ଭୁବନେଶ୍ବର : ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ-କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ କାର୍ଯ୍ୟକାରୀ ପରିଷଦର ବର୍ଦ୍ଧିତ ସମ୍ମିଳନୀ ମହର୍ଷି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ଅସମାହିତ ଦାବି ଓ ସାଙ୍ଗଠନିକ ପୁନର୍ବିନ୍ୟାସ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯୋଗ୍ୟତା ଦିନରୁ ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ତଥା‌ ପ୍ରତ୍ୟେକ୍ଷ ଅନୁଦାନ ପ୍ରଦାନ, ସପ୍ତମ ବେତନ କମିସନ ଆଧାରରେ ଅନୁଦାନ, ଚାକିରି କାଳକୁ ହିସାବକୁ ନେଇ ବରିଷ୍ଠତା ନିର୍ଦ୍ଧାରଣ, ପଦୋନ୍ନତି, ବଦଳି ଓ ଏନ୍‌ପିଏସ୍‌ ବା ଜିପିଏଫ୍‌ ପରି ପ୍ରୋଭିଡେଣ୍ଟ ଫଣ୍ଡ ବ୍ୟବସ୍ଥା ଲାଗୁ କରିବା, ୟୁଜିସି ନିର୍ଦେଶନାମା ମୁତାବକ ଅଧ୍ୟାପକଙ୍କୁ ଦୈନିକ ୫ ଘଣ୍ଟା କଲେଜ କ୍ୟାମ୍ପସରେ ଉପସ୍ଥିତ ରହିବା ନିର୍ଦେଶନାମାକୁ ବଳବତ୍ତର ରଖିବା, ୭ ଘଣ୍ଟା ନିର୍ଦେଶନାମାକୁ ପ୍ରତ୍ୟାହାର ପରି ଦାବିକୁ ନେଇ ଆଗାମୀ ଦିନରେ ସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ। ପ୍ରତିବର୍ଷ ପରି ଏଥର ମଧ୍ୟ ଦାବି ଦିବସରେ ଅଧ୍ୟାପକ ଓ କର୍ମଚାରୀମାନେ ସମୂହ ଛୁଟି ନେଇ ଲୋୟର ପିଏମ୍‌ଜିରେ ଏକାଠି ହେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସମିତିର ୩୦ଟି ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ ଥିଲେ ବୋଲି ସମିତି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।