ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜର ପରିଚାଳନା କମିଟି ତଥା ଗଭର୍ଣ୍ଣିଂ ବଡିକୁ ଭାଙ୍ଗି ଦିଆଯାଇଛି। ଓଡ଼ିଶା ଶିକ୍ଷା ଆଇନ-୧୯୬୯ର ସେକ୍ସନ-୭ର ସବ୍-ସେକ୍ସନ(୬)ର କ୍ଷମତା ବଳରେ ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ଗ୍ରହଣ କରିବା ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି। ନୂତନ କମିଟି ଗଠନ ହେବା ପର୍ଯ୍ୟନ୍ତ କଲେଜ କିଭଳି ଚାଲିବ ସେଥିପାଇଁ ନୂତନ ସଭାପତି ନିଯୁକ୍ତ କରାଯାଇଛି। ଜିଲ୍ଲା ମୁଖ୍ୟାଳୟରେ ଥିବା ଡିଗ୍ରି କଲେଜର ଗଭର୍ଣ୍ଣିଂ ବଡି ଓ ପରିଚାଳନା କମିଟିର ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଯଦି କୌଣସି ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ରହିଥିବେ ସେଭଳି ସ୍ଥିତିରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ କଲେଜ ପରିଚାଳନା କମିଟି ଓ ଗଭର୍ଣ୍ଣିଂ ବଡିର ସଭାପତି ଭାବେ ମନୋନୀତ କରିବେ। ସେହିପରି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଜ ଗୁଡିକରେ ଉପ-ଜିଲ୍ଲାପାଳଙ୍କୁ ପରିଚାଳନା କମିଟି ଓ ଗଭର୍ଣ୍ଣିଂ ବଡିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପରବର୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳମାନେ କମିଟିର ସଭାପତି ରହିବେ। ତେବେ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜର ପରିଚାଳନା କମିଟି ଓ ଗଭର୍ଣ୍ଣିଂ ବଡିକୁ ଭଙ୍ଗାଯାଇ ନାହିଁ। ରାଜ୍ୟପାଳଙ୍କ ଆଦେଶ ବଳରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଆଜି ଏଭଳି ଏକ ବିଜ୍ଞପ୍ତି ଜାରି କରିଛନ୍ତି।
କଲେଜର ପରିଚାଳନା କମିଟି ଓ ଗଭର୍ଣ୍ଣିଂ ବଡିରେ କୌଣସି ନେତା ଯଥା ବିଧାୟକ, ପୂର୍ବତନ ବିଧାୟକ ରହିବେ ନାହିଁ। ବରଂ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ଙ୍କୁ ସଭାପତି ଚୟନ କରାଯିବ ବୋଲି ଗତକାଲି ଭୁବନେଶ୍ବରଠାରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିଥିଲେ। ଏଭଳି ଘୋଷଣାର ୨୪ ଘଣ୍ଟା ଭିତରେ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତିକୁ ନେଇ ସାରା ରାଜ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି। କିଛି ଅଧ୍ୟାପକ ସଙ୍ଗଠନ ଓ କଲେଜ କର୍ତୃପକ୍ଷ ମଧ୍ୟ ସମର୍ଥନ ଜଣାଇଛନ୍ତି।
ତେବେ ନେତା, ବିଧାୟକଙ୍କୁ କଲେଜ ପରିଚାଳନା କମିଟିରୁ ବାଦ ଦେବା ନିଷ୍ପତ୍ତିକୁ ବିଧାୟକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ସରକାରରେ ମଧ୍ୟ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ମନ୍ତ୍ରୀ ସୁଶାନ୍ତ ସିଂ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବିଧାୟକମାନେ ସଭାପତି ରହିଲେ ସମୟ ଦେଇ ପାରୁ ନାହାନ୍ତି। ଶିକ୍ଷାବିତ୍ମାନେ ସଭାପତି ରହିଲେ ଭଲ ହେବ। କିନ୍ତୁ ବିଧାୟକମାନଙ୍କୁ ସଭାପତି ବଦଳରେ ସଦସ୍ୟ ଭାବେ ରଖାଯାଉ। ଏହାଦ୍ବାରା କଲେଜର ଭିତ୍ତିଭୂମି ବିକାଶ ସହ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ସିଂହ କହିଥିଲେ।
ବିଜେପି ବିଧାୟକ ସନାତନ ବିଜୁଳିଙ୍କ କହିବାନୁଯାୟୀ, କଲେଜ ଗଭର୍ଣ୍ଣିଂ ବଡିରେ ବିଧାୟକ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମ ନିର୍ବାଚନ ମଣ୍ଡଳୀରେ ଯେଉଁ କଲେଜ ଦାୟିତ୍ୱ ରହିଛି, ତାର ଉନ୍ନତି ବିଧାୟକ ଭାବେ ଆମ ଦାୟିତ୍ୱ। ଯାହାବି କଲେଜର ଉନ୍ନତିମୂଳକ କାର୍ଯ୍ୟ ରହିଥାଏ ଆମେ ଅନୁଦାନ କରିଥାଉ। ଜଣେ ବିଧାୟକ ରହିଲେ ଯେତିକି ଉନ୍ନତି ହେବ, ଜଣେ ଶିକ୍ଷାବିତ ରହିଲେ କଣ ହେବ? ତାଙ୍କ ପାଖରେ କ’ଣ କ୍ଷମତା ଅଛି? କଲେଜର ଅଧକ୍ଷ ଓ ଅଧ୍ୟାପକ ସମସ୍ତେ ଶିକ୍ଷାବିତ, ବାହାରୁ ଶିକ୍ଷାବିତ୍ ନେଇ କ’ଣ ଅଧିକା ଲାଭ ହେବ? ବରଂ ବିଧାୟକ ରହିଲେ କଲେଜଗୁଡିକର ଉନ୍ନତି ହୋଇପାରିବ। ବିଧାୟକମାନେ କମିଟିରେ ରହିବା ଉଚିତ।
କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହି ନିଷ୍ପତ୍ତିକୁ ନିନ୍ଦନୀୟ ବୋଲି କହିଛନ୍ତି। ଏହାକୁ ଆମେ ବିରୋଧ କରୁଛୁ। ବିଧାନସଭାରେ ଏହାକୁ ଉଠାଇବୁ। ଯଦି କମିଟିରେ ବିଧାୟକ ନ ରହିବେ ତାହା ହେଲେ କଲେଜର ସମସ୍ୟା କିଭଳି ଜାଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି।