ଭୁବନେଶ୍ବର : କଲେଜରେ ଅଧ୍ୟାପକଙ୍କ ଡ୍ୟୁଟି ସମୟ ବଢ଼ିବ। ୫ ଘଣ୍ଟା ବଦଳରେ ଏଣିକି ୭ ଘଣ୍ଟା ଡ୍ୟୁଟି କରିବେ। ୟୁଜିସି ଗାଇଡଲାଇନ୍ ଅନୁସାରେ, ଅଧ୍ୟାପକମାନେ ଅତି କମ୍ରେ ୫ଘଣ୍ଟା କଲେଜରେ ରହିବା ସହ ଅନ୍ୟାନ୍ୟ କାର୍ଯ୍ୟରେ ସହାୟତା କରିଥାନ୍ତି। ମାତ୍ର ରାଜ୍ୟରେ ଏଥିରେ ବିଚ୍ୟୁତି ଦେଖିବାକୁ ମିଳୁଛି। ଅନେକ ଅଧ୍ୟାପକ ଏସବୁକୁ ପାଳନ କରୁନଥିବା ନଜରକୁ ଆସୁଛି। ତେଣୁ ଡ୍ୟୁଟି ସମୟକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଯେଉଁମାନେ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ୍ ରହିଲେ ପରୀକ୍ଷାରୁ ବଞ୍ଚିତ ହେବେ ବୋଲି ସୂଚନା ମିଳିଛି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏଠାରେ ସରକାରୀ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜର ଭିତ୍ତିଭୂମି, ରୁସା ଅର୍ଥ ଖର୍ଚ, ସ୍ମାର୍ଟ କ୍ଲାସ୍ ରୁମ୍ ସମେତ ପରୀକ୍ଷା ପରିଚାଳନା ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଧ୍ୟାପକଙ୍କ ଡ୍ୟୁଟି ସମୟକୁ ଯାଞ୍ଚ ପାଇଁ କଲେଜରେ ବାଇଓମେଟ୍ରିକ୍ର ବ୍ୟବସ୍ଥା କରାଯାଉଛି। ଏ ପର୍ଯ୍ୟନ୍ତ ୧୬ଟି ସରକାରୀ କଲେଜରେ ବାଇଓମେଟ୍ରିକ୍ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ କଲେଜଗୁଡ଼ିକରେ ଖୁବଶୀଘ୍ର ଏହି ବ୍ୟବସ୍ଥା ଗ୍ରହଣ କରାଯିବ। ପ୍ରତ୍ୟେକ କଲେଜର ଅଧ୍ୟକ୍ଷ ଅଧ୍ୟାପକମାନଙ୍କୁ କିଭଳି କଲେଜରେ ନିୟୋଜିତ ରଖିବେ, ଏଥିପାଇଁ ବ୍ୟବସ୍ଥା ଗ୍ରହଣ କରିବେ। ଜୁଲାଇ ୧୫ ତାରିଖ ଭିତରେ ରୁଟିନ୍ ପଠାଇବାକୁ ନିର୍ଦେଶ ଦିଆଯାଇଛି।
ଅପରପକ୍ଷେ ୫୨ସରକାରୀ ଡିଗ୍ରି କଲେଜରେ ଗତ ୧୨ବର୍ଷ ଧରି ସ୍ଥାୟୀ ଅଧ୍ୟକ୍ଷ ପଦବି ଖାଲି ପଡ଼ିଛି। ଆସନ୍ତା ୨/୩ମାସ ଭିତରେ ସମସ୍ତ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବେ। ଏଥିପାଇଁ ଓପିଏସ୍ସିକୁ ରିଡର୍ ଗ୍ରେଡ୍ ଅଧ୍ୟକ୍ଷମାନଙ୍କ ତାଲିକା ପ୍ରଦାନ କରାଯାଇଛି। ପ୍ରାୟ ୧୫୦ ଅଧ୍ୟାପକଙ୍କ ବାଇଓଡାଟା ପ୍ରଦାନ କରାଯାଇଛି। ଚଳିତ ମାସ ୨୪ ତାରିଖରୁ ଓପିଏସ୍ସି ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ କରିଛି। ଆସନ୍ତା ମାସରେ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ ହେବ। ଫଳରେ ଦୀର୍ଘବର୍ଷ ଧରି ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ଖୁବ୍ଶୀଘ୍ର ପୂରଣ ହୋଇପାରିବ।
ଅପରପକ୍ଷେ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ୩୪୩ ଅଧ୍ୟାପକ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଏବେ +୨ କଲେଜରେ ଶିକ୍ଷାଦାନ କରୁଛନ୍ତି। ଆସନ୍ତା ୨୦୨୦ ଜୁନ୍ ସୁଦ୍ଧା ଏହି ସମସ୍ତ ଅଧ୍ୟାପକ ଡିଗ୍ରି କଲେଜକୁ ଫେରି ଆସିବେ। ଏହାସହ ଡିଗ୍ରି କଲେଜରେ ୨୩୦୬ ଅଧ୍ୟାପକ ପଦ ଥିବା ବେଳେ ଆଡହକ୍ ଓ ନିୟମିତ ଅଧ୍ୟାପକଙ୍କୁ ମିଶାଇ ପ୍ରାୟ ୧୧ଶହ ଅଧ୍ୟାପକ କାର୍ଯ୍ୟ କରୁଛନ୍ତି। ବଳକା ପଦ ପୂରଣ ପାଇଁ ଅର୍ଥ ବିଭାଗ ଅନୁମତି ଦେଇଥିବା ବେଳେ ଓପିଏସ୍ସି ଜରିଆରେ ଏହାକୁ ପୂରଣ କରାଯିବ। ୧୦୧ କଲେଜରେ ୧୩୫ଟି ସ୍ମାର୍ଟ କ୍ଲାସ୍ ରୁମ୍ ନିର୍ମାଣ କରାଯାଇଛି। ଚଳିତବର୍ଷ ଅନଲାଇନ୍ରେ ଶତ ପ୍ରତିଶତ ଆଡମିସନ୍ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଅନେକ ମଡେଲ ଡିଗ୍ରି କଲେଜରେ କେତେକ ବିଷୟରେ ଧାର୍ଯ୍ୟ ସିଟ୍ଠାରୁ ଯଥେଷ୍ଟ କମ୍ ସଂଖ୍ୟକ ସିଟ୍ ପୂରଣ ହେଉଛି। ତେଣୁ ଏସବୁ କଲେଜରେ ସିଟ୍କୁ କମାଯିବା ସଂକ୍ରାନ୍ତରେ ଆଲୋଚନା କରାଯିବ।
କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଲେ, ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କିଛି ଦିନ ପୂର୍ବରୁ କୁଳପତିମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି କଲେଜର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରାଯାଉଛି। ବ୍ୟବସ୍ଥାରେ କ’ଣ କ’ଣ ସମସ୍ୟା ରହିଛି, ସେ ସଂପର୍କରେ ଆଲୋଚନା ହେବ। ବିଶ୍ବବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ ଏଣ୍ଟ୍ରାନ୍ସ ହେବା ଯୋଗୁଁ ଛାତ୍ରଛାତ୍ରୀମାନେ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆଗାମୀ ଦିନରେ କିଭଳି ଏହି ସମସ୍ୟା ସୃଷ୍ଟି ନ ହେବ, ସେଥିପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ନେଇ ଏକ ବୈଠକ ଡକାଯିବ ବୋଲି ଶ୍ରୀ ସାହୁ କହିଥିଲେ।
ବୈଠକରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର, ଓଏସ୍ଏଚ୍ଇସିର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ରାଜ୍ୟ ବିଶ୍ବବ୍ୟାଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ବରନ୍.ବି, ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର, ଅତିରିକ୍ତ ଶାସନ ସଚିବ ଲକ୍ଷ୍ମୀଧର ମହାନ୍ତି, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିରଂଜନ ସାହୁ ପ୍ରମୁଖଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/m11-1.jpg)