କଲେଜରେ ବିଗିଡ଼ି ଗଲାଣି ପିଲାଙ୍କ ପାଠପଢ଼ା : ଅଧ୍ୟାପକ ନାହାନ୍ତି, ଅଧ୍ୟକ୍ଷ ମରୁଡ଼ି

ଉଚ୍ଚଶିକ୍ଷା ବିଭାଗ ଉପରେ ଅସନ୍ତୋଷ ଝାଡ଼ିଲେ ପିଏସି

ଭୁବନେଶ୍ବର : ରାଜ୍ୟର ଅଧିକାଂଶ ସରକାରୀ କଲେଜରେ ଅଧ୍ୟାପକ ନାହାନ୍ତି। ବର୍ଷବର୍ଷ ଧରି ନିୟମିତ ଅଧ୍ୟକ୍ଷ ପଦବି ଖାଲିପଡ଼ିଛି। କେତେକ ବିଷୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ଆଦୌ ଅଧ୍ୟାପକ ନାହାନ୍ତି।

କଲେଜ ଓ ବିଶ୍ବବିଦ୍ୟାଳୟରେ ବର୍ଷ ବର୍ଷ ଧରି କୋଟିକୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଥିବା ସ୍ଥାନୀୟ ପାଣ୍ଠି ନିର୍ଦ୍ଦେଶାଳୟ ଦର୍ଶାଇଥିବାବେଳେ କଲେଜରେ ଅଧ୍ୟାପକ ନଥିବା ଯୋଗୁଁ ଗୁଣାତ୍ମକ ଉଚ୍ଚଶିକ୍ଷା କିପରି ବାଟବଣା ହୋଇଛି, ତାର ବିକଳ ଚିତ୍ର ସରକାରୀ ହିସାବ କମିଟି ପର୍ଦ୍ଦାଫାସ କରିଛି। କମିଟି ତା ରିପୋର୍ଟରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାରଙ୍କୁ ଏକାଧିକ ସୁପାରିସ କରିଛି।

କୌତୂହଳର କଥା େହଲା, ୨୦୧୩-୧୪ରୁ ୨୦୧୭-୧୮ ଭିତରେ ଉଚ୍ଚଶିକ୍ଷା ବିଭାଗ ବଜେଟ୍ ଅର୍ଥର କେତେ ଖର୍ଚ୍ଚ କରିପାରିଛି ଆଉ କେତେ ଖର୍ଚ୍ଚ କରିପାରିନି ସେ ତଥ୍ୟ ଅଧିକାରୀମାେନ ଦେଇପାରିନାହାନ୍ତି।

ବିଧାନସଭାରେ ପିଏସି ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟର ୮ଟି ସରକାରୀ ପ୍ରତିଷ୍ଠିତ କଲେଜରେ ଅଧ୍ୟାପକ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ସେଗୁଡ଼ିକ ହେଲା ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂଶାସିତ କଲେଜ, ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ, ଏମ.ଏସ କଲେଜ ବଡ଼ମ୍ବା, ନରସିଂହପୁରର ନରସିଂହପୁର କଲେଜ, କାନପୁର ଆଞ୍ଚଳିକ ମହାବିଦ୍ୟାଳୟ, ନରସିଂହପୁର, ଢେଙ୍କାନାଳର ଢେଙ୍କାନାଳ ସ୍ବୟଂଶାସିତ କଲେଜ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଓ ଯୋରନ୍ଦାର ଯୋରନ୍ଦା ମହାବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଓ ଅଣଶିକ୍ଷକ ପଦବି ବର୍ଷବର୍ଷ ଧରି ଖାଲିପଡ଼ିଛି।

ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂଶାସିତ କଲେଜରେ ୨୦୧୩-୧୪ ପର୍ଯ୍ୟନ୍ତ ୫୦ଟି ଅଧ୍ୟାପକ ଓ ୨୩ଟି ଅଣଶିକ୍ଷକ ପଦବି ଖାଲିପଡ଼ିଥିଲା ବୋଲି କମିଟିର ଶୁଣାଣି ବେଳେ ଜଣାପଡ଼ିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଗୃହ ବିଜ୍ଞାନ ବିଭାଗରେ ଅଧ୍ୟାପକ ଓ ଲାଇବ୍ରେରିଆନ୍ ଏବଂ ବଲାଙ୍ଗୀର ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ନେଇ ପିଏସି ନିର୍ଦ୍ଦେଶ ଦେଇଥିଲେ ବି ନିଯୁକ୍ତି ଦିଆଯାଇନି।

ପିଏସି ଶୁଣାଣି ବେଳେ ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗର ପ୍ରତିନିଧି କମିଟି ଆଗରେ ପକ୍ଷ ରଖି କହିଥିଲେ, ଅଧ୍ୟାପକ ନିଯୁକ୍ତି ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟାପକ ନିଯୁକ୍ତି ସଂକ୍ରାନ୍ତ ପରୀକ୍ଷା ଫଳ ପ୍ରକାଶ କରିପାରିନଥିଲା। ମାମଲାର ଫଇସଲା ପରେ ୨୦୧୬-୧୭ ଶିକ୍ଷା ବର୍ଷରୁ ଅଧ୍ୟାପକ, ଅଣଶିକ୍ଷକ ପଦବିରେ ନିଯୁକ୍ତି ଦିଆଯାଇଥିଲା।

ଓଡ଼ିଶା ପବ୍ଲିକ ସର୍ଭିସ କମିସନ, ଷ୍ଟାଫ ସିଲେକସନ୍ ବୋର୍ଡ଼, ଷ୍ଟାଫ ସିଲେକସନ୍ କମିସନଙ୍କ ବିଳମ୍ବ ଯୋଗୁଁ ରାଜ୍ୟର କଲେଜ ଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ ହୋଇପାରୁନଥିବା ନେଇ ପିଏସି ଦର୍ଶାଇଛନ୍ତି। ରାଜ୍ୟରେ ଉଚ୍ଚଶିକ୍ଷାର ଏପରି ବିପର୍ଯ୍ୟସ୍ତ ସ୍ଥିତିକୁ ଦେଖି କମିଟି ଅସନ୍ତୋଷ ପ୍ରକାଶ କରିବା ସହିତ ପାଦେ ଆଗକୁ ଯାଇ କହିଛନ୍ତି, ଏଭଳି ଅବ୍ୟବସ୍ଥା ଜାରି ରହିଲେ ଭୟାନକ ପରିସ୍ଥିତି ସୃଷ୍ଟି ହେବା ସହ ରାଜ୍ୟ ସ୍ବାର୍ଥ ଗଭୀର ଭାବେ ପ୍ରଭାବିତ ହେବ।ଶୁଣାଣି ବେଳେ ଅଧିକାଂଶ କଲେଜରେ ଅଧ୍ୟକ୍ଷ ପଦବି ଖାଲି ପଡ଼ିଥିବା ନେଇ କମିଟି ଜାଣିବାକୁ ପାଇଥିଲା।
ଗତ ୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ସଂକ୍ରାନ୍ତ ପିଏସି ରିପୋର୍ଟ ଅନୁଯାୟୀ କଲେଜଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ କରିବାରେ ବିଳମ୍ବକୁ ଏଡ଼ାଇବା ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତି ଦେବାକୁ କମିଟି ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲା। ଏହାସହିତ ଯେଉଁ କଲେଜରେ ନିୟମିତ ଅଧ୍ୟାପକ ନାହାନ୍ତି ଅତିଥି ଅଧ୍ୟାପକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ୪୦ଟି କ୍ଲାସ ନିୟମରେ ପରିବର୍ତ୍ତନ କରିବାକୁ ସରକାରଙ୍କୁ ସୁପାରିସ କରାଯାଇଥିଲା। ଏ ନେଇ କଣ ପଦକ୍ଷେପ ନିଆଗଲା ୧୦ ଦିନ ଭିତରେ ପିଏସି ଆଗରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ଉଚ୍ଚଶିକ୍ଷା ବିଭାଗରୁ କୌଣସି ଉତ୍ତର ମିଳିନଥିଲା। ଖାଲି ସେତିକି ନୁହେଁ, ବିଗତ ୫ ବର୍ଷ ଭିତରେ ଉଚ୍ଚଶିକ୍ଷା ବିଭାଗ ରାଜ୍ୟ ବଜେଟରେ କେତେ ଅର୍ଥ ପାଇଛି ଓ କେତେ ଅର୍ଥ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ତାରି ହିସାବ ବି ପିଏସିକୁ ମିଳିନାହିଁ। ଗତ ୩ ବର୍ଷର ଅଡିଟ ରିପୋର୍ଟ, ୟୁଜିସି, ବିଶ୍ବ ବ୍ୟାଙ୍କ ସହାୟତା, ସାଂସଦ ଓ ବିଧାୟକ ଉନ୍ନୟନ ପାଣ୍ଠିରୁ କେତେ ଅର୍ଥ କେଉଁ କଲେଜକୁ ଯାଇଛି ସେ ବାବଦ ତଥ୍ୟ ବି ଉଚ୍ଚଶିକ୍ଷା ବିଭାଗ କମିଟି ଆଗରେ ରଖିପାରିନଥିଲା। ଯାହାକୁ ନେଇ ଘୋର କ୍ଷୋଭ ପ୍ରକାଶ କରିଛି ସରକାରୀ ହିସାବ କମିଟି।

ସମ୍ବନ୍ଧିତ ଖବର