ଯାଜପୁର : ଜାଲ କାଗଜପତ୍ରରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି ଓ ଶିକ୍ଷା ବିଭାଗ ଠାରୁ ମଧ୍ୟ ସ୍ବୀକୃତି ନିଆଯାଇଛି। ଚଞ୍ଚକତା କରି କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରୀ ଅନୁଦାନ ହାତେଇବା ସହ କର୍ମଚାରୀମାନେ ଦରମା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ନେଇଛନ୍ତି। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଅଶୋକ କୁମାର ରାଉତ ସଂସ୍କୃତ ମହାବିଦ୍ୟାଳୟ ଓ ମୁକ୍ତା ଦେବୀ ସଂସ୍କୃତ ମହାବିଦ୍ୟାଳୟ ବିରୋଧରେ। ଅଭିଯୋଗ ହେଲା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି।
ଅଶୋକ କୁମାର ରାଉତ ସଂସ୍କୃତ ମହାବିଦ୍ୟାଳୟ ଯାଜପୁର ଜିଲ୍ଲାର ଶ୍ୟାମଦାସପୁର, ରେକିବଜାରରେ ଅବସ୍ଥିତ। ଏହି ମହାବିଦ୍ୟାଳୟରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ଉଚ୍ଚଶିକ୍ଷା ବିଭାଗର ଅସାଧୁ କର୍ମଚାରୀଙ୍କ ସହାୟତାରେ ୨୦୦୫ ମସିହାରେ ସ୍ଥାୟୀ ସ୍ବୀକୃତି ଦିଆଯାଇଛି। ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୯ ମସିହାରେ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଛନ୍ତି। ୨୦୦୦ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି। ତେବେ ଶିକ୍ଷା ବିଭାଗ କେମିତି ସଂପୃକ୍ତ ମହାବିଦ୍ୟାଳୟକୁ ୨୦୦୫ ମସିହାରେ ସ୍ବୀକୃତି ଦେଲେ ଏବଂ ମହାବିଦ୍ୟାଳୟର କର୍ମଚାରୀ ୨୦୦୦ ମସିହାରେ ନିଯୁକ୍ତି କେମିତି ପାଇଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅନୁରୂପ ଭାବରେ ବରୀ ବ୍ଲକର ମୁକ୍ତା ଦେବୀ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତିରେ ଜାଲିଆତି କରାଯାଇଛି। ଭିତ୍ତିଭୂମି ନଥାଇ ମଧ୍ୟ ସ୍ବୀକୃତି ପ୍ରଦାନ କରାଯାଇଛି। ଏହି ଦୁଇଟି ସଂସ୍କୃତ ମହାବିଦ୍ୟାଳୟର କର୍ମଚାରୀଙ୍କୁ ଚଞ୍ଚକତା କରି ନିଯୁକ୍ତି ଦିଆଯାଇ ୨୦୦୯ ମସିହାଠାରୁ ଦରମା ବାବଦକୁ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ ହୋଇଛି।
ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ନିକଟରେ ଅଶୋକ କୁମାର ରାଉତ ସଂସ୍କୃତ ମହାବିଦ୍ୟାଳୟ ଓ ମୁକ୍ତା ଦେବୀ ସଂସ୍କୃତ ମହାବିଦ୍ୟାଳୟର କେଳେଙ୍କାରୀ ସଂପର୍କରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା। ଚିଠି ନଂ-୪୫ ତା-୧/୧/୨୦୨୦ ରିଖରେ ଏହି ଦୁଇଟି ସଂସ୍କୃତ ମହାବିଦ୍ୟାଳୟର କର୍ମଚାରୀମାନଙ୍କର ଦରମା ବନ୍ଦ ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଚିଠି ନଂ-୩୦ ତା-୧/୧/୨୦୨୦ ରେ ସଂପୃକ୍ତ ଦୁଇଟି ସଂସ୍କୃତ ମହାବିଦ୍ୟାଳୟର ସମସ୍ତ କେଳେଙ୍କାରୀର ତଦନ୍ତ ପାଇଁ ଏକ ୪ ଜଣିଆ କମିଟି ଗଠନ କରାଯାଇଛି। ତଦନ୍ତ କରି ୧ ମାସ ମଧ୍ୟରେ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଜାଲ କାଗଜପତ୍ରରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିବା ପରିଚାଳନା କମିଟିର ସଭାପତି, ସଂପାଦକ ଓ ଚଞ୍ଚକତା କରି ଏହି ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/odisha-education.jpg)