିଜ୍‌) ଅନୁସାରେ ରୋଗପୋକ ଯୋଗୁଁ କ୍ଷତିଗ୍ରସ୍ତ ଦେବୋତ୍ତର ଜମିର ଭାଗଚାଷୀ/ଲିଜ୍‌ଧାରୀଙ୍କୁ କ୍ଷତିପୂରଣ ସହାୟତା ମିଳିବ। ସେହିପରି ରୟତ ଶ୍ରେଣୀର ଜମି ମାଲିକ ଥିବା ବିଧବା ମହିଳା, ଭିନ୍ନକ୍ଷମମାନେ ଅନ୍ୟମାନଙ୍କୁ ଚାଷ କରିବାକୁ ଦେଇଥିଲେ ବି ସେମାନଙ୍କୁ ସହାୟତାରୁ ବଂଚିତ କରାଯିବ ନାହିଁ। ଜଙ୍ଗଲ ଅଧିକାର ଆଇନ ବଳରେ ଯେଉଁ ଅନୁସୂଚିତ ଜନଜାତିର ଲୋକମାନଙ୍କୁ ଜମି ପଟ୍ଟା ପାଇଛନ୍ତି ସେମାନଙ୍କୁ ମଧ୍ୟ ସହାୟତା ମିଳିବ। ପୂର୍ବ ନିର୍ଦେଶ ମୁତାବକ ରାଜସ୍ୱ ଏବଂ କୃଷି ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ଏବଂ କ୍ଷତିଗ୍ରସ୍ତ ଜମିର ପରିମାଣ ଆକଳନ ସଂପର୍କରେ ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ଗ୍ରାମ କମିଟି ଗଠନ କରାଯାଇଛି। ସେ ନେଇ ଏହି ନିୟମାବଳୀରେ ପରିବର୍ଧିତ ହୋଇଛି। ଗ୍ରାମ କମିଟି ପରିବର୍ତେ ଗ୍ରାମସ୍ତରୀୟ କମିଟି ଗଠନ କରି ସେଥିରେ ୩ଜଣ ଭାଗଚାଷୀଙ୍କୁ ରଖିବାକୁ କୁହାଯାଇଛି। ଏହି ନିୟମାବଳୀ ଜାରି ହେବା ନୂଆ ନୁହେଁ। ୨୦୧୫ ଅଗଷ୍ଟ ମାସ ୧୮ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଥିଲା। ସୂଚନାଯୋଗ୍ୟ ଯେ, ମାଟିଆଗୁଣ୍ଡି ସମେତ ବିଭିନ୍ନ ରୋଗପୋକ ଆକ୍ରମଣ ଯୋଗୁଁ ଫସଲହାନିକୁ ପ୍ରାକୃତିକ ବିପର୍ଯ୍ୟୟ ଶ୍ରେଣୀଭୁକ୍ତ କରାଯାଇଛି।

ପ୍ରକୃତ ଚାଷୀଙ୍କୁ ସହାୟତା, ରବିଋଣ ମିଳିବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତିି। ରାଜ୍ୟରେ ଭାଗଚାଷୀ ଆଇନ ପ୍ରଣୟନ ହୋଇନାହିଁ। ଏଣୁ ଭାଗଚାଷୀଙ୍କ ଚିହ୍ନଟ ନେଇ ସମସ୍ୟା ରହିଛି। ଜମି ମାଲିକମାନେ ଜମି ହରାଇବା ଭୟରେ ଭାଗଚାଷୀଙ୍କ କଥା କହିବେ ନାହିଁ। ତେବେ ରିଲିଫ କୋଡ୍‌ରେ ପରିବର୍ତନ ଅଣାଯାଉଛି। ସେହି ପରିବର୍ତନ ଅନୁଯାୟୀ ୫ଜଣ ଭାଗଚାଷୀ ମିଳିତ ଭାବେ ଏକ ଗୋଷ୍ଠୀ ଗଠନ କରିପାରିବେ। ସେହି ଗୋଷ୍ଠୀ ରବିଋଣ ପାଇଁ ଆବେଦନ କଲେ ସେମାନଙ୍କୁ ଋଣ ମିଳିବ। ସେହିପରି ରୋଗପୋକ ଜନିତ କ୍ଷତିପୂରଣ ସହାୟତା ମଧ୍ୟ ମିଳିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର