କଣିହାଁ: କୋଇଲା ଖଣିଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି କଣିହାଁ ମହାବିଦ୍ୟାଳୟ। ଖଣିରୁ କୋଇଲା ଉତ୍ତୋଳନ ପାଇଁ ପ୍ରତିଦିନ ଶକ୍ତିଶାଳୀ ଡିନାମାଇଟ୍ ବିସ୍ଫୋରଣ କରାଯାଉଛି। ଏଥି ଯୋଗୁଁ ଆଖପାଖ ଅଞ୍ଚଳର ଘରଦ୍ବାର ସହ କଲେଜ କୋଠା ଦୋହଲି ପଡ଼ୁଛି। କଲେଜକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ପାଇଁ ବହୁବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହିଁ। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।
ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ
ସ୍ଥାନାନ୍ତର ଦାବିକୁ ଅଣଦେଖା
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ମହକୁମାଠାରୁ ଅନତି ଦୂରରେ ଥିବା ଏହି ମହାବିଦ୍ୟାଳୟ ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ କଲେଜରେ ଯୁକ୍ତ୨ ଓ ଯୁକ୍ତ୩ କଳା ଓ ବିଜ୍ଞାନ ବିଭାଗରେ ୧୪ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧୯୯୫ରେ କଲେଜ ଜମିକୁ ଏମ୍ସିଏଲ୍ ଅଧିଗ୍ରହଣ କରିଥିଲା। ଖଣିରୁ କୋଇଲା ଖନନ ଓ ଉତ୍ତୋଳନ ଯୋଗୁଁ କଲେଜ କୋଠା ଦୁର୍ବଳ ଅବସ୍ଥାକୁ ଚାଲିଆସିଛି। ଡିନାମାଇଟ୍ ବିସ୍ଫୋରଣ ଶବ୍ଦରେ ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ବସି ପାଠ ପଢ଼ି ପାରୁନାହାନ୍ତି। ଏହି ସମସ୍ୟା ଦିନେ କି ଦୁଇ ଦିନର ନୁହେଁ, ବର୍ଷବର୍ଷ ଧରି ଲାଗି ରହିଥିଲେ ସୁଦ୍ଧା ଏହାର ସମାଧାନ ହେଉନାହିଁ। କଲେଜକୁ ପାଇପ୍ ଲାଇନ୍ ସଂଯୋଗ ହୋଇଥିଲେ ବି ପାଣି ଆସୁନି। ବାଧ୍ୟ ହୋଇ କଲେଜ କର୍ତ୍ତୃପକ୍ଷ କିଣା ପାଣିରେ କାମ ଚଳାଉଛନ୍ତି।
ଏଠାକୁ ବିଭିନ୍ନ ଅଞ୍ଚଳରୁ ଶହଶହ ଛାତ୍ରଛାତ୍ରୀ ପାଠପଢ଼ିବାକୁ ଆସୁଛନ୍ତି। କଲେଜ ନିକଟ ରାସ୍ତାରେ କୋଇଲା ଖଣିରୁ ଜିନ୍ଦଲ ପ୍ଲାଣ୍ଟ୍କୁ କୋଇଲା ବୋଝେଇ ଟ୍ରକ୍ଗୁଡ଼ିକ ଅହରହ ଚଳାଚଳ କରିବା ଯୋଗୁଁ ରାସ୍ତା ସଂକୁଚିତ ହେଉଛି। ଯାତାୟାତ ସୁଗମ ପାଇଁ କର୍ତ୍ତୃପକ୍ଷ ରାସ୍ତାରେ ପାଣି ସିଞ୍ଚନ କରୁଛନ୍ତି। ହେଲେ ରାସ୍ତାରେ ପଡ଼ୁଥିବା କୋଇଲା ଗୁଣ୍ଡ ଓ ମାଟି ଉପରେ ପାଣି ପଡ଼ିବା ଫଳରେ ରାସ୍ତା ପାଣି କାଦୁଅରେ ଭର୍ତ୍ତି ହୋଇଯାଉଛି। ଫଳରେ ଛାତ୍ରଛାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ସବୁ ସମସ୍ୟା ଯୋଗୁଁ କଲେଜକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଓ କଲେଜ କର୍ତ୍ତୃପକ୍ଷ ଶିକ୍ଷା ବିଭାଗ ତଥା ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।