ଭୁବନେଶ୍ବର: ଦୁର୍ଗାପୂଜା ଛୁଟି ପରେ କଲେଜ ଖୋଲିପାରେ। କଲେଜ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ସ୍କୁଲ ଓ କଲେଜ ବନ୍ଦ ରହିଛି । ଅନଲାଇନ ଜରିଆରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ । ଏହାକୁ ନେଇ ଅନୁଧ୍ୟାନ କରିବାକୁ ଦଶଦିନ ତଳେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସାମିଲ ହୋଇଛନ୍ତି ।

Advertisment

ଅନୁଧ୍ୟାନ ପାଇଁ ଛଅଟି ସବ୍ କମିଟି ଗଠନ କରାଯାଇଛି । ସେମାନେ ରିପୋର୍ଟ ଦେବା ପରେ ଏହାର ପ୍ରଚଳନ ନେଇ ନିଷ୍ପତ୍ତି ନିଆଯିବ ।  ଗତକାଲି ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଥିବା ବେଳେ କଲେଜ ଖୋଲିପାରେ ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ସଚିବ କହିଛନ୍ତି। ତେବେ କଲେଜ ଖୋଲିବା ନେଇ ସମସ୍ତ ନିଷ୍ପତ୍ତି ସରକାର ନେବେ ବୋଲି ସଚିବ ଶାଶ୍ୱତ ମିଶ୍ର ସ୍ପଷ୍ଟ କରିଛନ୍ତି ।

ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟ (ହାଇସ୍କୁଲ) ଶିକ୍ଷକ ଶିକ୍ଷୟିତ୍ରୀ କେତେ ପାଠ ପଢ଼ାଇଛନ୍ତି ? ଲକ୍‌ଡାଉନ୍‌ ଓ ଅନ୍‌ଲକ୍‌ ସମୟରେ ସେମାନେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ କ୍ଲାସ ନେଇଛନ୍ତି କି ନାହିଁ ? ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟାଳୟରେ ନ ଥିଲେ ? କେଉଁମାନେ ଅନ୍‌ଲାଇନ୍‌ରେ ଆଦୌ କ୍ଲାସ ନେଇ ନାହାନ୍ତି ? ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ମାଧ୍ୟମରେ ପାଠ ପଢ଼ାଉଛନ୍ତି କି ନାହିଁ ? ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଅତିକମ୍‌ରେ ୨୦ ଜଣ ପିଲାଙ୍କୁ ଫୋନ୍‌ କରି ଦୂରଦର୍ଶନ କିମ୍ବା ‘ମଧୁ’ ଆପ୍‌ର ପାଠପଢ଼ା ସମ୍ପର୍କରେ ପଚାରି ବୁଝିଛନ୍ତି କି ନାହିଁ ତାହାର ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର ।