ହାଇୱା ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

ବହଳଦା: ବହଳଦା ଥାନା ବାଗଡେଗା ଗାଁ ନିକଟ ମୁତ୍ରୀନାଳ ପୋଲ ସଂଲଗ୍ନ ବାଙ୍କଠାରେ ଆଜି ଏକ ହାଇୱା ସହ ବାଇକ୍‌ ଧକ୍କା ହେବା ଫଳରେ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ରୀ ଦିଗିମଣି ବାସ୍କେ ବହଳଦା କଲେଜରେ ଯୁକ୍ତ ୨ ଶେଷବର୍ଷରେ ପଢ଼ୁଥିଲେ। ମିଳିଥିବା ସୂଚନା ମୁତାବକ, ଦିଗିମଣି ଆଜି ଦିନ ପ୍ରାୟ ୧୧ଟା ସମୟରେ ମାମୁ ଗୋପାଳ ମୁର୍ମୁ ଓ ସାନଭଉଣୀ ରାକ୍ଷୀ ବାସ୍କେଙ୍କ ସହ ବାଇକ୍‌ରେ ହାଟବାଦଡାସ୍ଥିତ ଜି.ବି.କଲେଜକୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ଯାଉଥିଲେ।

ବାଗଡେଗା ଗାଁ ନିକଟରେ ହାଇୱା ସହ ଧକ୍କା ହେବା ପରେ ବାଇକ୍‌ରୁ ତିନିଜଣ ଯାକ ଛିଟକି ପଡ଼ି ରାସ୍ତାରେ ପଡ଼ିଥିଲେ। ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ଘଟଣାସ୍ଥଳରେ ଦିଗିମଣିଙ୍କର ମୃତ୍ୟୁ ହୋଇ ଯାଇଥିବାବେଳେ ସାନଭଉଣୀ ରାକ୍ଷୀ ଓ ବାଇକ୍‌ ଚାଳକ ଗୋପାଳ ମୁର୍ମୁ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ମାମୁ, ଭାଣିଜୀଙ୍କୁ ଉଦ୍ଧାର କରି ବହଳଦା ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠାରୁ ଉଭୟଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଆହତ ଓ ମୃତକଙ୍କ ଘର ତିରିଂ ଥାନା ଅନ୍ତର୍ଗତ ପୋଖରୀଆ ଓ ପୋଡ଼ାଚାକଡ଼ି ଗ୍ରାମରେ ବୋଲି ଜଣାପଡ଼ିଛି। ଏ ନେଇ ବହଳଦା ଥାନା ପକ୍ଷରୁ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର