ଦାଦନ ଖଟିବାକୁ ଯାଇ ହ୍ରାଇଦ୍ରାବାଦର ଇଟାଭାଟିରେ ବନ୍ଧା ପଡ଼ିଲା କଲେଜ ପଢୁଆ ଝିଅ, ଉଦ୍ଧାର ପାଇଁ ଆକୁଳ ନିବେଦନ କଲା ବଡ଼ ଭଉଣୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦାଦନ ଚାଲାଣ ଏକ ସାଧାରଣ ଘଟଣା । ଏବେ କରୋନା ବାସ୍ତବ ଚିତ୍ରକୁ ପଦାରେ ପକାଇଛି। କେବଳ ନିରକ୍ଷରମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ତାହା ନୁହେଁ, କଲେଜ ପଢ଼ୁଆ ଝିଅ ବି ଗରିବୀ କାରଣରୁ ଦାଦନ ଖଟିବାପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ବାଳିକା ଶିକ୍ଷା ହାର ବୃଦ୍ଧି କରିବା ପାଇଁ ସରକାର ନାନା ଯୋଜନା କରିଛନ୍ତି ସତ ମାତ୍ର ଟଙ୍କା ରୋଜଗାର କରିବା ପାଇଁ ଜଣେ କଲେଜ ପାଠୁଆ ନାବାଳିକା ଇଟାଭାଟିକୁ କାମ କରିବା ପାଇଁ ଯାଇ ମାଲିକ ପାଖରେ ବନ୍ଧା ପଡିଥିବା ଖବର ସାମ୍ନାକୁ ଆସିଛି।

ଚନ୍ଦାହାଣ୍ଡିର କେନାଲ ସାହିର ଅନାଦି ଚୌହାନଙ୍କ ସ୍ବାମୀ ଅଢ଼େଇ ବର୍ଷ ପୂର୍ବେ ମୃତ୍ୟୁବରଣ କରିବା ପରେ ୨ ମେଧାବୀ ଝିଅଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ଅନାଦି ପର ଘରେ ମୁଲ ଲାଗୁଥିଲେ। ଅନାଦିଙ୍କ ୨ ଝିଅ ପ୍ରିୟଙ୍କା ପାଣିଗ୍ରାହୀ ୨ ବର୍ଷ ପୂର୍ବେ ମାଟ୍ରିକରେ ୭୪ ପ୍ରତିଶତ ରଖି ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବ ଯୋଗୁଁ କଲେଜରେ ନାମ ଲେଖାଇପାରିନଥିଲେ। ଗତ ବର୍ଷ ସାନ ଝିଅ ସାଗରିକା ପାଣିଗ୍ରାହୀ ମାଟ୍ରିକରେ ୬୨ ପ୍ରତିଶତ ରଖି ପାସ୍ କରିବା ପରେ ୨ ମେଧାବୀ ଝିଅଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ଅନାଦି ମାଇକ୍ରୋ ଫାଇନାନସ ସଂସ୍ଥାରୁ ୩୦ ହଜାର ଟଙ୍କା ଋଣ ନେଇ ପ୍ରିୟଙ୍କାଙ୍କୁ ଯୁକ୍ତ ୨ ବିଜ୍ଞାନ ଓ ସାନ ଝିଅ ସାଗରୀକାକୁ ଯୁକ୍ତ ୨ କଳାରେ ନାମ ଲେଖାଇଥିଲେ।

ବଡ ଝିଅ ପାଇଁ ୧୨ ହଜାର ଟଙ୍କା ଓ ସାନ ଝିଅ ପାଇଁ ୬ ହଜାର ୫ଶହ ଟଙ୍କା ଏପରି ୨ ଝିଅଙ୍କୁ କଲେଜରେ ନାମ ଲେଖାଇବା ପାଇଁ ୧୯ ହଜାର ଟଙ୍କା କଲେଜରେ ଡିପୋଜିଟ୍ କରିଥିଲେ। ଚଳିତ ବର୍ଷ ଉଭୟେ ୨ୟ ବର୍ଷରେ ପାଠ ପଢ଼ିବେ। ତେବେ ଘରୋଇ ମାଇକ୍ରୋ ଫାଇନାନସରୁ ଋଣ ଆଣି କିସ୍ତି ଅର୍ଥ ଦେଇ ନପାରି ଗତ ଡିସେମ୍ବର ମାସରେ ଅନାଦି ତାଙ୍କ ସାନ ଝିଅ କଲେଜ ପାଠୁଆ ସାଗରିକାକୁ ନେଇ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ନିକଟସ୍ଥ ଏକ ଇଟାଭାଟିକୁ କାମ କରିବା ପାଇଁ ଯାଇଥିଲେ।

ତେବେ ଅନାଦିଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଅନାଦି ଇଟାଭାଟି ମାଲିକ ନିକଟରେ ସାନ ଝିଅ ସାଗରିକାକୁ ବନ୍ଧକ ରଖି କିଛି ଅର୍ଥ ନେଇ ଚିକିତ୍ସା କରିବା ପାଇଁ ଚନ୍ଦାହାଣ୍ଡି ଫେରିଥିଲେ। ଅନାଦି ଲକଡାଉନ ଯୋଗୁଁ ଉନ୍ନତ ମାନର ଚିକିତ୍ସା କରାଇ ନପାରି ଚଳିତ ମାସ ୪ ତାରିଖରେ ଆଖି ବୁଜିଥିଲେ । ବନ୍ଧକ ରହିଥିବା ସାଗରିକା ମାଙ୍କ ଶେଷ ଦର୍ଶନ କରିପାରିନଥିଲେ କି ଶୁଦ୍ଧ କାର୍ଯ୍ୟରେ ମଧ୍ୟ ଯୋଗଦେଇ ପାରିନଥିଲେ। ଏବେ ବାପା ମା ଛେଉଣ୍ଡ ୨ ଭଉଣୀ ପରସ୍ପର ମଧ୍ୟରେ ଦୁଃଖ ବାଣ୍ଟିବା ପାଇଁ ମଧ୍ୟ ସୁଯୋଗ ମିଳିପାରୁ ନାହିଁ। ବଡ ଝିଅ ପ୍ରିୟଙ୍କା ଏବେ ଏକା ଏକ କୁଡିଆ ଘରେ ରହୁଥିବା ବେଳେ ସାନ ଭଉଣୀ ସାଗରିକା ଇଟାଭାଟିରେ ବନ୍ଧକ ରହିଛନ୍ତି।

ପ୍ରିୟଙ୍କା କହିଛନ୍ତି, ସାନ ଭଉଣୀ ସାଗରିକାଙ୍କୁ ଉଦ୍ଧାର କରି ଆଣିବା ପାଇଁ ବାରମ୍ବାର ଫୋନ କରି ଆକୁଳ ନିବେଦନ କରୁଛନ୍ତି। ତେବେ ସେ ନାଚାର ହୋଇ ରହିଛନ୍ତି। ଗରିବଙ୍କ ପାଇଁ କେଉଁଠି ବି ସ୍ଥାନ ନାହିଁ। ଏପରିକି ସେମାନେ ପାଠ ପଢ଼ିବା ପାଇଁ ଚାହୁଁଛନ୍ତି କିନ୍ତୁ ଗରିବୀ ଏଥିରେ ବାଧକ ସାଜିଛି। ଏପରି କ୍ଷେତ୍ରରେ ସାନ ଭଉଣି ସାଗରିକାକୁ ଉଦ୍ଧାର କରି ଆଣିବା ସହ ସେମାନେ ବାପା ମା ଛେଉଣ୍ଡ ହୋଇଯାଇଥିବାରୁ ସେମାନଙ୍କୁ ସରକାର ଥଇଥାନର ବ୍ୟବସ୍ଥା କରିବା ସହ ପାଠ ପଢ଼ିବାର ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର