ବଡ ଖଣି କମ୍ପାନି ଦେଲେନି ଜୋରିମାନା, ବନ୍ଦ ହେବ ୩୭ ଖଣି
ଯୋଡା : ଖଣି ଲିଜ୍ଧାରୀଙ୍କ ପାଇଁ ସରିଲା ସୁପ୍ରିମକୋର୍ଟଙ୍କ ଡେଡ୍ ଲାଇନ୍। ଲିଜ୍ ଏରିଆ ବାହାରେ ଅଧିକ ଖଣିଜ ଉତ୍ତୋଳନ କାରଣରୁ କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରୁ ୪୩୧୮ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ୩୨ଟି ଖଣି କମ୍ପାନିଠାରୁ ଏହି ଅର୍ଥ ମିଳିଥିବା ଯୋଡା ଖଣି ଉପନିର୍ଦ୍ଦେଶକ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଜୋରିମାନା ପୈଠ ପାଇଁ ଆଜି ମଧ୍ୟରାତ୍ରି ୧୨ଟା ପର୍ଯ୍ୟନ୍ତ ଡେଡ୍ ଲାଇନ୍ ଥିବାରୁ ଆଉ କିଛି ଟଙ୍କା ଆଦାୟ ହେବାର ସମ୍ଭାବନା ରହିଛି।
ପ୍ରକାଶଥାଉକି, ଲିଜ୍ ନିୟମ ବାହାରେ ଅଧିକ ଖଣିଜ ଉତ୍ତୋଳନ ଯୋଗୁ ସୁପ୍ରିମ୍କୋର୍ଟ ଯୋଡା ଖଣି ମଣ୍ଡଳର ୬୯ଟି ଖଣିରୁ ୧୨୧୫୯ କୋଟି ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟାଟା ଷ୍ଟିଲ, ରୁଙ୍ଗ୍ଟା, ଏସ୍ଏନ୍ ମହାନ୍ତି, କେଜେଏସ୍ ଆଲୁଓ୍ଵାଲିୟା, କେପି ଏଣ୍ଟରପ୍ରାଇଜେସ୍, କେଏନ୍ ରାମ, କଣିଂ ମାଇନିଂ କର୍ପୋରେସନ (କେଏମ୍ସି), ଓଏମ୍ସି, ଏସେଲ୍ ମାଇନିଂ, ଡିଆର ପଟ୍ଟନାୟକ, ଇନ୍ଦ୍ରାଣି ପଟ୍ଟନାୟକ, କେସି ପ୍ରଧାନ ପ୍ରଭୃତି ୩୨ଟି ଖଣି କମ୍ପାନି ଏହି ଜୋରିମାନା ଅର୍ଥ ପୈଠ କରିଛନ୍ତି। ଅନ୍ୟପକ୍ଷରେ ବଡ ଖଣି କମ୍ପାନି କୁହାଯାଉଥିବା ସିରାଜୁଦ୍ଦିନ୍, ମିଡ୍ଇଷ୍ଟ ଇଣ୍ଟ୍ରିଗ୍ରେଟେଡ୍ ଷ୍ଟିଲ (ମେସ୍କୋ), ଆଇଡିସି ଭଳି ଖଣି କମ୍ପାନିମାନଙ୍କଠାରୁ ଏଯାବତ ଜୋରିମାନା ଅର୍ଥ ମିଳିନାହିଁ। ସିରାଜୁଦ୍ଦିନ ଖଣିରୁ ୭୫୫.୨୪ କୋଟି ଏବଂ ମେସ୍କୋ ଖଣିରୁ ୯୨୪.୭୫ କୋଟି ଜୋରିମାନା ଆଦାୟ କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯୋଡା ଖଣି ମଣ୍ଡଳରେ ସମୁଦାୟ ୯୯ଟି ଖଣି ରହିଥିବା ବେଳେ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ୬୯ଟି ଖଣିରୁ ଜୋରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏଥି ମଧ୍ୟରୁ ୩୨ଟି ଖଣିରୁ ଜୋରିମାନା ମିଳିଥିବା ବେଳେ ଅବଶିଷ୍ଟ ୩୭ଟି ଖଣି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।