ଭୁବନେଶ୍ୱର : ଶନିବାର ଛାତ୍ର ସଂସଦ ନିର୍ବାଚନ। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ। ଏଥିପାଇଁ ସମସ୍ତ କ୍ୟାମ୍ପସରେ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୪୧୬ଟି କଲେଜରେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୧୨ଟି କଲେଜରେ ଛାତ୍ର ଅଶାନ୍ତି ଯୋଗୁଁ କ୍ୟାମ୍ପସକୁ ସାଇନ୍ ଡାଏ କରାଯାଇଛି। ପ୍ରାୟ ୨୯ଟି କଲେଜରେ ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ତେଣୁ ଶନିବାର ୩୭୫ଟି କଲେଜରେ ନିର୍ବାଚନ ହେଉଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ସକାଳ ୮ଟାରୁ ଭୋଟିଂ ଆରମ୍ଭ ହେବ। ତାହାକୁ ଦୃଷ୍ଟିରେ ରଖି ସମସ୍ତ କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରିବାକୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ଏବଂ କଲେଜ କର୍ତୃପକ୍ଷ ସ୍ଥାନୀୟ ପୁଲିସର ସହାୟତାରେ କ୍ୟାମ୍ପସର ସୁରକ୍ଷା ବଢ଼ାଇବେ। ଏଥିସହ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ମଧ୍ୟ ନିଜର ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ କରିବେ। ହଷ୍ଟେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇବାକୁ ନିର୍ଦେଶ ଦିଆଯାଇଛି। ପ୍ରତି ଶ୍ରେଣୀ/ବିଭାଗ ଲାଗି ଅଲଗା ଅଲଗା ବୁଥ୍ କରାଯିବ। ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଭୋଟ ଆରମ୍ଭ ହେବା ପୂର୍ବରୁ ବୁଥ୍ରେ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀ ଭୋଟ ଦେବା କ୍ଷଣି କ୍ୟାମ୍ପସ ବାହାରକୁ ଚାଲିଯିବେ। କଲେଜର ନିର୍ବାଚନ ପରିଚାଳନା କମିଟି ସଦସ୍ୟମାନେ କ୍ୟାମ୍ପସର ବିଭିନ୍ନ ସ୍ଥାନକୁ ଭ୍ରମଣ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବ। ଏହାପରେ ଭୋଟଗଣତି କରାଯାଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦେଶ ଦିଆଯାଇଛି।
ଅନ୍ୟ ପକ୍ଷରେ କାଁ ଭାଁ ଗଣ୍ଡଗୋଳକୁ ଛାଡ଼ି ଆଜି ସମସ୍ତ କ୍ୟାମ୍ପସରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରାର୍ଥୀମାନେ ଶେଷ ଥର ଲାଗି କ୍ୟାମ୍ପସରେ ନିଜ ସପକ୍ଷରେ ଭୋଟ ମାଗିଛନ୍ତି। ସୋସିଆଲ୍ ମିଡ଼ିଆରେ ବି ପ୍ରାର୍ଥୀମାନେ ପ୍ରଚାର ଜାରି ରଖିଛନ୍ତି। ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ନିର୍ବାଚନରେ ପ୍ରାର୍ଥୀ ଦେଇଥିବାରୁ ସେମାନଙ୍କର ଛାମୁଆ ନେତାମାନେ ଆଜି ଶେଷ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ କେଉଁ ସଂଗଠନର ଦମ୍ କେତେ, ତାହା ସ୍ପଷ୍ଟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/box.jpg)