ଇପିଏଫ୍‌ ତଥ୍ୟ ନଦେଇ ଲକ୍ଷେ ଟଙ୍କା ତଣ୍ଡ ଗଣିବେ କଲେଜ ଅଧ୍ୟକ୍ଷ

ଭୁବନେଶ୍ୱର : ଅଧ୍ୟାପକଙ୍କ ଦରମା ଏବଂ ଇପିଏଫ୍‌ ସଂକ୍ରାନ୍ତ ତଥ୍ୟ ନଦେବା ଫଳରେ କଲେଜ ଅଧ୍ୟକ୍ଷଙ୍କୁ ରାଜ୍ୟ ସୂଚନା ଅଧିକାର ଆଇନ ବଳରେ ଦଣ୍ଡିତ କରାଯାଇଛି। ରାଜ୍ୟ ମୁଖ୍ୟ ସୂଚନା କମିସନ ସୁନୀଲ ମିଶ୍ର ଏକ ମାମଲାର ଶୁଣାଣି କରି ଝାରସୁଗୁଡା ଜିଲ୍ଲାର କିରମୀରାସ୍ଥିତ ଶୋଭନ ମେମୋରିଆଲ ଜୁନିଅର କଲେଜର ଅଧ୍ୟକ୍ଷଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ଖବର ଅନୁସାରେ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ତାଙ୍କର ଇପିଏଫ୍‌ ଏବଂ ଦରମା ସଂକ୍ରାନ୍ତରେ ସୂଚନା ଅଧିକାର ଆଇନରେ କେତକ ତଥ୍ୟ କଲେଜ କର୍ତ୍ତୃପକ୍ଷଙ୍କୁ ମାଗିଥିଲେ। କଲେଜ ସୂଚନା ଅଧିକାରୀ ପଙ୍କଜ କୁମାର ବେହେରା ଏବଂ ଅଧ୍ୟକ୍ଷ ତଥା ଫାର୍ଷ୍ଟ ଆପିଲେଟ ଅଥରିଟି ଅରୁଣ କୁମ୍ଭାର ତାଙ୍କୁ ସଠିକ ତଥ୍ୟ ଠିକଣା ସମୟରେ ଯୋଗାଇ ଦେଇ ନଥିଲେ। ଫଳରେ ଅର୍ଥାଭାବରୁ ଅଧ୍ୟାପକ ମିଶ୍ରଙ୍କୁ ଅନେକ ହଇରାଣ ହରକତ ହେବାକୁ ହୋଇଥିଲା। କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏ ସଂକ୍ରାନ୍ତରେ ରାଜ୍ୟ ସୂଚନା କମିସନରେ ଏକ ମାମଲା ଦାୟର ହେବାପରେ, ୨୦୧୯ ଫେବ୍ରୁଆରି ୨୫ ତାରିଖରେ ଅଧ୍ୟାପକ ସ୍ବର୍ଗତ ମିଶ୍ରଙ୍କ ପିତା ପରିକ୍ଷିତ ମିଶ୍ରଙ୍କୁ ମୃତ ଅଧ୍ୟାପକଙ୍କ ଦରମା ସଂକ୍ରାନ୍ତ ଡିଡି ଓ କୋଡ଼ ନମ୍ବର ତଥ୍ୟ ଦେବା ସଙ୍ଗେ ସଙ୍ଗେ ଇପିଏଫ ତଥ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା ସେହି ପ୍ରତିଶ୍ରୁତିରେ ରହିଯାଇଥିଲା। ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଏବଂ ଚେତାବନୀ ସତ୍ତ୍ୱେ କଲେଜ ଅଧ୍ୟକ୍ଷ ସୁଶାନ୍ତଙ୍କ ପରିବାରକୁ ତାଙ୍କର ଡି ଡି ଓ କୋଡ଼ ନମ୍ବର ଦେଇନଥିଲେ। ଏ ସଂକ୍ରାନ୍ତରେ ମୃତ ମିଶ୍ରଙ୍କ ପରିବାର ବାରମ୍ବାର ତଥ୍ୟ ମାଗିବାରୁ କଲେଜ ଅଧ୍ୟକ୍ଷ ତାଙ୍କୁ ପତ୍ରଦ୍ୱାରା କହିଥିଲେ ଯେ, ‘‘ଏହା କେବଳ ତାଙ୍କ ଜଣଙ୍କର ସମସ୍ୟା ନୁହେଁ।’’ ମୃତ ମିଶ୍ରଙ୍କ ଇପିଏଫ ଟଙ୍କା କଲେଜ ଜମା କରିନଥିବାରୁ ସେ ଏ ବାବଦ ପ୍ରାପ୍ୟ ମଧ୍ୟ ପାଇପାରିନଥିଲେ। ଓଲଟା କଲେଜ ଅଧ୍ୟକ୍ଷ ଇପିଏଫ ପ୍ରାପ୍ୟ ବଦଳରେ ଲକ୍ଷେ ଟଙ୍କା ସ୍ବର୍ଗତ ମିଶ୍ର ବିଧବା ପତ୍ନୀଙ୍କୁ କଲେଜ ପାଣ୍ଠିରୁ ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିଲେ।

ରାଜ୍ୟ ମୁଖ୍ୟ ସୂଚନା କମିସନ ଏହାକୁ ଗମ୍ଭୀରତାର ସହିତ ନେଇଥିଲେ। କମିସନ ତାଙ୍କ ନିର୍ଦେଶରେ କହିଛନ୍ତି ଯେ ଏହାଠାରୁ ବଳି କ୍ରୂରତାର ଉଦାହରଣ ଆଉ କିଛି ହୋଇନପାରେ। କଲେଜ ଅଧ୍ୟକ୍ଷଙ୍କ ଏଭଳି ସ୍ଥାଣୁତା, ହେୟ ଜ୍ଞାନ ଏବଂ ସମ୍ବେଦନଶୀଳହୀନତା ଯୋଗୁଁ ଆବେଦନକାରୀକୁ ଅନେକ କଠିନ ପରିସ୍ଥିତି ଦେଖିବାକୁ ପଡିଲା ବୋଲି କମିସନ ତାଙ୍କ ରାୟରେ କହିଛନ୍ତି ଓ ତୁରନ୍ତ ଲକ୍ଷେ ଟଙ୍କା କ୍ଷତିପୂରଣ ମୃତ ମିଶ୍ରଙ୍କ ପରିବାରକୁ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷତିପୂରଣ ରାଶି ଚେକ ମାଧ୍ୟମରେ ମାସେ ଭିତରେ ଦେବାକୁ କୁହାଯାଇଛି। କେବଳ ସେତିକି ନୁହେଁ, କମିସନ ଆହୁରି କହିଛନ୍ତି ଯେ ଘଟଣା ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଦାୟୀ କରାଯାଉଥିବା ପରିପ୍ରେକ୍ଷୀରେ ଏ ବାବଦ ଅର୍ଥକଲେଜ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କଠାରୁ ଆଦାୟ କରିବାରେ କୋୖଣସି ବାଧା ନାହିଁ।

ସମ୍ବନ୍ଧିତ ଖବର