ଯୁକ୍ତ୩ ପରୀକ୍ଷାରେ ଆସିବ ସଂସ୍କାର, ବଢ଼ିବ ଖାତା ଦେଖା ପାଉଣା

କଲେଜରେ ଲାଗିବ ସିସିଟିଭି

ଭୁବନେଶ୍ୱର : ଏଣିକି ଯୁକ୍ତ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା। ପୂର୍ବରୁ ଗୋଟିଏ ଉତ୍ତର ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିଲା। ଏବେ ତାହାକୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଶ୍ବବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଖାତା ଦେଖା ପାଇଁ ମୂଲ୍ୟାୟନକାରୀଙ୍କୁ ମିଳୁଥିବା ଅର୍ଥ ବଢ଼ାଯିବ। ଏଥିସହ ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି ପାଇବ। ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ୫୦୦ ଟଙ୍କା ମିଳୁଥିଲା। ଏଣିକି ୧୦୦୦ ଟଙ୍କା ମିଳିବ।

ଖାତା ମୂଲ୍ୟାୟନ ଓ ଫଳ ପ୍ରକାଶରେ ବିଳମ୍ବକୁ ନେଇ ମନ୍ତ୍ରୀ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ। କେଉଁ କାରଣ ଯୋଗୁଁ ପ୍ରତିବର୍ଷ ଫଳ ପ୍ରକାଶରେ ବିଳମ୍ବ ହେଉଛି ସେନେଇ ପରୀକ୍ଷା‌ ନିୟନ୍ତ୍ରକମାନଙ୍କଠାରୁ ଉତ୍ତର ଚାହିଁଥିଲେ। ମୂଲ୍ୟାୟନରେ ବିଳମ୍ବ ହେଉଥିବାରୁ ଫଳ ଡେରିରେ ବାହାରୁଛି ବୋଲି ଜାଣିବାକୁ ପାଇଥିଲେ। ତେଣୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ୧୨ରୁ ୧୫ଟି କଲେଜକୁ ନେଇ ଗୋଟିଏ ଲେଖାଏ ମୂଲ୍ୟାୟନ କେନ୍ଦ୍ର ହେବ। ଏଥିସହ ପ୍ରଶ୍ନପତ୍ର ସେଟ୍‌ ମଧ୍ୟ ବୃଦ୍ଧି କରାଯିବ। ଗୋଟିଏ ସମୟରେ ଏକା‌ଧିକ ପାଠ୍ୟକ୍ରମର ଖାତା ମୂଲ୍ୟାୟନ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଖାତା ଦେଖା ସମୟରେ ଯେମିତି ଉପଯୁକ୍ତ ବ୍ୟବଧାନ ରଖାଯାଇପାରିବ ସେନେଇ ପରୀକ୍ଷା ନିୟନ୍ତ୍ରକମାନଙ୍କୁ ପରାମର୍ଶ ଦିଆଯାଇଛି।

ପରୀକ୍ଷା ସରିବାର ଅତିବେଶିରେ ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ। ୩୦ରୁ ୩୫ ଦିନ ମଧ୍ୟରେ କିଭଳି ଫଳ ବାହାରିବ ତାହାକୁ ପ୍ରାଥମିକତା ଦେବାକୁ ନିର୍ଦେଶ ଦେଇଥିଲେ। କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ବିଳମ୍ବରେ ସାର୍ଟିଫିକେଟ୍‌ ମିଳୁଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ବର୍ଷକ ଭିତରେ ଯେପରି ଛାତ୍ରଛାତ୍ରୀ ପ୍ରକୃତ ସାର୍ଟିଫିକେଟ୍‌ ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ। ସଂଶୋଧିତ ସିଲାବସ୍‌ ଓ ପ୍ରଶ୍ନପତ୍ର ପରିବର୍ତନ ସମ୍ପର୍କରେ ବିଶ୍ବବିଦ୍ୟାଳୟଗୁଡ଼ିକ କଲେଜଗୁଡ଼ିକୁ ଅବଗତ କରାଇବା ପାଇଁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଏହାବ୍ୟତୀତ ବିଏଡ୍‌ ପରୀକ୍ଷା ନିର୍ଦ୍ଧା‌ରିତ ସମୟ ମଧ୍ୟ‌ରେ ଶେଷ କରି ଫଳ ବାହାର କରିବାକୁ କୁହାଯାଇଥିଲା।

ବିଶ୍ବବିଦ୍ୟାଳୟ ପାଣ୍ଠି କେତେ ଓ କେଉଁ ଆକାଉଣ୍ଟରେ ରହିଛି ୧୫ ଦିନ ମଧ୍ୟରେ ଜଣାଇବାକୁ ବିଶ୍ବବିଦ୍ୟାଳୟ ବିତ୍ତ ନିୟନ୍ତ୍ରକମାନଙ୍କୁ କୁହାଯାଇଛି। ଏହି ଅର୍ଥର ଉପଯୁକ୍ତ ବିନିଯୋଗ କରିବା, ବିଶ୍ବବିଦ୍ୟାଳୟର ନିୟମିତ ଅଡିଟ୍‌ କରିବା, ଅଡିଟ୍‌ ପାରାର ଅନୁପାଳନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଏଥିସହ ଜମିଜମା ବିବାଦର ତୁରନ୍ତ ସମାଧାନ କରିବାକୁ କୁଳସଚିବମାନଙ୍କୁ ନିର୍ଦେଶ ଦିଆଯାଇଛି। କଲେଜ ଓ ବିଶ୍ବବିଦ୍ୟାଳୟରେ ବହୁମୁଖୀ ଅଟ୍ଟାଳିକା ନିର୍ମାଣ କରିବାକୁ ମନ୍ତ୍ରୀ ନିର୍ଦେଶ ‌ଦେଇଛନ୍ତି। ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ପ୍ରକଳ୍ପ ନିର୍ଦେଶକ(ବିଶ୍ବବ୍ୟାଙ୍କ) ପରମେଶ୍ବରନ୍‌ ବି. ପ୍ରମୁଖ ଉପସ୍ଥିତ ଥିଲେ।

କଲେଜରେ ଲାଗିବ ସିସିଟିଭି

ଭୁବନେଶ୍ବର : ମାଟ୍ରିକ ଓ ଯୁକ୍ତ୨ ପରୀକ୍ଷା ପରି ଯୁକ୍ତ୩ ପରୀକ୍ଷା ଉପରେ ନଜର ରଖିବ ସିସିଟିଭି। ପରୀକ୍ଷା ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକଳାପର ରେକର୍ଡିଂ କରାଯିବ। ପିଲା କପି କଲେ ଧରାପଡ଼ିବେ। ଅଧ୍ୟାପକମାନେ ପରୀକ୍ଷା ହଲ୍‌ରେ ରହୁଛନ୍ତି କି ନାହିଁ ତାହା ବି ଜଣାପଡ଼ିବ। ଯୁକ୍ତ୨ ଓ ମାଟ୍ରିକ ପରୀକ୍ଷାରେ ସିସିଟିଭି ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ବେଳେ ଏବେ ଯୁକ୍ତ ୩ରେ ବି ସମାନ ଢାଞ୍ଚାରେ ଲାଗୁ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ୨୦୨୦-୨୧ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ସମସ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ କୁହାଯାଇଛି। ସିସିଟିଭି ଲଗାଯିବା ଦ୍ବାରା କେବଳ ଯେ ପରୀକ୍ଷା ଉପରେ ନଜର ରଖାଯିବ, ତାହା ନୁହେଁ, ବରଂ ପ୍ରତିଦିନ କଲେଜ କ୍ୟାମ୍ପସରେ ହେଉଥିବା ପ୍ରତିଟି କାର୍ଯ୍ୟକଳାପ ଉପରେ ବି ନଜର ରଖାଯାଇପାରିବ।

ସେହିପରି ପ୍ରଶ୍ନପତ୍ର ଢାଞ୍ଚାରେ ବି କିଛିଟା ପରିବର୍ତନ ଆଣିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଶ୍ନପତ୍ରରେ ଅଧିକ ସଂକ୍ଷିପ୍ତମୂଳକ ପ୍ରଶ୍ନ ରହିବ। ଫଳରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆସିପାରିବ। ଏବେ ଦୀର୍ଘମୂଳକ ପ୍ରଶ୍ନ ଅଧିକ ରହୁଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଏଭଳି ପରିବର୍ତନ କରିବାକୁ ସ୍ଥିର ହୋଇଛି। ଉତ୍ତର ଖାତାଗୁଡ଼ିକର କୋଡିଂ କରାଯିବ। ମୂଲ୍ୟାୟନକାରୀଙ୍କ ଅଧିକ ସାମ୍ପଲ ଉତ୍ତର କପି ଯୋଗାଇ ଦିଆଯିବ। ସବୁଠାରୁ ବଡ଼ ନିଷ୍ପତ୍ତିକ୍ରମେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ଏକପ୍ରକାର ମୂଲ୍ୟାୟନ ବ୍ୟବସ୍ଥା କରିବା ଓ ଏକାଭଳି ମାର୍କସିଟ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର