ଖୋଲିଲା କଲେଜ ଓ ବିଶ୍ବବିଦ୍ୟାଳୟ, ବିଭିନ୍ନ ବାଧା ସତ୍ତ୍ବେ କାର୍ଯ୍ୟରେ ଯୋଗଦେଲେ ଅଧ୍ୟାପକ ଅଧ୍ୟାପିକା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ବିରୋଧ କରିବା ସହ ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଭେଟିଥିବା ଅଧ୍ୟାପକମାନେ ମଧ୍ୟ କାର୍ଯ୍ୟ କରିଥିବା ଜଣାପଡ଼ିଛି। ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ବିଶୋଧନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଅଧିକାଂଶ ଶିକ୍ଷାନୁଷ୍ଠାନ ବିଶୋଧନ ନ କରି ଖୋଲିଥିବା ସୂଚନା ମିଳିଛି।

କାର୍ଯ୍ୟରେ ଯୋଗଦେବାକୁ ଯିବା ବେଳେ ପ୍ରଫେସର, ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜରରେ ହାତ ଧୋଇବାକୁ ଦିଆଯାଇଛି। ଅଧ୍ୟାପକ ଓ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରି ବସିବା ଲାଗି କେତେକ କଲେଜ କର୍ତୃପକ୍ଷ ବ୍ୟବସ୍ଥା କରିଥିଲେ। ଆଉ କିଛି କଲେଜରେ ସାମାଜିକ ଦୂରତ୍ବ ରହି ନ ଥିଲା। ଗୋଟିଏ କମନ୍‌ରୁମ୍‌ ହୋଇଥିବାରୁ ୨୦ରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଏକାଠି ବସିଥିବା ନଜରକୁ ଆସିଛି।

ଅନ୍ୟପକ୍ଷରେ ଦୂର ଦୁରାନ୍ତ କଲେଜକୁ ଯାଉଥିବା ଅଧ୍ୟାପକ ଓ ଅଧ୍ୟାପିକା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିଛି ଅଧ୍ୟାପିକା କଲେଜ ଯିବା ଲାଗି ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ବସ୍ ଗନ୍ତବ୍ୟ ସ୍ଥଳକୁ ଯାଉ ନଥିବାରୁ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟରେ ଯୋଗ ଦେଇପାରି ନାହାନ୍ତି। ସରକାରୀ ଓ ବେସରକାରୀ ଅଧ୍ୟାପକ କର୍ମଚାରୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଦିନରେ ଅଧ୍ୟାପକ ଅଧ୍ୟାପିକା ବହୁ ଅସୁବିଧାର ସମ୍ମୁଖୀନ ହୋଇ କାର୍ଯ୍ୟରେ ଯୋଗଦେଇଛନ୍ତି। କ୍ୟାମ୍ପସରେ ୭ ଘଣ୍ଟା ଡ୍ୟୁଟି କରି ଫେରିଛନ୍ତି। ଅଧ୍ୟାପିକା ଓ ଗାଡ଼ି ଚଳେଇ ଶିଖି ନ ଥିବା ଅଧ୍ୟାପକମାନେ ଘଣ୍ଟା ଘଣ୍ଟା ଧରି ଗାଡ଼ିକୁ ଅନେଇ ବସିଥିଲେ। କେହି କେହି ଅଧ୍ୟକ୍ଷଙ୍କ ନାଲିଆଖିକୁ ଡରି ହଜାରେ ଟଙ୍କା ପର୍ଯ୍ୟନ୍ତ ଅଟୋ ଭଡ଼ା କରି କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ। ଅନେକ ଯାଇ ନ ପାରି ହନ୍ତସନ୍ତ ହୋଇଛନ୍ତି। ୪ ମାସ ହେଲା ଦରମା ନ ପାଇ ଦୁଃଖରେ କାଳାତିପାତ କରୁଥିବା ଏହି ଅଧ୍ୟାପକମାନେ ପ୍ରତିଦିନ ହଜାରେ ଟଙ୍କା ଦେଇ ଯିବା ଓ ଆସିବା କରିବା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ସମସ୍ତଙ୍କୁ ଅନୁରୋଧ କରିବା ପରେ ବି କେହି ସମସ୍ୟା ସମ୍ପର୍କରେ ଶୁଣୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପୁଣିଥରେ ଅନୁରୋଧ କରୁଛୁ ଏହି ନିଷ୍ପତ୍ତିର ପୁନଃ ବିଚାର କରନ୍ତୁ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର