କଲେଜ ବସ୍‌ରେ ମଦ୍ୟପ ଡ୍ରାଇଭର

ଲାଇସେନ୍ସ ବାତିଲ ପାଇଁ ଚିଠି ଲେଖିଲା ପୁଲିସ

କୋରାପୁଟ : କଲେଜ ବସ୍‌ରେ ଯିବା ଆସିବା କରୁଛନ୍ତି ଶହ ଶହ ଛାତ୍ରଛାତ୍ରୀ। ହେଲେ ଏହି ବସ୍‌ ଚଳାଉଥିଲେ ଜଣେ ମଦ୍ୟପ ଡ୍ରାଇଭର। ଯିଏ ଯାହା କହିଲେ ବି ଶୁଣୁ ନ ଥିଲେ। ଶେଷରେ ଡ୍ରାଇଭର ଜଣଙ୍କ ପୁଲିସ ହାବୁଡରେ ପଡିଛି। ମଦ ପିଇ ଗାଡି ଚଳାଉଥିବା ବେଳେ ପୁଲିସ ତାଙ୍କୁ ରଙ୍ଗେ ହାତ ଧରିଛି। ପରେ ଡ୍ରାଇଭରଙ୍କ ଗାଡି ଚାଳନା ଲାଇସେନ୍ସ ବାତିଲ କରିବା ପାଇଁ ପରିବହନ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି।

କୋରାପୁଟ ସରକାରୀ ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀ ଯିବା ଆସିବା କରିବା ପାଇଁ ଓଡ଼ିଶା ରାଜ୍ୟ ପରିବହନ ନିଗମର ବସ୍‌କୁ ବ୍ୟବହାର କରାଯାଇଥାଏ। ଏହି ସରକାରୀ ବସ୍‌ରେ ଛାତ୍ରଛାତ୍ରୀ କୋରାପୁଟ ସହରରୁ କଲେଜକୁ ଯାଇ ପୁଣି ସହରକୁ ଫେରିଥାନ୍ତି। ତେବେ ଏହି ବସ୍‌ ଚଳାଉଥିବା ଡ୍ରାଇଭର ଜଣଙ୍କ ମଦ ପିଉଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହେଉଥିଲା। ଏପରିକି କଲେଜ କର୍ତ୍ତୃପକ୍ଷ ମଧ୍ୟ ଡ୍ରାଇଭରଙ୍କୁ ତାଗିଦ୍‌ କରିଥିଲେ। ହେଲେ ଡ୍ରାଇଭର ବାବୁ କାହାର କଥାକୁ ଗୁରୁତ୍ୱ ଦେଇ ନ ଥିଲେ। ମନଇଛା ମଦ୍ୟପାନ କରି ଏହି ବସ୍‌ ଚଳାଉଥିଲେ। ଏଥିନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ମଧ୍ୟ ଡ୍ରାଇଭର ଖାତିର କରୁ ନ ଥିଲେ।

ତେବେ ପାଟ୍ରୋଲିଂ ସମୟରେ ବସ୍‌ର ବେଗ୍‌ ଅଧିକ ଥିବା ଲକ୍ଷ୍ୟ କରି ଗାଡିକୁ ପୁଲିସ ଅଟକାଇଥିଲେ। ଡ୍ରାଇଭରଙ୍କୁ ଏଥିନେଇ ପଚରାଉଚୁରା କରିବା ସମୟରେ ସେ ମଦ୍ୟପାନ କରିଥିବା ଜାଣିବାକୁ ପାଇଥିଲା ପୁଲିସ। ପରେ ତାଙ୍କର ମେଡିକାଲ ଯାଂଚ କରାଯାଇଥିଲା। ସେ ମଦ୍ୟପାନ କରିଥିବା ସ୍ପଷ୍ଟ ହେବା ପରେ ପୁଲିସ ଡ୍ରାଇଭିଂ ଲାଇସେନ୍ସକୁ ଜବତ ଜବତ କରିବା ସହ ଏହାକୁ ବାତିଲ କରିବା ପାଇଁ ଆଂଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ସେହିପରି ମଦ ପିଇ କଲେଜ ଛାତ୍ରଛାତ୍ରୀଙ୍କ ବସ୍‌ ଚଳାଉଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଟିଏମଙ୍କୁ ଚିଠି ଲେଖିଛି ପୁଲିସ। ଏପଟେ କଲେଜ ବସ୍‌ରେ ମଦ୍ୟପ ଡ୍ରାଇଭର ପ୍ରସଙ୍ଗକୁ ନେଇ ସହରରେ ନାନା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର